କଟକ,୧୯/୦୨: ଗାଡ଼ିଚାଳକରୁ ସାଇଡ୍ଆର୍ମ ଥ୍ରୋୟର୍ ଭାବେ ଝାଡ଼ଖଣ୍ଡ ରଣଜୀ ଦଳରେ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବା ଉତ୍ତମ ମହାନ୍ତି ଜୀବନର ଲକ୍ଷ୍ୟ ପୂରଣ କରିଛନ୍ତି । ଝାଡ଼ଖଣ୍ଡ ଦଳ ସହିତ ଭାରତୀୟ ଓପନର୍ ଇଶାନ କିଷନଙ୍କ ବ୍ୟକ୍ତିଗତ ଥ୍ରୋୟର୍ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଆଇପିଏଲ୍ରେ ସୁଯୋଗ ପାଇଛନ୍ତି । ସନ୍ରାଇଜର୍ସ ହାଇଦ୍ରାବାଦ୍ ତାଙ୍କୁ ଦଳରେ ସାମିଲ କରିଛି । ଖୁବ୍ ଶୀଘ୍ର ସେ ଟିମ୍ରେ ଯୋଗ ଦେବେ ।
ଦେଉଳସାହି ନିବାସୀ ମଧୁସୂଦନ ମହାନ୍ତି ଓ ସଂଯୁକ୍ତା ମହାନ୍ତିଙ୍କ ପୁଅ ୩୭ ବର୍ଷୀୟ ଉତ୍ତମ ଛୋଟବେଳୁ କ୍ରିକେଟପ୍ରିୟ ଥିଲେ । ଟେନିସ୍ ବଲ୍ କ୍ରିକେଟରେ ତାଙ୍କର ରୁଚି ରହିଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଟେନିସ୍ ବଲ୍ ଖେଳି ବେଶ୍ ପରିଚିତ ଥିଲେ । କିନ୍ତୁ ଟେନିସ୍ ବଲ୍ ଖେଳରୁ ପେଟ ପୋଷିବା ମୁସ୍କିଲ୍ ଥିଲା । ନିଯୁକ୍ତି ନଥିବାରୁ ଡ୍ରାଇଭିଂ କରି ପରିବାର ଚଳାଉଥିଲେ । କରୋନା ସମୟରେ ଗାଡ଼ିମୋଟର ଗଡ଼ିବା ବନ୍ଦ ହେବା ପରେ ଆର୍ଥିକ ଅନାଟନ ଉତ୍ତମଙ୍କ ଚିନ୍ତା ବଢାଇଥିଲା । ବିଡ଼ାନାସୀ ଖେଳ ପଡିଆରେ ନିଜ ବନ୍ଧୁଙ୍କ ସହ ସାଇଡ୍ ଆର୍ମର୍ ପକାଇବା ଆରମ୍ଭ କରିଥିଲେ । ଓଡ଼ିଶା ରଣଜୀ ଦଳର କିଛି ଖେଳାଳିଙ୍କୁ ବଲ୍ ଫିଙ୍ଗିବା ପରେ ଏ ବାବଦରେ ଟେକ୍ନିକ୍ ପାଇ ଯାଇଥିଲେ ଉତ୍ତମ ।
ଆହୁରି ପଢ଼ନ୍ତୁ :- ବାରବାଟୀରେ ବଧିର କ୍ରିକେଟ ଏସିଆ କପ୍; ଆଜି ଭାରତ-ଶ୍ରୀଲଙ୍କା ଉଦ୍ଘାଟନୀ ମ୍ୟାଚ
ଦୁଇବର୍ଷ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ ଦଳର ଏକ କ୍ୟାମ୍ପ୍ ହେଉଥିବା ଖବର ପାଇ ସେଠାକୁ ଯାଇ ଟ୍ରାଏଲ୍ସ ଦେଇଥିଲେ ଉତ୍ତମ । ବଲ୍ ଫିଙ୍ଗିବା ଶୈଳୀ ଓ ପେସ୍କୁ ଦେଖି ପ୍ରଭାବିତ ହୋଇଥିଲେ ଝାଡଖଣ୍ଡ ଦଳର ଖେଳାଳି । ବିଶେଷ କରି ଅଧିନାୟକ ଇଶାନ୍ କିଶନ୍ଙ୍କୁ ଉତ୍ତମଙ୍କ ବଲ୍ ଫିଙ୍ଗିବା ଶୈଳୀ ଭଲ ଲାଗିଥିଲା । ଝାଡ଼ଖଣ୍ଡ ଦଳରେ ନିଯୁକ୍ତି ପାଇବା ସହ ଦଳର କ୍ୟାମ୍ପ୍ରେ ରହି ଅଭ୍ୟାସ କରାଇବା ଆରମ୍ଭ କରିଥିଲେ । ଏବେ କିଷନ୍ ଭାରତୀୟ ଦଳରେ ଖେଳୁଥିବା ବେଳେ ଉତ୍ତମଙ୍କୁ ଆଇପିଏଲରେ କାମ କରିବାର ସୌଭାଗ୍ୟ ମିଳିଛି ।