ଭୁବନେଶ୍ୱର ୩୦/୦୭: ସିନେପ୍ରେମୀଙ୍କୁ ଦଶହରାରେ ଏକ ସୁନ୍ଦର ଭେଟି ଦେବାକୁ ଯାଉଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ସାହୁ । ଏହି ଭେଟି ହେଉଛି ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଚ୍ୟାଲେଞ୍ଜ’ । ପୂର୍ବରୁ ଅର୍ଦ୍ଧେନ୍ଦୁ ‘ବ୍ଲାକମେଲ’, ‘ଅ ଆ  ହର୍ଷେଇ’ ସହିତ ‘ଭିଲେନ୍‌’ ଭଳି ଆକ୍ସନ ଭର୍ତ୍ତି  ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ଦର୍ଶକଙ୍କର ବହୁତ ମନୋରଞ୍ଜନ କରିଛନ୍ତି । ଅଳ୍ପଦିନ ତଳେ ‘ଚ୍ୟାଲେଞ୍ଜ’ର  ଫାଷ୍ଟ ଲୁକ୍‌ ମୁକ୍ତିଲାଭ  କରିଛି । ‘ଚ୍ୟାଲେଞ୍ଜ’ ଚଳଚ୍ଚିତ୍ରରେ ଆକ୍ସନ ସହିତ ଫ୍ୟାମିଲି ଡ୍ରାମା ମଧ୍ୟ ଭରି ରହିଛି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହା ଷଷ୍ଠ ଚଳଚ୍ଚିତ୍ର ।  

‘ଚ୍ୟାଲେଞ୍ଜ’ରେ କିଛି  ନୂଆ କରିବା ପାଇଁ  ସେ ବଲିଉଡର ନାମୀ କଳାକାର ପୁନିତ ଇସାରଙ୍କୁ ଆଣିଛନ୍ତି । ପୁନିତ ବିଆର୍‌ ଚୋପ୍ରାଙ୍କ ‘ମହାଭାରତ’ରେ  ଦୁର୍ଯ୍ୟୋଧନ ଚରିତ୍ରରେ ଅଭିନୟ କରି ବେଶ୍‌ ପ୍ରସିଦ୍ଧି ହାସଲ କରିଛନ୍ତି। ‘ଚ୍ୟାଲେଞ୍ଜ’ର ମୁଖ୍ୟ ନାୟିକା ଭାବେ ନଜର ଆସିବେ ଏଲିନା ସାମନ୍ତରାୟ । ମ୍ୟୁଜିକ୍‌  ଭିଡିଓ ‘ଜାଇଫୁଲ’ର ସଫଳ ଯୋଡ଼ି ଲିପି ଓ ପୁପିନ୍ଦରଙ୍କୁ ଏକ ବିଶେଷ  ଭୂମିକାରେ ଦେଖିବାକୁ ମିଳିବ । ସାଇ  କିରଣ ମଙ୍ଗରାଜ ‘ଚ୍ୟାଲେଞ୍ଜ’ର ନିର୍ଦ୍ଦେଶନା ଦେଇଥିବାବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ।