କଟକ ୧୬/୦୨: ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡେ । ଫେରିବାର ବେଳ ହେଲେ ମୋର କିଆଁ ତୁମ କଥା ଏତେ ବେଶି ମନେ ପଡେ.. । ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ସହ ପଦରେ ପଦ ମିଳାଇ ବେଶ୍ ରୋମାଣ୍ଟିକ୍ ଢଙ୍ଗରେ ଗୀତଟି ବୋଲିଥିଲେ ଗୀତା ପଟ୍ଟନାୟକ । ପ୍ରାୟ ୫୦ ବର୍ଷ ତଳର ଏହି ଗୀତଟି ଆଜି ବି ଗୀତାଙ୍କ ପ୍ରଶଂସକଙ୍କ ମନକୁ ରୁନ୍ଧି ଦେଉଛି । ନଦୀ ଯେମିତି ସାଗରକୁ, ପକ୍ଷୀ ଯେମିତି ନୀଡ଼କୁ.. ଗୀତା ସେମିତି ଆରପାରିକୁ ଚାଲିଯାଇଛନ୍ତି ।

ସ୍ୱର୍ଗତ ଗୀତା ପଟ୍ଟନାୟକ । ସବୁବେଳେ ଫିଟ୍ ଓ ଫାଇନ୍ ରହୁଥିବା ମଣିଷ । ତାଙ୍କ କଣ୍ଠସ୍ୱର ଯେମିତି ମଧୁଝରା, ସୌନ୍ଦର୍ଯ୍ୟ ବି ସେମିତି ଅତୁଳନୀୟ । ଗୀତାଙ୍କ ପାଇଁ ଆଜି ତାଙ୍କ ପ୍ରଶଂସକଙ୍କ ଆଖିରୁ ଲୁହ ଶୁଖୁନି । ଶୋକରେ ବୁଡିଛି ଓଡ଼ିଆ ସଂଗୀତ ଦୁନିଆ । ଗୀତାଙ୍କ ବାପା ଜଣେ କୃଷି ଇଞ୍ଜିନିୟର ଥିଲେ । ତାଙ୍କ ଜେଜେ ବାପା ପ୍ରଥମେ ଓଡ଼ିଶାରେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ । କଟକ ସତ୍ୟବ୍ରତ ଷ୍ଟାଡ଼ିୟମ୍ ମଧ୍ୟ ତାଙ୍କ ଜେଜେ ବାପାଙ୍କ ନାମରେ ନାମିତ । ତାଙ୍କ ମାଆ ଏବଂ ମାଉସୀ ମଧ୍ୟ ଗୀତ ଶିଖିଥିଲେ । ଗୀତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା । ତେଣୁ ଗୀତ ପ୍ରତି ଗୀତାଙ୍କ ପିଲାଦିନୁ ଆଗ୍ରହ ସୃଷ୍ଟି ହୋଇଥିଲା । କଳା ବିକାଶ କେନ୍ଦ୍ରରେ ଛଅ ବର୍ଷ ଗୀତ ଶିଖିଥିଲେ । ଆଉ ସେଠାରୁ ‘ସଙ୍ଗୀତ ଭୂଷଣ’ ପାସ୍ କରିଥିଲେ । ତାପରେ ଶିଶୁ ସଂସାର ଓ କିଶୋର ଚକ୍ରରେ ନିୟମିତ ଗୀତ ବୋଲିବା ଆରମ୍ଭ କରିଥିଲେ । ୧୯୭୧ରେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ । ତା ପରେ ଅକ୍ଷୟ ମହାନ୍ତିଙ୍କ ସହ ଭେଟ ହୋଇ ସଂଗୀତ ଦୁନିଆରେ କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍ କରିଥିଲେ । ସକାଳୁ ହାରମୋନିୟମ୍ ଓ ତାନପୁରା ଧରି ରିଆଜ୍ (ଅଭ୍ୟାସ) କରୁଥିଲେ । ମଞ୍ଚକୁ ଯିବା ଆଗରୁ ଅଧଘଣ୍ଟା ଅଭ୍ୟାସ କରନ୍ତି । ଅନେକ ମଞ୍ଚରେ ସେ କହିଥିଲେ, ‘ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ସଂଗୀତ ସାଧନା କରୁଥିବି ।’ ଆଜି ଗୀତାଙ୍କ ସଂଗୀତ ସାଧନା ବିରାମ ନେଇଛି । କୋକିଳକଣ୍ଠୀ ଗୀତା ସବୁଦିନ ପାଇଁ ବିଦାୟ ନେଇଛନ୍ତି ।

ଆହୁରି ପଢ଼ନ୍ତୁ...ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ