ଭୁବନେଶ୍ୱର,୨୧/୮: ମୁଖ୍ୟ ଶାସନ  ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ  ବୁଧବାର ୧୩୯ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ  ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ)  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ୪,୫୧୫ କୋଟି ଟଙ୍କାର ୧୮ ନୂଆ ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ଦ୍ୱାରା ରାଜ୍ୟର ୮ ଜିଲ୍ଲାରେ  ୮,୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଇସ୍ପାତ, ଭିତ୍ତିଭୂମି, ପର୍ଯ୍ୟଟନ, ଅକ୍ଷୟ ଶକ୍ତି, ଇଯାନ, ଡାଟା ସେଣ୍ଟର, ବାୟୋ ଫୁଏଲ, ଫାର୍ମା ଭଳି  କ୍ଷେତ୍ରରେ ଶିଳ୍ପ ଗୁଡ଼ିକ ଆସିବ । 

ଢ଼େଙ୍କାନାଳରେ ଆଇନକ୍ସ ସୋଲାର  ଲିମିଟେଡ ପକ୍ଷରୁ ୫ ଗିଗାୱାଟ ବ୍ୟାଟେରୀ  ଏନର୍ଜି ଷ୍ଟୋରେଜ ସିଷ୍ଟମ (ବିଇଏସ୍‌ଏଏସ୍‌)  ଆସେମ୍ବଲି ପ୍ଲାଣ୍ଟ ଆସିବ । ଏହି ପ୍ରକଳ୍ପରେ  ୨୮୩ କୋଟି ଟଙ୍କାର ନିବେଶ ସହ ୫୧ ନିଯୁକ୍ତି  ସୁଯୋଗ ସୃଷ୍ଟି ହେବ । ଜିନ୍ଦଲ ଷ୍ଟେନଲେସ  ଲିମିଟେଡ ଯାଜପୁରରେ ୯୦ କୋଟି ଟଙ୍କା  ବିନିଯୋଗରେ ଏକ ଗ୍ରୀନ ହାଇଡ୍ରୋଜେନ  ବିନିର୍ମାଣ ୟୁନିଟ କରିବ । ରାୟପୁର ଭିତ୍ତିକ  ଗ୍ରୀନ ଏନର୍ଜି ଇକ୍ୱିପମେଣ୍ଟ ମାନୁଫାକଚରିଂ କମ୍ପାନି  ଗଞ୍ଜାମରେ ୭୫୦ କୋଟି ଟଙ୍କା ବିନିଯୋଗରେ  ଏକ ୨ ଗିଗାୱାଟ ସୋଲାର ସେଲ ମାନୁଫାକଚରିଂ  ୟୁନିଟ ବସାଇବ । ଏହି ୟୁନିଟରେ ୫୫୦ ନିଯୁକ୍ତି  ଆସିବ । 

ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରାଭିଟା  ଇଣ୍ଡିଆ ଲିମିଟେଡ ୩୫୦ କୋଟି ବିନିଯୋଗରେ  ଅନୁଗୁଳରେ ଏକ ରିସାଇକେଲିଂ ୟୁନିଟ କରିବ।  ଏଠାରେ ରିଫାଇନଡ ଲିଡ୍‌, ଆଲଏ, ପିପି  ଗ୍ରାନ୍ୟୁଲ୍ସ ମାନୁଫାକ୍‌ଚରିଂ ହେବ । ଷ୍ଟାରକ୍ୟାପ୍ସ  ଗ୍ଲୋବାଲ ଏଲ୍‌ଏଲ୍‌ପି ଖୋର୍ଦ୍ଧାରେ ୮୦ କୋଟି ନିବେଶରେ ଫାର୍ମା ୟୁନିଟ ବସାଇବ ।  

ପଦ୍ମା ହସ୍ପିଟାଲିଟି ଲିମିଟେଡ  ଜଗତସିଂହପୁରରେ ୫୯.୯୧ କୋଟିରେ  ଏକ ୩ ଷ୍ଟାର ହୋଟେଲ କରିବ । ସେହିଭଳି  ଏସ୍‌ଏନ୍‌ଏମ୍‌ ହୋଟେଲ ଆଣ୍ଡ୍‌ ରିସର୍ଟ ପ୍ରାଇଭେଟ  ଲିମିଟେଡ ୯୨.୩୨ କୋଟି ବିନିଯୋଗରେ  ଜଗତସିଂହପୁରରେ ୪ ଷ୍ଟାର ହୋଟେଲ  ସ୍ଥାପନ କରିବାକୁ ଯାଉଛି । ୨୧୧ କୋଟି  ବିନିଯୋଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ  ଜଗତସିଂହପୁରରେ ୫ ଷ୍ଟାର ହୋଟେଲ ସ୍ଥାପନ  କରିବ । 

୫୦ କୋଟି ବିନିଯୋଗରେ ଭାଇବ୍ରାଣ୍ଟ  ସ୍ପିରିଟସ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡରେ  ୪ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଏକ  କମ୍ପ୍ରେସଡ ବାୟୋଗ୍ୟାସ ୟୁନିଟ କରିବାକୁ  ଯାଉଛି । ବେଟାବିଲ୍ଡସ ଟେକ୍ନୋଲୋଜି ଲିମିଟେଡ  ସୁନ୍ଦରଗଡରେ ୧୩୧ କୋଟି ନିବେଶରେ ଷ୍ଟିଲ  ପ୍ରୋସେସିଂ ୟୁନିଟ ଆଣିବ । ଏଠାରେ କମ୍ପାନି  ବିଇଆର୍‌ଡବ୍ଲ୍ୟୁ ପାଇ୍‌ପସ, ପିଇବି ମାନୁଫାକଚରିଂ  ଏବଂ ଏଚ୍‌ଆର୍‌ କଏଲ ଉତ୍ପାଦନ କରିବ ।  କୋଣାର୍କ ଇସ୍ପାତ ୯୯୦ କୋଠି ବିନିଯୋଗରେ  ଏହାର ଝାରସୁଗୁଡା ୟୁନିଟକୁ ସମ୍ପ୍ରସାରଣ  କରିବ । ଶ୍ରୀ ଜଗନ୍ନାଥ କ୍ୟାରିୟର ପ୍ରାଇଭେଟ  ଲିମିଟେଡ ଅନୁଗୁଳରେ ୧୧୧ କୋଟି ନିବେଶରେ  ଏକ ଲଜିଷ୍ଟିକ୍ସ ପାର୍କ ଏବଂ ୱେୟାରହାଉସିଂ  ଫାସିଲିଟି ବସାଇବ । ସେହିଭଳି ସେପିଏଣ୍ଟ  ରିସୋର୍ସ ପ୍ରାଇଭେଟ ଲିମିଟେଡ ଅନୁଗୁଳରେ  ୭୦ କୋଟି ନିବେଶ ସହ ଏକ କୋଲ୍‌ ୱାସେରି  ପ୍ରକଳ୍ପ ବସାଇବ ।  

୩୦୦ କୋଟି ବିନିଯୋଗରେ ସନାକା  ଅଟୋକର୍ପ ଲିମିଟେଡ ଖୋର୍ଦ୍ଧାରେ ଏକ ଇ-ଯାନ  ମାନୁଫାକଚରିଂ ୟୁନିଟ କରିବ । ଏଠାରେ ବାର୍ଷିକ ୧୦ ହଜାର ୟୁନିଟ ଇଭି ଉତ୍ପାଦନ ଲକ୍ଷ୍ୟ ରଖିଛି  କମ୍ପାନି । ଏହାବାଦ ୫୦୧ କୋଟି ବିନିଯୋଗରେ  ଶ୍ରୀଟେକ ଡାଟା ଲିମିଟେଡ ଖୋର୍ଦ୍ଧାରେ ଏକ  ହାଇପର୍‌ସେଲ୍‌ ଡାଟା ସେଣ୍ଟର କରିବ । ୱେଷ୍ଟ  ଏଜ୍‌ ଡାଟା ସେଣ୍ଟର ପ୍ରାଇଭେଟ ଲିମିଟେଡ  ୫୦.୫୦ କୋଟି ବିନିଯୋଗରେ ଖୋର୍ଦ୍ଧାରେ ଏକ  ଡାଟା ସେଣ୍ଟର ଏବଂ ସାଟେଲାଇଟ ଉଣ୍ଟରନେଟ  ସର୍ଭିସ ୟୁନିଟ କରିବ । 

ଆର୍ଟିସାନ ଡିଷ୍ଟିଲେରୀ ଏଲ୍‌ଏଲ୍‌ପି ୯୩.୬୫  କୋଟିରେ ଖୋର୍ଦ୍ଧାରେ ଏକ ସ୍ପରିଟ ମାନୁଫାକଚରିଂ  ୟୁନିଟ ସ୍ଥାପନ କରିବା ଲକ୍ଷ୍ୟ ରଖିଛି । ସେହିଭଳି  ଆସୋସିଏଟେଡ୍‌ ଆଲ୍‌କହଲ୍‌ସ ଆଣ୍ଡ୍‌ ବ୍ରିୟୁରିଜ  ଲିମିଟେଡ ୩୦୦ କୋଟି ବିନିଯୋଗରେ ଦୈନିକ  ୨୦୦ କିଲୋ ଲିଟର କ୍ଷମତା ବିଶିଷ୍ଟ ଡିଷ୍ଟିଲେରୀ  ସହ ଆଇଏମ୍‌ଏଫ୍‌ଏଲ୍‌ ବଟଲିଂ ୟୁନିଟ  ଖୋର୍ଦ୍ଧାରେ ସ୍ଥାପନ କରିବ ବୋଲି ଶିଳ୍ପ ବିଭାଗ  ପକ୍ଷରୁ ସୂଚନା ମିଳିଛି ।