ନୂଆଦିଲ୍ଲୀ, ୧୨/୦୮: ସୁନା ଉପରେ ଲାଗିବନି ଟ୍ରମ୍ପଙ୍କ ଟାରିଫ୍ । ମାର୍କେଟ୍ରେ ହାହାକାର ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ। ସୁନାରେ ଅଧିକା ଟାରିଫ୍ ଲାଗିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସୁନା ଉପରେ କୌଣସି ଟାରିଫ୍ ଲାଗୁ ହେବ ନାହିଁ। ଏହାପରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ଉପରେ ଗୋଲ୍ଡ ପ୍ରାଇସ୍ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ଶସ୍ତା ହୋଇଯାଇଛି। ତଥାପି ଏବେବି ସୁନା ଦର ଲକ୍ଷେ ପାର୍ ରହିଛି କିନ୍ତୁ ଲାଇଫ୍ ଟାଇମ୍ ହାଇ ଲେବୁଲ୍ରୁ ଖସି ବ୍ୟବସାୟ କରୁଛି।
ସୂଚନା ଥାଉକି, କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବହୁ ଦେଶ ଉପରେ ଅତିରିକ୍ତ ଟାରିଫ୍ ଲଦିଛନ୍ତି । ଏହାରି ଭିତରେ ଗତ ସପ୍ତାହରେ ହ୍ଵାଇଟ୍ ହାଉସ୍ର ଜଣେ ଅଧିକାରୀ କହିଥିଲେ ଯେ, ଖୁବଶୀଘ୍ର ଟ୍ରମ୍ପ ପ୍ରଶାସନ ନୂଆ ନୀତି ଆଣିବାକୁ ଯାଉଛନ୍ତି। ଯାହାପରେ ସୁନା ଉପରେ ଟାରିଫ୍ ଲାଗିବ କି ନାହିଁ ସ୍ପଷ୍ଟ ହେବ। ସେୟାର ମାର୍କେଟ୍ରେ ସୁନା ଉପରେ ଉଚ୍ଚା ଟାରିଫ୍ ଲାଗିବ ବୋଲି ଗୁଜବ ପ୍ରଚାର ହୋଇଥିଲା । ଏହାପରେ ବୁଲିଅନ ମାର୍କେଟ୍ରେ ଅସ୍ଥିର ସ୍ଥିତି ସୃଷ୍ଟି ହେବା ସହ ସୁନା ଦର ଆକାଶ ଛୁଆଁ ହୋଇଥିଲା। ଏବେ ଏନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ସୁନା ଉପରେ କୌଣସି ଟାରିଫ୍ ଲାଗିବନି ବୋଲି କହିଛନ୍ତି।
ଚୀନ୍ ଉପରେ ଟାରିଫ୍ ସମୟସୀମା ବୃଦ୍ଧି
ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଟାରିଫ୍ ଲଗାଇବାର ସମୟସୀମା ବୃଦ୍ଧି କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍ରେ ଲେଖିଛନ୍ତି, "ଚୀନ୍ ଉପରେ ଶୁଳ୍କ ସ୍ଥଗିତକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହି ବିଷୟରେ ଧ୍ୟାନ ଦେବା ପାଇଁ ଧନ୍ୟବାଦ!" ଆମେରିକା-ଚୀନ ଭିତରେ ଏବେ ଟାରିଫ୍ ୱାର୍ ଚାଲିଛି। ଦୁଇ ଦେଶ ପରସ୍ପରଙ୍କ ଉପରେ ବେଲଗାମ୍ ଶୁଳ୍କ ଲଦୁଛନ୍ତି। ଏପ୍ରିଲରେ ଆମେରିକା ଚୀନ ବସ୍ତୁ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲା। ଚୀନ ମଧ୍ୟ ଏହାର ଜବାବରେ ଆମେରିକୀୟ ଉତ୍ପାଦ ଉପରେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଥିଲା। ମେ ମାସରେ ଜେନିଭାରେ ଦୁଇ ଦେଶ ଅସ୍ଥାୟୀ ଭାବେ ଟାରିଫ୍ ହ୍ରାସ କରିବାକୁ ସହମତ ହୋଇଥିଲେ। ଆମେରିକା ୧୪୫ ପ୍ରତିଶତ ଟାରିଫ୍ ହ୍ରାସ କରି ୩୦ ପ୍ରତିଶତ କରିଥିଲେ। ସେହିପରି ଚୀନ ୧୦ ପ୍ରତିଶତକୁ ହ୍ରାସ କରିଥିଲା।