ଭୁବନେଶ୍ୱର,୨୬/୩(ମନୋରଞ୍ଜନ ମହାନ୍ତି): ସବୁଠି ବାସିବ ଓଡ଼ିଆ ଛୁଙ୍କ । ଓଡ଼ିଶା ସୀମା ଡେଇଁ ସାରା ଭାରତରେ ପହଞ୍ଚିବ ଭଳିକି ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟ । ଏମିତିରେ ଓଡ଼ିଆ ଖାଦ୍ୟ ଦେଶର କୌଣସି କୋଣ ଅନୁକୋଣରେ ମିଳୁନାହିଁ ବୋଲି ନାହିଁ । କିନ୍ତୁ ରାଜ୍ୟ ବାହାରେ ତଥା ଜାତୀୟ ସ୍ତରରେ ଓଡ଼ିଆ ଖାଦ୍ୟର ପରିଚିତିକୁ ଆଉ ଟିକେ ପ୍ରୋତ୍ସାହିତ ଓ ଓଡ଼ିଆ ବ୍ୟଞ୍ଜନକୁ ଲୋକପ୍ରିୟ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ରାଜ୍ୟ ଭିତରେ ଏବଂ ବାହାରେ ପ୍ରମୁଖ ସ୍ଥାନ ମାନଙ୍କରେ ଓଡ଼ିଆ ରେସ୍ତୋରାଁ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ।

ପ୍ରାଥମିକ ପର୍ଯ୍ୟାୟରେ ଦେଶର ୫ଟି ମେଟ୍ରୋ ସହର³ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ କୋଲକାତାରେ ଏହି ରେସ୍ତୋରାଁ ଖୋଲାଯିବ । ସେହିପରି ଜାତୀୟ ସ୍ତରର ପ୍ରମୁଖ ୫ ପର୍ଯ୍ୟଟନସ୍ଥଳୀ ଆଗ୍ରା, ବାରାଣାସୀ, ଗୋଆ, କୋଚି ଏବଂ ଜୟପୁରରେ ଏହା ଖୋଲିବାର ବ୍ୟବସ୍ଥା ରହିଛି । ଏହା ବାଦ୍ ଓଡ଼ିଶା ଭିତରେ ମୋଟ୍ ୭୭ଟି ସ୍ଥାନରୁ ୩୫ଟି ପର୍ଯ୍ୟଟନସ୍ଥଳୀ, ୩୦ଟି ଜିଲ୍ଲା ମୁଖ୍ୟାଳୟ, ୩ ମହାନଗର ନିଗମ, ୨ ମୁନିସିପାଲିଟି ଏବଂ ୭ଟି ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ଏହି ରେସ୍ତୋରାଁ ଖୋଲିବାର ଯୋଜନା ରହିଛି । ଏନେଇ ପର୍ଯ୍ୟଟନ ବିଭାଗ ସ୍ଥାନ ଚିହ୍ନଟ କରି ସାରିଛି ।

ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମକୁ ବିଭାଗ ଘରୋଇ ଭାଗିଦାରୀ ମାଧ୍ୟମରେ କରିବାକୁ ଚାହୁଁଛି । ସେଥିପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ରେସ୍ତୋରାଁ ଲାଗି ଆଗ୍ରହୀ ଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କଠାରୁ ଆବେଦନ ମଗା ଯାଇଥିଲା । ଧାର୍ଯ୍ୟ ତାରିଖ ଅନୁସାରେ ଅନେକ ଗତ ମାର୍ଚ୍ଚ ୧୮ ତାରିଖ ଭିତରେ ଆବେଦନପତ୍ର ଦାଖଲ କରିଛନ୍ତି । ରେସ୍ତୋରାଁ ଖୋଲିବା ଲାଗି ବିଭାଗ ଆର୍ଥିକ ପ୍ରୋତ୍ସାହନ ସ୍ୱରୂପ ପୁଞ୍ଜିନିବେଶ ଓ ପରିଚାଳନା ଲାଗି ସହାୟତା ମଧ୍ୟ ଦେବ । ଓଡ଼ିଶା ପର୍ଯ୍ୟଟନ ସଂଶୋଧନ ନୀତି-୨୦୨୬ର ଅଂଶସ୍ୱରୂପ, ଭାରତର ପ୍ରମୁଖ ସହର ଗୁଡ଼ିକରେ ଓଡ଼ିଆ ରେସ୍ତୋରାଁ ଖୋଲିବା ପାଇଁ ଓଡ଼ିଶା ପର୍ଯ୍ୟଟନ ୩୦% ପୁଞ୍ଜି ନିବେଶ ସହାୟତା (୫ କୋଟି ଟଙ୍କା ପର୍ଯ୍ୟନ୍ତ) ଏବଂ କାର୍ଯ୍ୟକ୍ଷମ ସବ୍ସିଡି (୨ ଲକ୍ଷ ଟଙ୍କା ପ୍ରତି ମାସ) ପ୍ରଦାନ କରୁଛି ।

ଅଧିକ ପଢ଼ନ୍ତୁ :-  ଆଜି ପବିତ୍ର ଅଶୋକାଷ୍ଟମୀ :ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ୧୦ଟା ୪୫ରେ ପହଣ୍ଡି, ସାଢ଼େ ୨ଟାରେ ରଥଟଣା

ଯାହା ବର୍ତ୍ତମାନ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ବେଳେ ଆଗକୁ କିମ୍ବା ଚୁକ୍ତି ସମୟରେ ପରିବର୍ତ୍ତନ ହୋଇପାରେ । ବର୍ତ୍ତମାନ ରାଜ୍ୟର ୩ଟି ସ୍ଥାନ³ ପୁରୀ ସମୁଦ୍ରକୂଳ, ଭୁବନେଶ୍ୱର ସହିଦ ନଗର ଓ ସମ୍ବଲପୁର ରାଣୀ ବଖରୀରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ପରିଚାଳିତ ନିମନ୍ତ୍ରଣ ରେସ୍ତୋରାଁ ଚାଲିଛି । ଯେଉଁଠି ସମ୍ପୂର୍ଣ୍ଣ ରୁଚିକର ଓଡ଼ିଆ ଖାଦ୍ୟ, ପିଠା ଓ ମିଠା ପରଷା ଯାଉଛି । ଏବେ ସରକାର ଦୁଇପାଦ ଆଗକୁ ଯାଇ କିଛି ନୂଆ କରିବାକୁ ଚାହୁଁଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ‘ଓଡ଼ିଶା ପରବ’ ପାଳନରେ ଓଡ଼ିଆ ଖାଦ୍ୟର ଚାହିଦା ଓ ଲୋକପ୍ରିୟତା ପରେ ସରକାର ଏ ପ୍ରକାରର ପଦକ୍ଷେପ ନେଇଥିବା ଆଲୋଚନା ହେଉଛି ।

ନିକଟରେ ଓଡ଼ିଆଙ୍କ ପ୍ରିୟ ପଖାଳ ଏବଂ ୩୨୬ ପ୍ରକାରର ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ପରେ ଓଡ଼ିଆ ଖାଦ୍ୟକୁ ନେଇ ଚର୍ଚ୍ଚା ଦ୍ୱିଗୁଣିତ ହୋଇଛି । ଏମିତିରେ ବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ୫୬ ପଉଟି ଭୋଗ ଲାଗି ହୁଏ । ତେଣୁ ଖାଇବା ଏବଂ ଖୁଆଇବାରେ ଓଡ଼ିଆ ସବୁବେଳେ ଧୁରନ୍ଧର । ଏପରିକି ଘରକୁ ଅତିଥି ଆସିଲେ ଭଳିକି ଭଳି ବ୍ୟଞ୍ଜନ ପରିଷିବାରେ ଆଦୌ ଊଣା କରନ୍ତିନି । ସେଥିପାଇଁ ରାଜ୍ୟର ୫୦ଟି ପର୍ଯ୍ୟଟନ ରହଣୀ ସ୍ଥଳ ପ୍ରକୃତି ଶିବିର ବା ଇକୋ କଟେଜ୍ରେ ଅତିଥିମାନଙ୍କୁ ସ୍ଥାନୀୟ ସମ୍ପ୍ରଦାୟ ବା ଗୋଷ୍ଠୀମାନଙ୍କ ଦ୍ୱାରା ନାନା ପ୍ରକାରର ସ୍ଥାନୀୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରଷା ଯାଇଥାଏ । ରାଜ୍ୟରେ ହେଉଥିବା ୭ଟି ଇକୋ ରିଟ୍ରିଟ୍ ସ୍ଥଳ ଏବଂ ସମସ୍ତ ପାନ୍ଥନିବାସ ଓ ପାନ୍ଥିକାରେ ବି ସ୍ଥାନୀୟ ଓଡ଼ିଆ ଖାଦ୍ୟ, ପିଠା, ମିଠା, ଚକୋଲେଟ୍, କେକ୍ ସହ ମିଲେଟ୍ ବା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପର୍ଯ୍ୟଟକମାନଙ୍କୁ ପରଷା ଯାଉଛି । ତା’ର ସ୍ୱତନ୍ତ୍ର ଆଉଟ୍ଲେଟ୍ ମଧ୍ୟ ରହିଛି ।