ନୂଆଦିଲ୍ଲୀ : ଯଦି ଆପଣ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ଅଧିକ ସାଉଣ୍ଡରେ ରିଲ୍ ଦେଖୁଛନ୍ତି ,କିମ୍ୱା ସ୍ପିକରରେ ଚିତ୍କାର କରି କଥାବାର୍ତ୍ତା ହେଉଛନ୍ତି ଅବା ବିନା ହେଡଫୋନରେ ଗୀତ ଚଲାଉଛନ୍ତି ,ତ ସାବଧାନ ହୋଇ ଯାଆନ୍ତୁ। ନିକଟରେ ଚେନ୍ନାଇ ମେଟ୍ରୋ ରିଲ୍ ଲିମିଟେଡ୍ (ସିଏମଆରଏଲ) ଏହାକୁ ନେଇ ନୂଆ ଆଡଭାଇଜରୀ ଜାରି କରିଛି। ଆଡଭାଇଜରୀରେ ସ୍ପଷ୍ଟ କରିଦିଆ ଯାଇଛି ଯେ, ମେଟ୍ରୋରେ କୌଣସି ବି ପ୍ରତାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମନା ଦେବାକୁ ପଡ଼ିପାରେ।

ସିଏମଆରଏଲର ଆଡଭାଇଜରୀ ମୁତାବିକ , ମେଟ୍ରୋ କିମ୍ୱା ମେଟ୍ରୋ ପରିସରରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା, ବିନା ହେଡଫୋନରେ ମ୍ୟୁଜିକ୍ କିମ୍ୱା ଭିଡ଼ିଓ ପ୍ଲେ କରିବା କିମ୍ୱା ସ୍ପିକର ମୋଡରେ କଲ କରିବା ଏବେ ନିୟମର ଉଲ୍ଲଙ୍ଘନ ମନେକରାଯିବ।

ରିପୋର୍ଟ ମୁତାବିକ, ଏବେସୁଦ୍ଧା ଏହିସବୁକୁ ଛୋଟ ଛୋଟ କଥା ଭାବେ ଧରି ନିଆଯାଉ ଥିଲା , କିନ୍ତୁ ବର୍ତ୍ତମାନ ଏହି ଗୁଡ଼ିକୁ ଗୁରୁତର ସମସ୍ୟା ଭାବେ ମନେକରାଯାଉଛି। ବିଶେଷ କରି ଏହି ଆଇନ ଯାତ୍ରୀଙ୍କୁ ମୋବାଇଲ ଫୋନରେ ହେଉଥିବା ଶବ୍ଦରୁ ମୁକ୍ତି ଦେବାକୁ ଅଣାଯାଇଛି।

ମେଟ୍ରୋ ରେଲୱେ (ଅପରେସନ ଆଣ୍ଡ ମେଣ୍ଟେନାନ୍ସ) ଆକ୍ଟ, ୨୦୦୨ର ଧାରା ୫୯ ଅନୁସାରେ , ଏମିତି କୌଣସି ବି ବ୍ୟବହାର ଯାହା ଅନ୍ୟ ଯାତ୍ରୀଙ୍କ ପାଇଁ ସମସ୍ୟା ସାଜିବ କିମ୍ୱା ତାଙ୍କର ସୁବିଧାରେ ବାଧା ସୃଷ୍ଟି କରିବ, ଯାହାକି ଦଣ୍ଡନୀୟ ଅପରାଧ। ଏମିତି ମାମଲାରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମନା ଲାଗି ପାରେ ଏବଂ ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ମେଟ୍ରୋ ପରିସରରୁ ବାହାର ମଧ୍ୟ କରାଯାଇ ପାରେ। ନୂଆ ନିୟମ ଏହି ଆଇନର ଅଂଶ ବିଶେଷ।

ସିଏମଆରଏଲ ଯାତ୍ରୀଙ୍କୁ ଜୋରିମନାକୁ ରକ୍ଷା ପାଇବାର କିଛି ଉପାୟ ମଧ୍ୟ କହିଛି। ସିଏମଆରଏଲ ଅପିଲ କରିଛି ଯେ, ଲୋକଙ୍କୁ ମେଟ୍ରୋରେ ହେଡଫୋନର ବ୍ୟବହାର କରିବା ଉଚିତ୍, ଧିର ସ୍ୱରରେ କଥାବାର୍ତ୍ତା କରିବା ଉଚିତ୍ ଏବଂ କଲ୍କୁ ସ୍ପିକରରେ ରିସିଭ୍ କରିବା ଉଚିତ୍ ନୁହେଁ। ଏହା ପୂର୍ବରୁ ଏହି ମାସର ଆରମ୍ଭରେ ଭାରତୀୟ ରେଲୱେ ବୋର୍ଡ ମଧ୍ୟ ଯାତ୍ରୀଙ୍କୁ ଏହିପରି ଅପିଲ କରିଥିଲା। ଭାରତୀୟ ରେଲୱେ ଏକ ବିବୃତ୍ତିରେ କହିଛି ଯେ, ସେ ଟ୍ରେନରେ ହେଡଫୋନର ବ୍ୟବହାର କରୁ ,ଯେଉଁଥିରେ ସହଯାତ୍ରୀଙ୍କୁ ଅସୁବିଧା ହେବ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ଦେଶର ସବୁଠାରୁ ବଡ଼ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ, ଆସନ୍ତାକାଲି ଲୋକାର୍ପଣ କରିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି