ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରାବିଶ୍ୱରେ ଯେଉଁ ପାରମ୍ପରିକ ନୂଆବର୍ଷ ପାଳନ କରାଯାଉଛି ସେହି ଅବସରରେ ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେକରୁଛି । ଏଭଳି ପାରମ୍ପରିକ ନବବର୍ଷ ଉତ୍ସବ ପାଳନ “ଏକ ଭାରତ ଶ୍ରେଷ୍ଠ ଭାରତ’ ମାନସିକତାକୁ ପ୍ରତିଫଳିତ କରେ । ଏହି ଶୁଭ ଅବସରଗୁଡ଼ିକ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ । ଏହି ପର୍ବଗୁଡ଼ିକ ଆମ ସଂସ୍କୃତିର ବିଭିନ୍ନତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼ କରୁ ।
ଚୈତ୍ର(ଚିଥିରାଇ) ମାସ ହେଉଛି ସେହି ସମୟ, ଯେତେବେଳେ କୃଷି କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ଚାଷୀମାନେ ଜମିକୁ ଉର୍ବର କରିବା ପାଇଁ କ୍ଷେତରେ କାମ କରିବା ଆରମ୍ଭ କରନ୍ତି । ଯେହେତୁ ଆମ ଦେଶର ଲୋକମାନେ ବିଶ୍ୱାସ କରନ୍ତି ଯେ, କଠିନ ପରିଶ୍ରମ ହିଁ ପ୍ରଗତିର ମାର୍ଗ ପ୍ରଶସ୍ତ କରେ, ତେଣୁ ସେମାନେ ଶ୍ରମର ଆରମ୍ଭକୁ ହିଁ ଏକ ଉତ୍ସବ ଭାବରେ ପାଳନ କରନ୍ତି । ସମଗ୍ର ଦେଶରେ ଆମେ ଏହିଭଳି ଅନେକ ସମାନ ଉତ୍ସବ ଦେଖିବାକୁ ପାଉ, ଯାହା ଭାରତର ଏକତା ଏବଂ ସମୃଦ୍ଧ ସାଧାରଣ ସଂସ୍କୃତିର ଜ୍ୱଳନ୍ତ ଉଦାହରଣ ଅଟେ । ଏହି ପରମ୍ପରାଗୁଡ଼ିକ ଆମକୁ ପରସ୍ପର ସହ ଯୋଡ଼ିବା ସହ ଶ୍ରମ ଓ ସୃଜନଶୀଳତା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଶିକ୍ଷା ଦିଏ ।
ଉତ୍ତର ଭାରତ, ବିଶେଷକରି ପଞ୍ଜାବର ଲୋକମାନେ ବୈଶାଖୀକୁ ଏକ ଅମଳର ପର୍ବ ଭାବରେ ବହୁତ ଉତ୍ସାହର ସହ ପାଳନ କରନ୍ତି । ଏହି ସମୟରେ କୃଷକମାନେ ସେମାନଙ୍କର କଠିନ ପରିଶ୍ରମର ଫଳସ୍ୱରୂପ ପାଚିଲା ଫସଲକୁ ଦେଖି ଆନନ୍ଦିତ ହୁଅନ୍ତି । ସେହିପରି ଦକ୍ଷିଣ ଭାରତରେ, କେରଳର ଲୋକମାନେ ବିଷୁ ପର୍ବ ପାଳନ କରନ୍ତି । ଏହି ପର୍ବରେ ଶୁଭ ବସ୍ତୁ ବା ‘କାନି’ ଦର୍ଶନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା, ଯାହା ଆଗାମୀ ବର୍ଷ ପାଇଁ ସମୃଦ୍ଧିର ସଙ୍କେତ ବୋଲି ବିଶ୍ୱାସ କରାଯାଏ । ଅନ୍ୟପଟେ, ଆସାମର ଲୋକମାନେ ବିହୁ ପର୍ବ ପାଳନ କରୁଥିବାବେଳେ ପଶ୍ଚିମବଙ୍ଗରେ ପୋଇଲା ବୈଶାଖକୁ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଏ । ଏହି ସମସ୍ତ ପର୍ବ ଆମ ଦେଶର ସାଂସ୍କୃତିକ ବିବିଧତା ଏବଂ ଏକତାର ଏକ ସୁନ୍ଦର ଝଲକ ପ୍ରଦାନ କରିଥାଏ ।
ଅନୁରୂପ ଭାବରେ, ମଣିପୁର, ତ୍ରିପୁରା, ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା ଏବଂ ରାଜସ୍ଥାନର ଲୋକମାନେ ନବବର୍ଷର ଏହି ଅବଧିକୁ ବିଭିନ୍ନ ପାରମ୍ପରିକ ଉତ୍ସବ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଥାଆନ୍ତି । ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଏହି ଅବସରରେ ସାରାଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପବିତ୍ର ଗଙ୍ଗାନଦୀରେ ସ୍ନାନ କରିଥାଆନ୍ତି ଏବଂ ତାହା ସେମାନଙ୍କ ପାଇଁ ଏହି ଅବସରଟିକୁ ଦିବ୍ୟଭାବରେ ମନାଇବାର ଏକ ମାଧ୍ୟମ ବୋଲି ବିବେଚନା କରାଯାଇଥାଏ । ତେଲୁଗୁ ଭାଷାଭାଷୀ ଲୋକମାନେ ସେମାନଙ୍କର ନୂଆବର୍ଷକୁ ଉଗାଡ଼ି ପର୍ବ ଭାବେ ପାଳନ କରିଥାଆନ୍ତି, ଯେତେବେଳେ କି ମରାଠୀ ଓ କୋଙ୍କଣୀ ଲୋକମାନେ ଏହି ନବବର୍ଷ ଅବସରକୁ ଗୁଡ଼ି ପାଡ଼ୱା ଭାବରେ ମନାଇଥାଆନ୍ତି ।
ଆମେ ଜାଣୁ, ଆମେ ଏକ ପ୍ରାଚୀନ ସଭ୍ୟତାରଅଂଶବିଶେଷ ଏବଂ ଏହା ହେଉଛି ଆମର ସମୃଦ୍ଧଐତିହ୍ୟ । ଏଥିରେ ବୈଜ୍ଞାନିକସମ୍ମତ ଅନେକ ଧାରାରହିଛି ବୋଲି ଆମର ପୂର୍ବଜମାନେ ଆମକୁ କହିଛନ୍ତି ।ସେମାନଙ୍କର ସୂକ୍ଷ୍ମ ଧାରଣାଟି ଥିଲା ଯେ, ନୂଆବର୍ଷଉତ୍ସବ ପାଳନ ଏକ ଜାଗତିକ ଭାବଧାରାକୁ ପ୍ରତିଫଳିତକରିଥାଏ । ଅନୁରୂପ ଭାବରେ, ତାମିଲ ନବବର୍ଷ ମଧ୍ୟଏକ ଉଲ୍ଲେଖନୀୟ ଅବସର ଯେତେବେଳେ ଆମପୂର୍ବଜମାନଙ୍କ ଜ୍ଞାନକୁ ଆମେ ମନାଇଥାଉ । ଏହା ଏଭଳିଏକ ଉତ୍ସବ ଯାହା ମାଧ୍ୟମରେ ଆମେ ପରମ୍ପରା, ପରିବାର,ଆଧ୍ୟାତ୍ମିକତା ଏବଂ ଶୃଙ୍ଖଳିତ ଜୀବନଧାରା ପ୍ରତିଫଳିତହୋଇଥାଏ । ଏହା ଏକ ନୂତନ ଅୟମାରମ୍ଭର ସୂତ୍ରପାତଘଟାଇଥାଏ । ଏହା ଆମକୁ ନୂତନ ଆଶା ସହିତ ଆଗକୁଅଗ୍ରସର ହେବାରେ ସହାୟକ ହୋଇଥାଏ, ଯାହାକିଅତୀତର ଅନୂଭୂତି ଉପରେ ଆଧାରିତ ।
ଆଜି ଆମେମାନେ ଯେତେବେଳେ ବୈଶ୍ୱିକ କ୍ୟାଲେଣ୍ଡର ବ୍ୟବହାର କରୁଛୁ, ଆମକୁ ଏକଥା ମଧ୍ୟ ଅବଶ୍ୟ ସ୍ମରଣ ରଖିବାକୁ ହେବ ଯେ ଆମର ତାମିଲ କ୍ୟାଲେଣ୍ଡର, ଯାହାକି ଅତି ଅଭିନବ ଭାବେ ପ୍ରସ୍ତୁତ କରାଯାଇଛି, ସେଥିରେ କେବଳ ଦିନ ଅବା ମାସର ନାମ ସୂଚିତ ହୋଇନାହିଁ ବରଂ ବର୍ଷଗୁଡ଼ିକର ନାମ ମଧ୍ୟ ରହିଛି । ଏହିଭଳି ମୋଟ୍ ୬୦ଟି ବର୍ଷର ନାମ ଅଛି ଏବଂ ଚଳିତ ବର୍ଷ, ଯାହାର ନାମ “ପରାଭବ’, ଏହି ଚକ୍ରର ୪୦ତମ ବର୍ଷ ଅଟେ ।
ଆଷ୍ଟ୍ରୋନୋମି (ଜ୍ୟୋତିର୍ବିଜ୍ଞାନ) ଶବ୍ଦଟି ଗ୍ରୀକ ଭାଷାରୁ ଆସିଛି, ଯାହା ହେଉଛି ଆକାଶର ତାରକାମାନଙ୍କର ଚଳନର ନିୟମ ସମ୍ପର୍କରେ ଅଧ୍ୟୟନ କରିବା । ତାମିଲରେ ଏହାକୁ “ଭାନିୟାଲ’ ବୋଲି କୁହାଯାଏ । ଆଜିକୁ ହଜାର ହଜାର ବର୍ଷ ପୂର୍ବେ ତାମିଲ ବିଦ୍ୱାନମାନେ ଉତ୍ତମରୂପେ ବୁଝିପାରିଥିଲେ ପୃଥିବୀ ହେଉଛି ଗୋଲାକାର ବୃତ୍ତସଦୃଶ ଏବଂ ଏହା ମହାକାଶରେ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରମାନଙ୍କ ଚଳନ ତଥା ସେମାନଙ୍କର ପୃଥିବୀ ଉପରେ ପ୍ରଭାବ ରହିଛି, ଯାହାକୁ ସେମାନେ ଅଧ୍ୟୟନ କରିଥିଲେ ।
ପ୍ରାଚୀନ ତାମିଲ ସାହିତ୍ୟ ଯଥା ପଥିତ୍ରୁପାଠୁରେ ବିଶ୍ୱବ୍ରହ୍ମାଣ୍ଡର ସ୍ୱଭାବ ଏବଂ ଗତିବିଧି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ବିଭିନ୍ନ ଗୀତରେ ବର୍ଣ୍ଣନା କରାଯାଇଛି ଏହି ବିଶ୍ୱ କିପରି ମୂଳ ପାଞ୍ଚଟି ଉପାଦାନରୁ ଗଠିତ ହୋଇଛି ଏବଂ ଜାଗତିକ ଶକ୍ତି କିପରି ଏହାର ଚଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ନିୟନ୍ତ୍ରଣ କରୁଛନ୍ତି । “ସିରୁପନାରୁପାଦାଇ’ ଭଳି ଅନ୍ୟାନ୍ୟ କୃତିରେ ମଧ୍ୟ ଗ୍ରହ ନକ୍ଷତ୍ରମାନଙ୍କ ଗତିବିଧି ଓ ଚଳନ ସମ୍ପର୍କରେ ବର୍ଣ୍ଣନାମାନ ରହିଛି ।
ସଙ୍ଗମ ସାହିତ୍ୟରେ ଗ୍ରହ ଏବଂ ତାରକାମାନଙ୍କ ସମ୍ପର୍କରେ ଅନେକ ସ୍ଥାନରେ ଉଲ୍ଲେଖ ରହିଛି । ଉଦାହରଣ ସ୍ୱରୂପ ଶନିଙ୍କୁ କଳା (ମୈମ୍ମିନ) ବୋଲି ପୁରାନାନୁରୁରେ ବର୍ଣ୍ଣନା କରାଯାଇଛି । ସେହିଭଳି ଏହିସବୁ ଖଗୋଳୀୟ ଗ୍ରହନକ୍ଷତ୍ରମାନଙ୍କ ପ୍ରଭାବକୁ ଅଧ୍ୟୟନ କରିବାର ପରମ୍ପରା ସହିତ ସଂପୃକ୍ତ ଲୋକମାନଙ୍କୁ “କନିୟାନ’ ବୋଲି କୁହାଯାଇଥାଏ । କବି କନିୟାନ ପୁଙ୍ଗୁନ୍ଦ୍ରନାରଙ୍କ ନାମ ଏହି ପରମ୍ପରାରୁ ଆହରଣ କରାଯାଇଥିବା ବିଶ୍ୱାସ କରାଯାଏ । ଏପରିକି ପ୍ରାଚୀନ ଗ୍ରନ୍ଥ “ଟୋଲକପିୟାମ’ରେ ଜ୍ଞାନୀ ବ୍ୟକ୍ତିମାନଙ୍କୁ “ଅରିଭର’ ବୋଲି ଉଲ୍ଲେଖ କରାଯାଇଛି । “ଆକାନାନୁରୁ’ ଭଳି ସାହିତ୍ୟ ସୂଚନା ପ୍ରଦାନ କରେ ଯେ ଶୁଭ ଉତ୍ସବାନୁଷ୍ଠାନ ଯଥା ବିବାହ ଭଳି କାର୍ଯ୍ୟ ଶୁଭଦିନ ଏବଂ ମାହେନ୍ଦ୍ର ମୁହୂର୍ତ୍ତରେ ସମ୍ପାଦନ ନିମନ୍ତେ ଧାର୍ଯ୍ୟ କରାଯାଉଥିଲା ।
ଏହି ପରମ୍ପରା ତାମିଲନାଡ଼ୁରେ ଆଜିସୁଦ୍ଧା ଅବ୍ୟାହତ ରହିଛି । ଚିଥିରାଇର ପ୍ରଥମ ଦିବସରେ ମନ୍ଦିରରେ ପଞ୍ଚାଙ୍ଗ(ପାଞ୍ଜି) ପଢ଼ାଯାଉଥିଲା ଏବଂ ଏହାକୁ ଶୁଣିବା ଲାଗି ଲୋକମାନେ ରୁଣ୍ଡ ହେଉଥିଲେ । ପଞ୍ଚାଙ୍ଗ ପାଞ୍ଚଟି ମୁଖ୍ୟ ଉପାଦାନ ବା ତତ୍ତ୍ୱକୁ ନେଇ ଗଠିତ- ବାର, ତିଥି, କରଣ, ନକ୍ଷତ୍ର ଏବଂ ଯୋଗ । ଏହି ପାଞ୍ଚଟି ତତ୍ତ୍ୱର ସମାହାରକୁ ପଞ୍ଚାଙ୍ଗ କୁହାଯାଏ, ଯାହା ଆମ ପାରମ୍ପରିକ ସମୟ ଗଣନାର ଏକ ଅଭିନ୍ନ ଅଙ୍ଗ ।
ଆମର ପୂର୍ବପୁରୁଷମାନେ ସମୟ ମାପିବା ପାଇଁ ସୌର ଏବଂ ଚନ୍ଦ୍ର ଉଭୟ ପଦ୍ଧତିର ବ୍ୟବହାର କରୁଥିଲେ । ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ଗତିପଥକୁ ଅନୁଧ୍ୟାନ କରି ସେମାନେ ଦିନ, ମାସ ଏବଂ ବର୍ଷର ସୂକ୍ଷ୍ମ ଗଣନା କରିବାରେ ସମର୍ଥ ହୋଇଥିଲେ । ଏହି ପାରମ୍ପରିକ ଜ୍ଞାନକୌଶଳ ଆମର ଜ୍ୟୋତିର୍ବିଜ୍ଞାନର ସମୃଦ୍ଧିକୁ ଦର୍ଶାଇଥାଏ । ଯଦିଓ ଆଧୁନିକ ବିଜ୍ଞାନ ଆଜି ଉନ୍ନତ ଯନ୍ତ୍ରପାତି ସାହାଯ୍ୟରେ ଗ୍ରହଣ ଓ ପରାଗର ସମୟ ନିରୂପଣ କରୁଛି, ମାତ୍ର ପ୍ରାଚୀନ କାଳରେ ମଧ୍ୟ ଏହିଭଳି ମହାକାଶୀୟ ଘଟଣାଗୁଡ଼ିକୁ ଗଭୀର ଭାବେ ଅଧ୍ୟୟନ କରାଯାଉଥିଲା । ସେହି ସମୟର ବିଦ୍ୱାନମାନେ କୌଣସି ଆଧୁନିକ ବୈଷୟିକ ଜ୍ଞାନକୌଶଳ ବିନା ମଧ୍ୟ ଅତ୍ୟନ୍ତ ଠିକ୍ଭାବରେ ଏସବୁର ପୂର୍ବାନୁମାନ କରିପାରୁଥିଲେ । ଆମର ପୂର୍ବଜମାନଙ୍କଠାରୁ ଏହି ପ୍ରାଚୀନ ଜ୍ଞାନ ପିଢ଼ି ପରେ ପିଢ଼ି ଗଡ଼ିଆସିଛି । ଏହା ଆମର ଐତିହ୍ୟ ଓ ସମ୍ପଦ । ଆମକୁ ଏହାକୁ ସଂରକ୍ଷିତ କରି ରଖିବାକୁ ହେବ ଏବଂ ଆମର ଭବିଷ୍ୟତ ବଂଶଧରମାନଙ୍କୁ ମଧ୍ୟ ଏହାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବାକୁ ପଡ଼ିବ । ମନ୍ଦିରରେ ପଢ଼ାଯାଉଥିବା ପଞ୍ଚାଙ୍ଗ ଶ୍ରବଣ ହେଉଛି ଏହି ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ଏକ ପରମ୍ପରା ।
ନୂତନ ବର୍ଷ ପାଳନ କରିବାର ଆଉ ଗୋଟିଏ କାରଣ ହେଉଛି ଆମର ଲୋକମାନଙ୍କ ମନରେ ପ୍ରକୃତି ପ୍ରତି ପ୍ରଗାଢ଼ ସମ୍ମାନ ଏବଂ ଭକ୍ତି ରହିଛି । ଆମ ଘରେ, ପବିତ୍ର ପଦାର୍ଥ ଯଥା ଫଳମୂଳ ଏବଂ ଫୁଲକୁ ଆମେ ସଜାଇ ରଖିଥାଉ ଏବଂ ଦେଖି ଉପଭୋଗ ମଧ୍ୟ କରୁ । ତାହା ହେଉଛି ଏକ ପ୍ରାତ୍ୟହିକ କାର୍ଯ୍ୟ, ଯାହା ସକାଳେ ସମ୍ପାଦନ କରାଯାଇଥାଏ । ବସନ୍ତ ଋତୁ ହେଉଛି ସେହି ସମୟ ଯେତେବେଳେ ପ୍ରକୃତି ନିଜର ନବକଳେବର କରେ ଗଛଲତାଗୁଡ଼ିକ ପୁଣି ଥରେ ସବୁଜିମାରେ ଭରିଯାନ୍ତି ଏବଂ ଚତୁର୍ଦ୍ଦିଗରେ ଫୁଲଫଳର ସମ୍ଭାର ଦେଖିବାକୁ ମିଳେ । ପ୍ରକୃତି ସହ ନିବିଡ଼ ଭାବରେ ଜଡ଼ିତ ରହୁଥିବା ତାମିଲ ସମ୍ପ୍ରଦାୟର ଲୋକମାନେ ଏହି ପ୍ରାକୃତିକ ପ୍ରାଚୁର୍ଯ୍ୟକୁ ଦର୍ଶନ କରି ନୂତନ ବର୍ଷର ଆରମ୍ଭ କରନ୍ତି । ଏହି ସୁନ୍ଦର ପରମ୍ପରାକୁ “କାନି କାନାଲ’ ବୋଲି କୁହାଯାଏ । ଏଥିରେ ଶୁଭବସ୍ତୁ ଓ ପ୍ରକୃତିର ଉପହାରଗୁଡ଼ିକୁ ଦର୍ଶନ କରି ଆଗାମୀ ବର୍ଷଟି ସୁଖ ଓ ସମୃଦ୍ଧିରେ କଟିବ ବୋଲି ବିଶ୍ୱାସ କରାଯାଏ । ଏହା ମଣିଷ ଏବଂ ପ୍ରକୃତି ମଧ୍ୟରେ ଥିବା ଅତୁଟ ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ । ଅନୁରୂପ ଭାବରେ ସମସ୍ତଙ୍କ ଘରେ ଏହି ଦିନ ପାରମ୍ପରିକ ଖାଦ୍ୟ ସାମଗ୍ରୀମାନ ପ୍ରସ୍ତୁତ କରାଯାଇଥାଏ, ଏପରିକି ସୁସ୍ୱାଦୁ ବ୍ୟଞ୍ଜନ, ମିଷ୍ଟାନ୍ନଠାରୁ ତିକ୍ତ ପର୍ଯ୍ୟନ୍ତ ସବୁକିଛି । ଏହା ଆମକୁ ଶିକ୍ଷା ଦିଏ ଯେ, ଜୀବନ ସବୁକିଛି ଅନୁଭବର ସମାହାର, ଏଥିରେ ଆନନ୍ଦ ଓ ବିଷାଦର ସ୍ଥାନ ସମାନ ଏବଂ ଆମକୁ ଏହାକୁ ସନ୍ତୁଳନ ରକ୍ଷାପୂର୍ବକ ଗ୍ରହଣ କରିବାକୁ ପଡ଼ିବ ।
ସାରା ଦେଶରେ ଏହି ନବବର୍ଷ ପାଳନ କରିବାରେ ଅନେକ ସାଦୃଶ୍ୟ ଥିବାର ଦେଖିବାକୁ ମିଳେ ତଥା ସାରା ବିଶ୍ୱରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ମଧ୍ୟ ଏହିଭଳି ସାମଞ୍ଜସ୍ୟ ରହିଛି । ଏହିସବୁ ଉତ୍ସବ ଆମମାନଙ୍କୁ ଆମ ସଂସ୍କୃତିର ମହାନତା, ବିବିଧତା ତଥା ଉତ୍କୃଷ୍ଟତା ସମ୍ପର୍କରେ ସ୍ମରଣ କରାଇଦିଏ । ଏହା ବ୍ୟତୀତ ଏହା ପଛରେ ଥିବା ମହତ୍ତ୍ୱପୂର୍ଣ୍ଣ ଚିନ୍ତାଧାରାଟି ହେଲା ଏକତା । ସେମାନେ ସମସ୍ତେ ଆଶାକୁ ହିଁ ପ୍ରତିବିମ୍ବିତ କରନ୍ତି ଏବଂ ଆଶା କରନ୍ତି ଯେ ଆମେ ସୌହାର୍ଦ୍ଦ୍ୟର ସହିତ ଜୀବନକୁ ବଞ୍ଚି ଚାଲିଥିବୁ ।
ଆମ ପୂର୍ବଜମାନଙ୍କ ଦ୍ୱାରା ଦର୍ଶାଯାଇଥିବା ମାର୍ଗକୁ ଅନୁସରଣ କରି ସକାରାତ୍ମକତା, ବିଶ୍ୱାସ ଏବଂ ନିଷ୍ଠାର ସହ ନୂତନ ବର୍ଷକୁ ପାଳନ କରିବା ପାଇଁ ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି । ଆସନ୍ତୁ, ଦେଶର ପ୍ରଗତିରେ ଯୋଗଦାନ ଦେବାପାଇଁ ଦୃଢ଼ ସଙ୍କଳ୍ପର ସହ ଆମର ପ୍ରଚେଷ୍ଟା ଆରମ୍ଭ କରିବା । ଆମର ଭାରତ ନିଜର ସାଂସ୍କୃତିକ ତଥା ସଭ୍ୟତାଗତ ଭାବଧାରାରେ ସର୍ବଦା “ଏକ’ ହୋଇ ରହିଆସିଛି ଏବଂ ଆଗକୁ ମଧ୍ୟ “ଏକ’ ହୋଇ ରହିବ । ଆମ ଗୁରୁଜନମାନଙ୍କ ଆଶୀର୍ବାଦ ସହିତ ଯୁବପିଢ଼ି ‘ଏକ ଭାରତ’ ଭାବନାରେ ଆଗକୁ ବଢ଼ନ୍ତୁ ଏବଂ ୨୦୪୭ ସୁଦ୍ଧା ଏକ ‘ଶ୍ରେଷ୍ଠ ଭାରତ’ ତଥା ‘ବିକଶିତ ଭାରତ’ ଗଠନ କରିବାରେ ସଫଳ ହୁଅନ୍ତୁ ।