ଭୁବନେଶ୍ୱର,୨୧/୮: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୁଧବାର ୧୩୯ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪,୫୧୫ କୋଟି ଟଙ୍କାର ୧୮ ନୂଆ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ଦ୍ୱାରା ରାଜ୍ୟର ୮ ଜିଲ୍ଲାରେ ୮,୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇସ୍ପାତ, ଭିତ୍ତିଭୂମି, ପର୍ଯ୍ୟଟନ, ଅକ୍ଷୟ ଶକ୍ତି, ଇଯାନ, ଡାଟା ସେଣ୍ଟର, ବାୟୋ ଫୁଏଲ, ଫାର୍ମା ଭଳି କ୍ଷେତ୍ରରେ ଶିଳ୍ପ ଗୁଡ଼ିକ ଆସିବ ।
ଢ଼େଙ୍କାନାଳରେ ଆଇନକ୍ସ ସୋଲାର ଲିମିଟେଡ ପକ୍ଷରୁ ୫ ଗିଗାୱାଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ (ବିଇଏସ୍ଏଏସ୍) ଆସେମ୍ବଲି ପ୍ଲାଣ୍ଟ ଆସିବ । ଏହି ପ୍ରକଳ୍ପରେ ୨୮୩ କୋଟି ଟଙ୍କାର ନିବେଶ ସହ ୫୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଯାଜପୁରରେ ୯୦ କୋଟି ଟଙ୍କା ବିନିଯୋଗରେ ଏକ ଗ୍ରୀନ ହାଇଡ୍ରୋଜେନ ବିନିର୍ମାଣ ୟୁନିଟ କରିବ । ରାୟପୁର ଭିତ୍ତିକ ଗ୍ରୀନ ଏନର୍ଜି ଇକ୍ୱିପମେଣ୍ଟ ମାନୁଫାକଚରିଂ କମ୍ପାନି ଗଞ୍ଜାମରେ ୭୫୦ କୋଟି ଟଙ୍କା ବିନିଯୋଗରେ ଏକ ୨ ଗିଗାୱାଟ ସୋଲାର ସେଲ ମାନୁଫାକଚରିଂ ୟୁନିଟ ବସାଇବ । ଏହି ୟୁନିଟରେ ୫୫୦ ନିଯୁକ୍ତି ଆସିବ ।
ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରାଭିଟା ଇଣ୍ଡିଆ ଲିମିଟେଡ ୩୫୦ କୋଟି ବିନିଯୋଗରେ ଅନୁଗୁଳରେ ଏକ ରିସାଇକେଲିଂ ୟୁନିଟ କରିବ। ଏଠାରେ ରିଫାଇନଡ ଲିଡ୍, ଆଲଏ, ପିପି ଗ୍ରାନ୍ୟୁଲ୍ସ ମାନୁଫାକ୍ଚରିଂ ହେବ । ଷ୍ଟାରକ୍ୟାପ୍ସ ଗ୍ଲୋବାଲ ଏଲ୍ଏଲ୍ପି ଖୋର୍ଦ୍ଧାରେ ୮୦ କୋଟି ନିବେଶରେ ଫାର୍ମା ୟୁନିଟ ବସାଇବ ।
ପଦ୍ମା ହସ୍ପିଟାଲିଟି ଲିମିଟେଡ ଜଗତସିଂହପୁରରେ ୫୯.୯୧ କୋଟିରେ ଏକ ୩ ଷ୍ଟାର ହୋଟେଲ କରିବ । ସେହିଭଳି ଏସ୍ଏନ୍ଏମ୍ ହୋଟେଲ ଆଣ୍ଡ୍ ରିସର୍ଟ ପ୍ରାଇଭେଟ ଲିମିଟେଡ ୯୨.୩୨ କୋଟି ବିନିଯୋଗରେ ଜଗତସିଂହପୁରରେ ୪ ଷ୍ଟାର ହୋଟେଲ ସ୍ଥାପନ କରିବାକୁ ଯାଉଛି । ୨୧୧ କୋଟି ବିନିଯୋଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ ଜଗତସିଂହପୁରରେ ୫ ଷ୍ଟାର ହୋଟେଲ ସ୍ଥାପନ କରିବ ।
୫୦ କୋଟି ବିନିଯୋଗରେ ଭାଇବ୍ରାଣ୍ଟ ସ୍ପିରିଟସ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡରେ ୪ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏକ କମ୍ପ୍ରେସଡ ବାୟୋଗ୍ୟାସ ୟୁନିଟ କରିବାକୁ ଯାଉଛି । ବେଟାବିଲ୍ଡସ ଟେକ୍ନୋଲୋଜି ଲିମିଟେଡ ସୁନ୍ଦରଗଡରେ ୧୩୧ କୋଟି ନିବେଶରେ ଷ୍ଟିଲ ପ୍ରୋସେସିଂ ୟୁନିଟ ଆଣିବ । ଏଠାରେ କମ୍ପାନି ବିଇଆର୍ଡବ୍ଲ୍ୟୁ ପାଇ୍ପସ, ପିଇବି ମାନୁଫାକଚରିଂ ଏବଂ ଏଚ୍ଆର୍ କଏଲ ଉତ୍ପାଦନ କରିବ । କୋଣାର୍କ ଇସ୍ପାତ ୯୯୦ କୋଠି ବିନିଯୋଗରେ ଏହାର ଝାରସୁଗୁଡା ୟୁନିଟକୁ ସମ୍ପ୍ରସାରଣ କରିବ । ଶ୍ରୀ ଜଗନ୍ନାଥ କ୍ୟାରିୟର ପ୍ରାଇଭେଟ ଲିମିଟେଡ ଅନୁଗୁଳରେ ୧୧୧ କୋଟି ନିବେଶରେ ଏକ ଲଜିଷ୍ଟିକ୍ସ ପାର୍କ ଏବଂ ୱେୟାରହାଉସିଂ ଫାସିଲିଟି ବସାଇବ । ସେହିଭଳି ସେପିଏଣ୍ଟ ରିସୋର୍ସ ପ୍ରାଇଭେଟ ଲିମିଟେଡ ଅନୁଗୁଳରେ ୭୦ କୋଟି ନିବେଶ ସହ ଏକ କୋଲ୍ ୱାସେରି ପ୍ରକଳ୍ପ ବସାଇବ ।
୩୦୦ କୋଟି ବିନିଯୋଗରେ ସନାକା ଅଟୋକର୍ପ ଲିମିଟେଡ ଖୋର୍ଦ୍ଧାରେ ଏକ ଇ-ଯାନ ମାନୁଫାକଚରିଂ ୟୁନିଟ କରିବ । ଏଠାରେ ବାର୍ଷିକ ୧୦ ହଜାର ୟୁନିଟ ଇଭି ଉତ୍ପାଦନ ଲକ୍ଷ୍ୟ ରଖିଛି କମ୍ପାନି । ଏହାବାଦ ୫୦୧ କୋଟି ବିନିଯୋଗରେ ଶ୍ରୀଟେକ ଡାଟା ଲିମିଟେଡ ଖୋର୍ଦ୍ଧାରେ ଏକ ହାଇପର୍ସେଲ୍ ଡାଟା ସେଣ୍ଟର କରିବ । ୱେଷ୍ଟ ଏଜ୍ ଡାଟା ସେଣ୍ଟର ପ୍ରାଇଭେଟ ଲିମିଟେଡ ୫୦.୫୦ କୋଟି ବିନିଯୋଗରେ ଖୋର୍ଦ୍ଧାରେ ଏକ ଡାଟା ସେଣ୍ଟର ଏବଂ ସାଟେଲାଇଟ ଉଣ୍ଟରନେଟ ସର୍ଭିସ ୟୁନିଟ କରିବ ।
ଆର୍ଟିସାନ ଡିଷ୍ଟିଲେରୀ ଏଲ୍ଏଲ୍ପି ୯୩.୬୫ କୋଟିରେ ଖୋର୍ଦ୍ଧାରେ ଏକ ସ୍ପରିଟ ମାନୁଫାକଚରିଂ ୟୁନିଟ ସ୍ଥାପନ କରିବା ଲକ୍ଷ୍ୟ ରଖିଛି । ସେହିଭଳି ଆସୋସିଏଟେଡ୍ ଆଲ୍କହଲ୍ସ ଆଣ୍ଡ୍ ବ୍ରିୟୁରିଜ ଲିମିଟେଡ ୩୦୦ କୋଟି ବିନିଯୋଗରେ ଦୈନିକ ୨୦୦ କିଲୋ ଲିଟର କ୍ଷମତା ବିଶିଷ୍ଟ ଡିଷ୍ଟିଲେରୀ ସହ ଆଇଏମ୍ଏଫ୍ଏଲ୍ ବଟଲିଂ ୟୁନିଟ ଖୋର୍ଦ୍ଧାରେ ସ୍ଥାପନ କରିବ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ମିଳିଛି ।