ଭୁବନେଶ୍ୱର,୦୬/୦୯: ରାଜ୍ୟର ଓବିସି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୧.୨୫  ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଗତ ମେ  ୧୪ ତାରିଖ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି  ନିଆଗଲା । ଏଥିପାଇଁ କୌଣସି ସରକାରୀ ବିଜ୍ଞପ୍ତି  ଏପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ । ବର୍ତ୍ତମାନ ମେଡିକାଲ୍‌ ନାମଲେଖା ଶେଷ ପର୍ଯ୍ୟାୟରେ ।  ଫଳରେ ଚଳିତ ଶିକ୍ଷାବର୍ଷ (୨୦୨୫-୨୬)ରେ  ରାଜ୍ୟ ଓବିସି ବର୍ଗ ଛାତ୍ରଛାତ୍ରୀ ମେଡିକାଲ୍‌ ଓ  ଇଞ୍ଜିନିୟରିଂ ନାମଲେଖାରେ ସଂରକ୍ଷଣ ସୁବିଧା  ହରାଇବାକୁ ଯାଉଛନ୍ତି ବୋଲି ରାଜ୍ୟ ଓବିସି ଫୋରମ୍‌ ଅଧ୍ୟକ୍ଷ ରବି ବେହେରା ଅଭିଯୋଗ  କରିଛନ୍ତି ।

ପୂର୍ବରୁ ୧୮୧୩ଟି ମେଡିକାଲ୍‌ ସିଟ୍‌ରେ  ଓବିସି ଛାତ୍ରଛାତ୍ରୀମାନେ ୨୦୪ଟି ସିଟ୍‌ରେ  ନାମଲେଖାରୁ ବଞ୍ଚିତ ହେଉଥିଲା ବେଳେ ଗତ ୨ ଦିନ ତଳେ ଫୁଲବାଣୀ ଓ ତାଳଚେର ମେଡିକାଲ୍‌ କଲେଜରେ ୧୦୦, ୧୦୦ କରି ୨୦୦  ସିଟ୍‌ରେ ନାମଲେଖା ହେବ । ଏହି ୨୦୦ ସିଟ୍‌ରେ  ଓବିସିମାନେ ୨୨.୫ଟି ସିଟ୍‌ ଅର୍ଥାତ୍‌ ମୋଟ୍‌ରେ ୨୨୬ଟି ସିଟ୍‌ ହରାଇବେ ବୋଲି ଶ୍ରୀ ବେହେରା  କହିଛନ୍ତି । ତେଣୁ ସରକାର ତୁରନ୍ତ ମେଡିକାଲ୍‌  ଓ ଇଞ୍ଜିନିୟରିଂ ଶିକ୍ଷାରେ ୨୦୨୫-୨୬ ଶିକ୍ଷା  ବର୍ଷରୁ ୧୧.୨୫% ସଂରକ୍ଷଣ ଦେବାପାଇଁ ବିଜ୍ଞପ୍ତି  ପ୍ରକାଶ କରିବାକୁ ଓବିସି ଫୋରମ୍‌ ଦାବି କରିଛି ।