ଭୁବନେଶ୍ୱର, ୧୨/୭ : ନର୍ସିଂ ଏକ ମହାନ୍ ଓ ଉତ୍ତମ ବୃତ୍ତି ଏବଂ ମାନବ ସେବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆ ପରିଚାଳିତ ସମ୍ ନର୍ସିଂ କଲେଜ-୨ର (୨୦୨୪-୨୮) ବିଏସ୍ସି ନର୍ସିଂ ପ୍ରଥମ ବ୍ୟାଚର ଶନିବାର ଲ୍ୟାମ୍ପ ଲାଇଟିଂ ଏବଂ ଓଥ୍ ଟେକିଂ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଦାସ ।
ଶ୍ରୀମତି ଦାସ କହିଛନ୍ତି ଯେ, ଲ୍ୟାମ୍ପ ଲାଇଟିଂ ସମାରୋହ ମାଧ୍ୟମରେ ସେବିକାମାନେ ନର୍ସିଂ ଭଳି ମହାନ ବୃତ୍ତିରେ ପ୍ରବେଶ କରିଥାନ୍ତି । ଏହା ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟ । ଏହି ଶପଥ ପାଠ ସେମାନଙ୍କୁ ଯତ୍ନ ଏବଂ ସେବାର ମନ୍ତ୍ର ପ୍ରଦାନ କରିବ ବୋଲି ଶ୍ରୀମତି ଦାସ କହିଛନ୍ତି । ଏହି ଅବସରରେ ଆଡିସ୍ନାଲ୍ ଡାଇରେକ୍ଟର ଡିଏମ୍ଇଟି ଡକ୍ଟର ଉମାକାନ୍ତ ଶତପଥୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ମନୋଭାବ ଏବଂ ପଥକୁ ପାଥେୟ କରି ଶିକ୍ଷା ଗ୍ରହଣ କରିବା ସହ ନିଜ ବୃତ୍ତିରେ ଆଗେଇବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓଏନ୍ଏମ୍ଇବିର ସେକ୍ରେଟାରୀ ବାସନ୍ତି ବେହେରା, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜ- ୨ର କୋଅର୍ଡିନେଟର ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏସ୍ଏନ୍ସିର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ଶପଥ ଗ୍ରହଣ କରିଥିଲେ ।