ଭୁବନେଶ୍ୱର,୦୭/୦୪: ଆସନ୍ତା  ସପ୍ତାହରେ ଓଡ଼ିଆ ନବ ବର୍ଷ ପାଳନ ହେବ । ତେବେ ଏହା ପୂର୍ବରୁ ବିଜୁ  ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସରିବାକୁ ଯାଉଛି । ନୂଆ ରାଜ୍ୟ କମିଟି ସହ ଜିଲ୍ଲାରେ ବି ଦାୟିତ୍ୱ ନେବେ ବିଜେଡି ନେତା । ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ  ନେଇ ଆଜି ଅପରାହ୍ନ ୪ଟା  ୩୦ରେ ଶଙ୍ଖ ଭବନରେ ଜିଲ୍ଲା ନିର୍ବାଚନ  ଅଧିକାରୀଙ୍କ ସମେତ ଏଆର୍‌ଓମାନଙ୍କ  ବୈଠକ ହେବାକୁ ଯାଉଛି । 

ବିଜେଡି ନେତାମାନେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ସଭାପତି ଭାବେ ପାଇବାକୁ ଇଚ୍ଛା ପ୍ରକାଶ କରି ତାଙ୍କ ନେତୃତ୍ୱରେ ସଙ୍ଗଠନକୁ ଆଗେଇବାକୁ  ରଣନୀତି ପ୍ରସ୍ତୁତ କରିଛନ୍ତି । ଦଳର ସଭାପତି ନିର୍ବାଚନ ସହ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ରାଜ୍ୟ ପରିଷଦ  (ଷ୍ଟେଟ୍‌ କାଉନସିଲ) ସଦସ୍ୟ ବି  ନିର୍ବାଚିତ ହେବେ । ଜିଲ୍ଲା ନିର୍ବାଚନ  ଅଧିକାରୀମାନଙ୍କୁ ଚିଠି କରି ବୈଠକରେ  ଉପସ୍ଥିତ ରହିବାକୁ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ  ଅବଗତ କରିଛନ୍ତି । ଏହି ବୈଠକରେ  ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ  ଏଆରଓମାନଙ୍କ ତାଲିକା ସହ ଫୋନ  ନମ୍ୱର ଓ ଠିକଣା ସହ ପୌର,  ପଞ୍ଚାୟତ, ୱାର୍ଡ ସଭାପତି, ବ୍ଳକ  ସଭାପତିମାନଙ୍କ ଫୋନ ନମ୍ୱର ଏବଂ  ଠିକଣା ଦାଖଲ କରିବେ । 

ଫେବ୍ରୁଆରୀ  ପ୍ରଥମ ସପ୍ତାହରେ ଡିଆର୍‌ଓ ବା  ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ  ହୋଇଥିଲେ । ସେମାନେ ଜିଲ୍ଲା  ସଭାପତି ନିର୍ବାଚିନ ପ୍ରକ୍ରିୟା ଆଗେଇ  ନେଇଛନ୍ତି । ଡିଆର୍‌ଓ ନିଯୁକ୍ତିର ୧୦  ଦିନ ପରେ ବିଧାନସଭା ନିର୍ବାଚନ  ଅଧିକାରୀ ବା ଏଆର୍‌ଓ ନିଯୁକ୍ତି ପାଇ  ପଞ୍ଚାୟତ ଓ ପୌର ସଭାପତି ନିର୍ବାଚନ  ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । ଜିଲ୍ଲା  ସଙ୍ଗଠକମାନଙ୍କ ସହ ଆଲୋଚନା  କରି ଦକ୍ଷ ନେତାଙ୍କୁ ଜିଲ୍ଲା ସଭାପତି  କରାଯିବ । ଦଳ ସମ୍ୱିଧାନ ଅନୁସାରେ  ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି ବୋଲି  ବିଜେଡିର ବରିଷ୍ଠ ନେତା ସୂଚନା  ଦେଇଛନ୍ତି ।