କଟକ ୧୫/୧୨: ଓଡ଼ିଆ, ହିନ୍ଦୀ ଓ ତେଲୁଗୁ - ଏ ତିନି ଭାଷାରେ ପ୍ରେକ୍ଷାଳୟକୁ ଆସିବ ଓଡ଼ିଆ ସିନେମା  ‘ପରବ’ । ହଲ୍‌ ରିଲିଜ ପରେ ଏହା ଓଟିଟିରେ ମଧ୍ୟ ଆସିବ, ଯାହାକୁ ନେଇ ଜଣାଶୁଣା ପାନ-ଇଣ୍ଡିଆ ଷ୍ଟୁଡିଓ ପାନୋରମା ଷ୍ଟୁଡ଼ିଓ ସହ ହାତ ମିଳାଇଛନ୍ତି ନିର୍ମାତା ଦୀପେନ୍ଦ୍ର ସାମଲ। ସାରା ଦେଶରେ ୨୦୦ ସ୍କ୍ରିନରେ ଫିଲ୍ମ ରିଲିଜ ହେବ ବୋଲି କହିଛନ୍ତି ସେ । ଏହା  ଦ୍ୱାରା ବର୍ତ୍ତମାନ ପାନ ଇଣ୍ଡିଆରେ ଓଡ଼ିଆ ଚଳଚ୍ଚିତ୍ରକୁ ସ୍ୱୀକୃତି ମିଳିବା ନେଇ ଆଶାବ୍ୟକ୍ତ  କରିଛନ୍ତି ନିର୍ମାତା । 

ସେ କହିଛନ୍ତି, ‘ଆମର ଯାହା ଯୋଜନା ଥିଲା ଯେ ‘ପରବ’କୁ ଆମେ  ସେହି ସ୍ତରରେ ପହଞ୍ଚାଇବୁ । ସେ ନେଇ ଆମେ ଗୋଟିଏ ପାଦ ଆଗେଇଛୁ । ଆମେ  ଚାହୁଁଛୁ ଡିସେମ୍ବର ୨୦ରେ ‘ପରବ’କୁ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଏକାସାଙ୍ଗେ ରିଲିଜ  କରିବୁ ।’ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ  ଚୌଧୁରୀ । ଏ ଦୁଇ କଳାକାରଙ୍କ ସହିତ ଦୀପନ୍ୱିତ, ସୂର୍ଯ୍ୟମୟୀ, ଚୌଧୁରୀ ଜୟପ୍ରକାଶ  ଦାସ ପ୍ରମୁଖ ଅନ୍ୟାନ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଜେପି ମୋସନ ପିକ୍‌ଚର୍ସ  ବ୍ୟାନରରେ ନିର୍ମାଣାଧୀନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ  ଦାସ । ଏହାର ପ୍ରଚାର  ପ୍ରସାର ସହ କ୍ରିଏଟିଭ୍‌  ହେଡ୍‌ ଅଛନ୍ତି ପ୍ରଣୟ  ଜେଠୀ । ‘ପରବ’  ଓଡ଼ିଶାର ସୀମା ବିବାଦ  ଓ ସମ୍ବେଦନଶୀଳ  ବିଷୟକୁ ଆଧାର କରି  ନିର୍ମିତ ହୋଇଛି ।