ନୂଆଦିଲ୍ଲୀ,୧୨/୧୦: ଦିଲ୍ଲୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ। ଘରେ ସମସ୍ତେ ଶୋଇ ଥିବାବେଳେ ହଠାତ୍ ନିଆଁ ଲାଗି ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ନୋଏଡା ସେକ୍ଟର ୨୭ରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଉକ୍ତ ଘର ସମ୍ମୁଖରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ନିଆଁ ଲାଗିଥିଲା। ଏହାପରେ ନିଆଁ ଘରକୁ ବ୍ୟାପି ଯାଇଥିଲା। ଘରେ ବାଣ ଏବଂ ଗ୍ୟାସ୍ ସିଲିଣ୍ଡର ଥିବା ସେଗୁଡ଼ିକ ବିସ୍ଫୋରଣ ଘଟି ଚାରିଆଡ଼କୁ ନିଆଁ ବ୍ୟାପି ଯାଇଥିଲା ଫଳରେ ସମ୍ପୂର୍ଣ୍ଣ ଚାରି ମହଲା କୋଠାଟି ଜଳି ଯାଇଥିଲା। ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେତବେଳକୁ ସମ୍ପୂର୍ଣ୍ଣ ଚାରି ମହଲାକୁ ନିଆଁ ବ୍ୟାପି ଯାଇଥିଲା। ପାଖ ପଡୋଶୀଙ୍କୁ ସତର୍କ କରିବା ସହ ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।