ପୋଙ୍ଗୟାଙ୍ଗ,୨୧/୦୧: ନିଜର ଅଜବ କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଆଉ ଏକ ବଡ଼ ପଦକ୍ଷେପ ନେଇ ସମସ୍ତଙ୍କୁ ଚକିତ କରାଇଛନ୍ତି । ସଭା ମଞ୍ଚରୁ ହିଁ ସେ ଦେଶର ଉପପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ କରିଦେଇଛନ୍ତି । ରିପୋର୍ଟ ମୁତାବକ, କିମ୍ ୟୋଙ୍ଗସୋଙ୍ଗ୍ ମେସିନ କମ୍ପେ୍ଲକ୍ସରେ ସୋମବାର ଶିଳ୍ପ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ ପାଇଁ ପହଞ୍ଚିଥିଲେ । ଏହି ଅବସରରେ ସଭାକୁ ସମ୍ବୋଧନ କରୁଥିବା ବେଳେ ସେ ଅଚାନକ ଉପପ୍ରଧାନମନ୍ତ୍ରୀ ୟାଙ୍ଗ୍ ସଙ୍ଗ୍-ହୋଙ୍କୁ ପଦରୁ ହଟାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତାଙ୍କୁ ଜୋରଦାର ଭର୍ତ୍ସନା ବି କରିଥିଲେ । ବିଳମ୍ବ ହେବା ପୂର୍ବରୁ ତୁରନ୍ତ ପଳାଇ ଯାଅ ବୋଲି କହିଥିଲେ ।

କିମ୍ କହିଥିଲେ, ବଳଦ ହିଁ ଗାଡ଼ି ଟାଣିପାରିବ, ଛେଳି ନୁହେଁ । ସରକାରୀ ବ୍ୟବସ୍ଥାରେ ତାଙ୍କୁ ଦାୟିତ୍ୱ ଦେଇ ମୁଁ ଭୁଲ କରିଛି । ସେ ଆହୁରି କହିଥିଲେ, ୟୋଙ୍ଗସୋଙ୍ଗ ମେସିନ କମ୍ପେ୍ଲକ୍ସର ପ୍ରଥମ ପର୍ଯ୍ୟାୟର ଆଧୁନିକୀକରଣରେ ହୋଇଥିବା ଗମ୍ଭୀର ଭୁଲକୁ ସୁଧାରିବା ସକାଶେ ୟାଙ୍ଗଙ୍କୁ ଅନେକ ବାର ସୁଯୋଗ ଦିଆଯାଇଥିଲା । ଏହାସତ୍ତେ୍ୱ କାମରେ କୌଣସି ସୁଧାର ଆସିନାହିଁ । ୟାଙ୍ଗଙ୍କୁ ପଦରୁ ହଟାଇବା ଜରୁରି ଥିଲା । ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଦଳବିରୋଧୀ କାର୍ଯ୍ୟ କରିଛନ୍ତି । ୟାଙ୍ଗ ଦଳର କେନ୍ଦ୍ରୀୟ କମିଟିକୁ ଏଭଳି ପରାମର୍ଶ ଦେଇଥିଲେ, ଯାହା ବ୍ୟବହାରିକ ନ ଥିଲା କି ସତ୍ୟତା ଉପରେ ଆଧାରିତ ଥିଲା । ସେ ନିଜ ଫାଇଦା ପାଇଁ ଦଳକୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲେ ।

ଏମିତି କି ଗତ ମାସରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଧ୍ୟ ସେ ସମାନ ଭୁଲ ଦୋହରାଇଥିଲେ । ଏହାସତ୍ତେ୍ୱ ତାଙ୍କୁ ଆଉ ଏକ ସୁଯୋଗ ମିଳିଥିଲା । କିନ୍ତୁ ପରେ ଜଣାପଡ଼ିଥିଲା ଯେ ତାଙ୍କଠାରେ ଆଦୌ ଦାୟିତ୍ୱ ମନୋଭାବ ନାହିଁ । ବାସ୍ତବରେ ଏହି ବ୍ୟକ୍ତି ଜଣକ ଆରମ୍ଭରୁ ହିଁ ଏମିତି ଥିଲେ । ବଡ଼ ଦାୟିତ୍ୱ ନିର୍ବାହ କରିବାକୁ ସେ ଯୋଗ୍ୟ ନୁହନ୍ତି । ୟାଙ୍ଗ୍ ସଙ୍ଗ୍-ହୋ ପୂର୍ବରୁ ଦେଶର ମେସିନ ଉଦ୍ୟୋଗ ମନ୍ତ୍ରୀ ରହିଥିଲେ । ପରେ ତାଙ୍କୁ ପଦୋନ୍ନତି ଦେଇ ଉପପ୍ରଧାନମନ୍ତ୍ରୀ ପଦରେ ରହି ମେସିନରି କ୍ଷେତ୍ରର ଦାୟିତ୍ୱ ବୁଝିବାକୁ କୁହାଯାଇଥିଲା । କେସିଏନ୍ଏ ରିପୋର୍ଟ ମୁତାବକ, କିମ୍ ୟୋଙ୍ଗସୋଙ୍ଗ୍ ମେସିନ କମ୍ପେ୍ଲକ୍ସକୁ ଆଧୁନିକ ବନାଇବା ପାଇଁ ୟାଙ୍ଗ୍ଙ୍କୁ ଦାୟିତ୍ୱ ଦେଇଥିଲେ । କିନ୍ତୁ କାମରେ ବାରମ୍ବାର ଅଯଥା ବିଳମ୍ବ ହୋଇଥିଲା । ଏହି ବିଳମ୍ବ ପାଇଁ ଆର୍ଥିକ ନୀତି ସହ ଜଡ଼ିତ ଅଧିକାରୀଙ୍କୁ ବି ଦୋଷ ଦେଇଛନ୍ତି କିମ୍ । ଅଧିକାରୀଙ୍କ ବେପରୁଆ ମନୋଭାବ ଏବଂ ଅଯୋଗ୍ୟତା ଯୋଗୁ ଏହି ପ୍ରକଳ୍ପରେ ଅନେକ ତ୍ରୁଟି ବିଚ୍ୟୁତ ଦେଖାଦେଇଥିବା କିମ୍ ଅଭିଯୋଗ କରିଛନ୍ତି ।