ଭୁବନେଶ୍ୱର,୧୫/୦୧: ଚାଷରୁ ଲାଗୁଛି ଏଥର ମାଣ୍ଡିଆ ଭଲ ହେଇଛି । କିନ୍ତୁ ଅମଳ ପରେ ଜଣାପଡ଼ିବ । ଜମି ମାଲିକ ବି କହିସାରିଲେଣି କେବେ ଫସଲ କାଟିବେ । ତେଣୁ ଲାଗୁଛି ଏଥର ଅମଳ ପ୍ରବଳ ହେବ । କାହିଁକି ନା ଇନ୍‌ଫାଇସନ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ବହୁ ପ୍ରତିକ୍ଷିତ ଓଡ଼ିଆ ସିନେମା ‘ଦ ମିଲେଟ୍ ଡାଏରୀ’ ଆସନ୍ତା ରଜ ଉପଲକ୍ଷେ ଜୁନ୍ ୧୨ରେ ବଡ଼ ପରଦାରେ ମୁକ୍ତିଲାଭ କରୁଛି । ଟିଜର ସୋସିଆଲ୍ ମିଡିଆରେ ଦର୍ଶକଙ୍କ ମହଲରେ ଉତ୍ସାହ ସୃଷ୍ଟି ସହ ପ୍ରଶଂସା ସାଉଁଟି ଚାଲିଥିଲା ବେଳେ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଦାବି, ମାଣ୍ଡିଆ ପରି ‘ମିଲେଟ୍ ଡାଏରୀ’ ସ୍ୱାସ୍ଥ୍ୟକର ଓ ରୁଚିକର ହେବ । ପରଦାରେ ଦର୍ଶକଙ୍କ ମନ ଜିଣିବ ।

ଏହା କେବଳ ଏକ ସିନେମା ନୁହେଁ, ଏଥିରେ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ରହିଛି । କବିରାଜ, ମାଣ୍ଡିଆ ପଛର ଇତିହାସ ଏବଂ ତା’ ଭିତରେ ଏକ ସୁନ୍ଦର ପ୍ରେମ କାହାଣୀ । ଯାହା ଚିରାଚରିତ ଧାରାଠୁ ଭିନ୍ନ ସ୍ୱାଦ ଦେବ ଠିକ୍ ମାଣ୍ଡିଆ ଭଳି । ଅତୀତର ସେହି ସମୟକୁ ନେଇଯିବ ଯେଉଁଠି ମାଣ୍ଡିଆ ଶସ୍ୟ ନଥିଲା, ବରଂ ଥିଲା ସଭ୍ୟତାର ପରିଚୟ । ଅନନ୍ୟ ପ୍ରେମ କାହାଣୀ: ସଂଗ୍ରାମ ଭିତରେ ସମସାମୟିକ କାଳଚକ୍ରର ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏବଂ ଜଣାଶୁଣା ଓ ଦକ୍ଷ କଳାକାର ଅଭିନୟ ଚଳଚ୍ଚିତ୍ରକୁ ଅଧିକ ଭାବପୂର୍ଣ୍ଣ କରିବ । ବିଭିନ୍ନ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ ରାଜେଶ, ଶ୍ରୀତମ ଦାସ, କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, ସନ୍ତୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା ପ୍ରମୁଖଙ୍କୁ ଦେଖିବାକୁ ପାଇବେ ।

 

ପରଦା ପଛର ସାରଥୀ ଭାବେ ଏହି ଭିନ୍ନଧର୍ମୀ ସିନେମାକୁ ସୁନ୍ଦର ଏବଂ ବଳିଷ୍ଠ କରିଛନ୍ତି ଓଡ଼ିଶାର ଦକ୍ଷ ଓ ବୈଷୟିକ ଟିମ୍ । ଯେଉଁମାନଙ୍କ ମଧ୍ୟରେ ପ୍ରଯୋଜନା ଓ କାହାଣୀରେ ଜେଆର୍ଏମ୍, ନିର୍ଦ୍ଦେଶନାରେ ରାଜେନ୍ଦ୍ର ମହାନ୍ତ, ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଷୋୟୀ ଏବଂ ଉତ୍ତମ କୁମାର, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ୍ ଆନନ୍ଦ, ସିନେମାଟୋଗ୍ରାଫି ବିଶ୍ୱଜିତ୍ କୁଲ୍ଡି ଏବଂ ଈଶ୍ୱର ବାରିକ, ସମ୍ପାଦନା ରାଜେଶ ଦାଶ ଓ ପୋଷ୍ଟ ପ୍ରଡକ୍ସନ୍ ବିଶ୍ୱଜିତ୍ ପାଇଟଲ୍ କରିଛନ୍ତି । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ । ସିନେମା ପ୍ରେମୀଙ୍କ ପାଇଁ ନିଶ୍ଚିତ ଖୁସି ଖବର, ଚଳିତ ରଜରେ ମାଟିର ଇତିହାସ ଏବଂ ହୃଦୟସ୍ପର୍ଶୀ କାହାଣୀ ସହ ଦର୍ଶକ ଭରପୂର ମନୋରଞ୍ଜନ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଫିଲ୍ମର ଟିଜର୍ ରିଲିଜ୍ରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।