ଥିରୁବନନ୍ତପୁରମ୍,୧।୧୧:  କେରଳର ଚର୍ଚ୍ଚା ସବୁବେଳେ ଶିକ୍ଷା କ୍ଷେତ୍ରରେ ରହିଥାଏ। ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ଭାବରେ ଜଣାଯାଏ। ଏବେ ଦାରିଦ୍ରତା ଦୂର କରିଥିବା ପ୍ରଥମ ରାଜ୍ୟ ପାଲଟିଛି। ଏନେଇ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଶନିବାର ରାଜ୍ୟ ବିଧାନସଭାରେ ଘୋଷଣା କରିଛନ୍ତି। ସେ କହିଛନ୍ତି ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା (ଏଲଡିଏଫ୍) ସରକାର କେରଳରେ ଚରମ ଦାରିଦ୍ରତାକୁ ଶେଷ କରି ଦିଆଯାଇଛି। ଏଭଳି କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ । ଏବେ ରାଜ୍ୟରେ କୌଣସି ବି ପରିବାର ‘ଅତ୍ୟାଧିକ ଗରିବ’ ନୁହେଁ। ସେ ବିଧାନସଭାରେ ରୁଲ୍-୩୦୦ ଅନୁସାରେ ବୟାନ ଦଇେ ଏହାକୁ ଉପଲବ୍ଧିର ଅଧିକାର ବୋଲି ଘୋଷଣା କରିଛନ୍ତି।

ସିଏମ୍ ବିଜୟନ କହିଛନ୍ତି,‘ଗୋଟିଏ ଭାଷା ଉପରେ ଆଧାରିତ ରାଜ୍ୟର ଦାବି ସ୍ବାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା। ବହୁ ସଂଘର୍ଷ ପରେ ଏକୀକୃତ କେରଳ ତିଆରି କରାଯାଇଥିଲା ଓ ଆଜି ଏହାକୁ ୬୯ ବର୍ଷ ପୂରଣ ହୋଇଛି। ପ୍ରତିବର୍ଷ ଆମେ କେରଳ ପିରଭି ବା ପ୍ରତିଷ୍ଠା ଦିବସ ପାଳନ କରୁ। କିନ୍ତୁ ଏଥରର ଦିନ ଅଲଗା ରହିଛି, କାରଣ ଏଥର କେରଳ ପ୍ରଥମ ଭାରତୀୟ ରାଜ୍ୟ ପାଲଟିଛି, ଯେଉଁଠି ଅତ୍ୟାଧିକ ଦ୍ରାରିଦ୍ୟ ସମ୍ପୂର୍ଣ୍ଣ ଭାବରେ ଶେଷ କରି ଦିଆଯାଇଛି। ଏହି ଉପଲବ୍ଧି ନୂଆ ‘ନବ-କେରଳ’ ନିର୍ମାଣରେ ଏକ ବଡ଼ ପଦକ୍ଷେପ।’

ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟା ୫ଟାରେ ଥିରୁଅନନ୍ତପୁରମ୍‌ର ସେଣ୍ଟ୍ରାଲ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସାର୍ବଜନୀନ ସମାରୋହରେ ଏହି ସଫଳତାର ଘୋଷଣା କରିବେ। ଏହି କାର୍ଯ୍ୟକ୍ରମରେ ସବୁ ରାଜ୍ୟ ମନ୍ତ୍ରୀ ସାମିଲ ହେବେ ଓ ବିରୋଧି ନେତାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବ। ଫିଲ୍ମ ଅଭିନେତା କମଲ ହାସନ, ମମୁଟି ଓ ମୋହନଲାଲ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ।  ଏହି ଘୋଷଣା ରାଜ୍ୟ ଗଠନ ଦିବସ ଅବସରରେ ବିଧାନସଭା ଅଧିବେଶରେ କରାଯାଇଛି। ୨୦୨୧ର ଆରମ୍ଭରୁ କରାଯାଇଥିବା ଚରମ ଦାରିଦ୍ର୍ୟ ଦୂରୀକରଣ ପ୍ରକଳ୍ପ ଅନୁସାରେ ରାଜ୍ୟ ସରକାର ୬୪,୦୦୬ ପରିବାରକୁ ଅତ୍ୟନ୍ତ ଗରିବ ରୂପରେ ଚିହ୍ନଟ କରିଥିଲେ। ଏହି ପରିବାରକୁ ୪ ବର୍ଷ ପର୍ଯ୍ୟନ୍ତ  ଚାଲୁଥିବା ଏହି ଯୋଜନା ଅନ୍ତର୍ଗତ ବାସଗୃହ, ଖାଦ୍ୟ, ସ୍ବାସ୍ଥ୍ୟ ଓ ଜୀବିକାର ସହାୟତା ପ୍ରଦାନ କରାଯାଇଥିଲା।