ନୂଆଦିଲ୍ଲୀ, ୨୩/୦୨ : ଦିଲ୍ଲୀ ମାଳବୀୟ ନଗରରେ ବର୍ଣ୍ଣବୈଶମ୍ୟ ଆକ୍ଷେପକୁ ନେଇ ସାଙ୍ଘାତିକ ଅଭିଯୋଗ। ଅରୁଣାଚଳ ପ୍ରଦେଶର ତିନି ମହିଳାଙ୍କୁ ଦୁର୍ବ୍ୟବହାର। ସାଧାରଣ କଥାରୁ ସୀମା ଟପିଗଲେ ପଡୋଶୀ। ଜଣେ ମହିଳା ହୋଇ ସର୍ବସମ୍ମୁଖରେ ଅନ୍ୟ ମହିଳାଙ୍କ କଲେ ଚରିତ୍ର ସଂହାର। ଉତ୍ତର-ପୂର୍ବ ଭାରତୀୟ ହୋଇଥିବାରୁ କଲେ ଅପମାନିତ। ମାମୁଲି ଘର ମରାମତି କାମରୁ ଏଭଳି ବିବାଦ ହୋଇଛି।
ସୂଚନାନୁଯାୟୀ, ଦିଲ୍ଲୀ ମାଳବୀୟ ନଗରର ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ଅରୁଣାଚଳପ୍ରଦେଶର ତିନି ଯୁବତୀ ରୁହନ୍ତି। ଫେବୃଆରୀ ୨୦ ତାରିଖ ଅପରାହ୍ନ ସାଢେ ୩ଟାରେ ଉକ୍ତ ଯୁବତୀମାନେ ଘରେ ଏସି ଲଗାଇବା ପାଇଁ ଏକ ଇଲେକ୍ଟ୍ରିସିଆନକୁ ଡାକିଥିଲେ। କାନ୍ଥ ଡ୍ରିଲିଂ ସମୟରେ କିଛି ଧୂଳି ତଳେ ପଡ଼ିଥିଲା। ଏହି କଥାକୁ ନେଇ ତଳ ଘରେ ରହୁଥିବା ପଡୋଶୀ ହର୍ଷ ଏବଂ ତାଙ୍କ ପତ୍ନୀ ରୁବି ଜୈନ ରାଗ ତମତମ ହୋଇ ଘରୁ ବାହାରି ଆସିଥିଲେ। ରୁବି ରାଗିପାଚି ଲାଲ୍ ହୋଇଯାଇଥିଲା। ପାଟିକୁ ଯାହା ଆସିଲା ଗାଳି କରିଥିଲେ। ଏପରିକି ଉକ୍ତ ଯୁବତୀମାନଙ୍କୁ ବର୍ଣ୍ଣବୈଶମ୍ୟ ଆକ୍ଷେପ କରିଥିଲେ। ସେମାନଙ୍କୁ ମୋମୋ କହିଥିଲେ। ଏପରିକି ୫୦୦ ଟଙ୍କାରେ ମସାଜ ପାର୍ଲରରେ କାମ କରୁଥିବା ଧନ୍ଦାବାଲି କହି ତାତ୍ସଲ୍ୟ କରିଥିଲେ। ରୁବି କହିଥିଲେ ଯେ, ତୁମେମାନେ କଣ ଏଠାରେ ମସାଜ ପାର୍ଲର ଖୋଲି ଧନ୍ଦା କରିବାକୁ ବସିଛ? ଏଠି ରହିବାକୁ ତୁମ ମାନଙ୍କର ଔକାତ ନାହିଁ। ଯାଇ ମୋମୋ ବିକ, ଉତ୍ତର-ପୂର୍ବ ଲୋକ ଭାରି ବକବାସ୍। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ମାମଲାରେ, ମାଳବୀୟ ନଗର ପୁଲିସ ହର୍ଷ ସିଂହ ଏବଂ ରୁବି ଜୈନଙ୍କ ବିରୋଧରେ ଭାରତୀୟ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ମହିଳାଙ୍କ ଚରିତ୍ର ସଂହାର କରିବା, ଧମକ ଚମକ ଦେବା, ବର୍ଣ୍ଣବୈଶମ୍ୟ ଆକ୍ଷେପ କରିବା ଅଭିଯୋଗରେ ଦଫା ଲଗାଇଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ। ଏନେଇ ତଦନ୍ତ ଚାଲିଛି। ସେପଟେ ପୀଡ଼ିତା ଯୁବତୀମାନେ ଏବେ ମାନସିକ ଚାପରେ ଅଛନ୍ତି। ଏପରିକି ସେମାନଙ୍କୁ ମାସକ ଭିତରେ ଫ୍ଲାଟ ଖାଲି କରିବା ପାଇଁ ଜଣେ ବ୍ରୋକର ଚେତାବନୀ ଦେଇଛି।..
ଏହି ଖବରଟିକୁ ପଢନ୍ତୁ- ପୂର୍ବ ରେଳମନ୍ତ୍ରୀ ମୁକୁଲ ରାୟଙ୍କର ପରଲୋକ; ମମତାଙ୍କର ଥିଲେ ଘନିଷ୍ଠ, ୨୦୧୭ରେ ଟିଏମ୍ସି ଛାଡି ବିଜେପିରେ ମିଶିଥିଲେ