ନୂଆଦିଲ୍ଲୀ, ୨୭।୪: ଦେଶରୁ ବାମପନ୍ଥୀ ଉଗ୍ରବାଦ (LWE) ବା ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ଏହି ମିଶନର ସଫଳତା ପରେ ଏବେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପୂର୍ବୋତ୍ତର ଭାରତ । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଉଗ୍ରବାଦ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବା ପାଇଁ କେନ୍ଦ୍ର ସରକାର ୨୦୨୯ ମସିହାକୁ ଡେଡ୍ଲାଇନ ଭାବେ ଧାର୍ଯ୍ୟ କରିଛନ୍ତି । ବିଶେଷ କରି ମଣିପୁରକୁ ଏହି ଅଭିଯାନର କେନ୍ଦ୍ରବିନ୍ଦୁ କରାଯାଇଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁ ସୁରକ୍ଷାବଳ ବର୍ତ୍ତମାନ ନକ୍ସଲ ଏବଂ ମାଓବାଦ ପ୍ରଭାବିତ ଅଞ୍ଚଳରେ ମୁତୟନ ଅଛନ୍ତି, ସେମାନଙ୍କୁ ଏବେ ମଣିପୁର, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ପରି ଉଗ୍ରବାଦ ପ୍ରଭାବିତ ରାଜ୍ୟକୁ ପଠାଯିବ । କହିରଖୁଛୁ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (୨୦୨୬) ଏବଂ ଅମରନାଥ ଯାତ୍ରା ପରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ପାଇଁ ସେଠାରେ କିଛି ସମୟ ଯାଏଁ ସେନା ମୁତୟନ ରହିବେ । ୨୦୨୬ ମଧ୍ୟଭାଗରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ର ଚୟନିତ ୟୁନିଟଗୁଡ଼ିକୁ ପୂର୍ବୋତ୍ତରକୁ ପଠାଯିବ ।
ମୁତୟନ ହେବେ ଘାତକ 'କୋବ୍ରା' କମାଣ୍ଡୋ:
ଏହି ଅଭିଯାନର ନେତୃତ୍ୱ ନେବେ CRPF ର କୋବ୍ରା (CoBRA - Commando Battalion for Resolute Action) ଫୋର୍ସ । ଗରିଲା ଯୁଦ୍ଧରେ ମାହିର ଏହି କମାଣ୍ଡୋମାନେ ବର୍ତ୍ତମାନ ନକ୍ସଲ ଅଞ୍ଚଳରେ କାମ କରୁଛନ୍ତି । ପୂର୍ବୋତ୍ତରର ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ଉଗ୍ରବାଦୀଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ଏହି ଫୋର୍ସକୁ ଦାୟିତ୍ୱ ଦିଆଯିବ । ଏହି ସ୍ଥାନାନ୍ତର ଧୀରେ ଧୀରେ କରାଯିବ ଯେପରି ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ନ ହୁଏ ।
ପୂର୍ବୋତ୍ତରରେ ସକ୍ରିୟ ଅଛନ୍ତି ୧୬ଟି ଉଗ୍ରବାଦୀ ସଙ୍ଗଠନ:
ରିପୋର୍ଟ ଅନୁସାରେ, ପୂର୍ବୋତ୍ତର ଭାରତରେ ମୋଟ ୧୬ଟି ପ୍ରମୁଖ ଉଗ୍ରବାଦୀ ସଙ୍ଗଠନ ସକ୍ରିୟ ରହି ନିଜର ନାପାକ ମନସୁବା ଜାରି ରଖିଛନ୍ତି । ମଣିପୁରରେ ସର୍ବାଧିକ ୮ଟି ସଙ୍ଗଠନ ସକ୍ରିୟ । ଗତ ତିନି ବର୍ଷର ଜାତିଗତ ହିଂସା ପଛରେ ଏମାନଙ୍କର ବଡ଼ ହାତ ଥିବା କୁହାଯାଉଛି । ଆସାମରେ ୩ଟି ସଙ୍ଗଠନ । ମେଘାଳୟ ଓ ତ୍ରିପୁରାରେ ୨-୨ଟି ସଙ୍ଗଠନ । ନାଗାଲାଣ୍ଡରେ ଗୋଟିଏ ସଙ୍ଗଠନ ସକ୍ରିୟ । ପୂର୍ବୋତ୍ତରର ଅନେକ ଉଗ୍ରବାଦୀ ସଙ୍ଗଠନର ସମ୍ପର୍କ ବିଦେଶୀ ଶକ୍ତିଙ୍କ ସହ ରହିଛି, ଯେଉଁଠାରୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ପାଣ୍ଠି ଯୋଗାଇ ଦିଆଯାଉଛି । ଏହି ବିପଦକୁ ଦୃଷ୍ଟିରେ ରଖି ସରକାର ଅତ୍ୟାଧୁନିକ ଆଣ୍ଟି-ମାଇନ୍ସ ଭେହିକିଲ୍ (Anti-mines vehicles) ର ପ୍ରଥମ ଖେପ ମଣିପୁର ପଠାଇ ସାରିଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଆଇଇଡି (IED) ବିସ୍ଫୋରଣରୁ ରକ୍ଷା କରିବା ପାଇଁ ଏହି ଗାଡ଼ିଗୁଡ଼ିକ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ 'ଜିରୋ ଟଲରାନ୍ସ' ନୀତି ଆପଣାଇ ଭାରତ ସରକାର ୨୦୨୯ ସୁଦ୍ଧା ପୂର୍ବୋତ୍ତର ଭାରତକୁ ଏକ ଶାନ୍ତିପୂର୍ଣ୍ଣ ଏବଂ ଉଗ୍ରବାଦମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଆହୁରି ପଢ଼ନ୍ତୁ... ଲଦାଖରେ ୫ ନୂଆ ଜିଲ୍ଲା ପାଇଁ ଘୋଷଣା କଲେ ଉପରାଜ୍ୟପାଳ ଭି.କେ ସକ୍ସେନା, ଏବେ ୨ ବଦଳରେ ରହିବ ୭ ଜିଲ୍ଲା…