ନୂଆଦିଲ୍ଲୀ,୫।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣିଥରେ ନିଜର ସେନା ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ ନିଜେ ଏଥର ସମ୍ଭାଳିଛନ୍ତି ଦାୟିତ୍ବ। ଦେଶରେ ବିକଶିତ କରାଯାଇଥିବା ନୂଆ ସ୍ନାଇପର ରାଇଫଲର କରିଛନ୍ତି ପରୀକ୍ଷଣ। କିମ୍ ସ୍ପେଶାଲ ଫୋର୍ସର ଏକ ୟୁନିଟ୍ ଗସ୍ତ କରିଥିଲେ। ସେ ଯବାନଙ୍କ ସହ ଫାୟାରିଂ ଅଭ୍ୟାସରେ ଯୋଗ ଦେଇଥିଲେ ଓ ଆଧୁନିକ ଅସ୍ତ୍ରଶସ୍ତ୍ରର ଶକ୍ତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। କୋରିଆନ୍ ଉପଦ୍ୱୀପରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ କିମ୍ଙ୍କ ଏହି ସ୍ନାଇପର ରାଇଫଲ ପରୀକ୍ଷଣ ବେଶ ଗୁରୁତ୍ବପୂର୍ଣ୍ଣ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ କୋରିଆନ୍ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (KCNA ) ଶନିବାର କହିଛି, କିମ୍ ଜୋଙ୍ଗ ସ୍ପେଶାଲ ଅପରେସନ୍ ୟୁନିଟି ନିରୀକ୍ଷଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବାସ୍ତବିକ ଯୁଦ୍ଧ କ୍ଷମତା ହିଁ ବିଜୟର ଗ୍ୟାରେଣ୍ଟି ହୋଇଥାଏ। ଏହି କ୍ଷମତା କଡା ପ୍ରଶିକ୍ଷଣରୁ ହିଁ ବିକଶିତ ହୋଇଥାଏ।’
ଏହି ସମୟରେ କିମ୍ ଜୋଙ୍ଗ ଉନ୍ ଅଟୋମେଟିକ୍ ରାଇଫଲ ଓ ସ୍ନାଇପର ରାଇଫଲରେ ଫାୟାରିଂ ଡ୍ରିଲ ଦେଖିଥିଲେ। ସେ ନିଜେ ମଧ୍ୟ ସ୍ନାଇପର ରାଇଫଲରୁ ଗୁଳି ଚଳାଇଥିଳେ ଓ ତାଙ୍କର ପ୍ରଦର୍ଶନରେ ସେ ଖୁବ୍ ସନ୍ତୁଷ୍ଟ ଥିଲେ। KCNA ର କହିବା ଅନୁସାରେ, ଏହି ଅସ୍ତ୍ର ଉତ୍ତର କୋରିଆରେ ତିଆରି କରାଯାଇଛି। ଏହା ହେଉଛି ନିଜ ଢଙ୍ଗରେ ବିକଶିତ କରାଯାଇଥିବା ‘ହାଇଟେକ୍ ହତିଆର’, ଯାହାର ସଠିକତା ଓ ଶକ୍ତିକୁ ନେଇ କିମ୍ ମଧ୍ୟ ପ୍ରଶଂସା କରିଛନ୍ତି।