ଜାତୀୟ ସମବାୟ ନୀତି-୨୦୨୫ "ସମବାୟରୁ ସମୃଦ୍ଧି' ଭଳି ବ୍ୟାପକ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ସମବାୟ ସଂସ୍ଥାମାନଙ୍କର ପୁନରୁଜ୍ଜୀବନକୁ ସ୍ପଷ୍ଟ ଭାବେ ଆହ୍ୱାନ କରିଛି । ଏହି ସନ୍ଦର୍ଭରେ, ୬ ମାର୍ଚ୍ଚ ୨୦୨୬ରେ ଭୁବନେଶ୍ୱରରେ କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଔପଚାରିକ ଭାବେ ମୋଚନ କରାଯାଇଥିବା ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୬, ଜାତୀୟ ଆକାଂକ୍ଷାକୁ ରାଜ୍ୟସ୍ତରୀୟ ପ୍ରତିଷ୍ଠାନଗତ ସୁଧାରରେ ପରିଣତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ୍ ସୃଷ୍ଟି କରେ । ସଂସ୍ଥାଗତ ସଶକ୍ତିକରଣରୁ ଆରମ୍ଭ କରି ଶାସନ ସୁଧାର ପର୍ଯ୍ୟନ୍ତ ସାତଟି ସ୍ତମ୍ଭ ଉପରେ ଆଧାରିତ ଏହି ନୂତନ ନୀତି ଏକ ସମଗ୍ର ଓ କାର୍ଯ୍ୟମୁଖୀ ଯୋଜନା ପଥଚିତ୍ର ପ୍ରସ୍ତୁତ କରିଛି ଏବଂ ଓଡ଼ିଶାର ଗ୍ରାମସ୍ତରୀୟ ସମବାୟ ସଂସ୍ଥାମାନଙ୍କୁ ସୁଦୃଢ଼ କରିବା ପାଇଁ ନବୀନ ଗତି ଦେବାର ସଙ୍କେତ ଦେଇଛି । ତଥାପି, ଏହାର ପ୍ରକୃତ ସଫଳତା ଏହି ସ୍ତମ୍ଭମାନଙ୍କୁ ତୃଣମୂଳସ୍ତରରେ କେତେ ଫଳପ୍ରଦ ଭାବେ କାର୍ଯ୍ୟାନ୍ୱୟନଯୋଗ୍ୟ କରାଯାଇପାରିବ, ତାହା ଉପରେ ନିର୍ଭରଶୀଳ ରହିବ ।

ସଂସ୍ଥାଗତ ସଶକ୍ତିକରଣ, ପାରଦର୍ଶିତା ଓ କାର୍ଯ୍ୟକୁଶଳତା ପ୍ରଥମ ସ୍ତମ୍ଭ: ସଂସ୍ଥାଗତ ସଶକ୍ତିକରଣ–

ଗ୍ରାମସ୍ତରୀୟ ସଂସ୍ଥାମାନଙ୍କର ସମୟସୀମାବଦ୍ଧ ସମୀକ୍ଷା ଏବଂ ପୁନରୁଜ୍ଜୀବନରୁ ଆରମ୍ଭ ହେବା ଉଚିତ । ଓଡ଼ିଶାରେ ୪,୨୫୨ଟି ପ୍ରାଥମିକ କୃଷି ସମବାୟ ସମିତି (PACS) ପ୍ୟାକ୍ସ ଏବଂ ବଡ଼ ପରିମାଣର ଆଦିବାସୀ ବହୁଉଦ୍ଦେଶୀୟ ସମବାୟ ସମିତି (LAMPS) ଲ୍ୟାମ୍ପସ୍ ରହିଛି, ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ । ତଥାପି, ଏହାମଧ୍ୟରୁ ଅନେକ ସଂସ୍ଥା ନିଷ୍କ୍ରିୟ କିମ୍ବା କାର୍ଯ୍ୟକ୍ଷମ ଅବସ୍ଥାରେ ନାହାଁନ୍ତି । ରାଜ୍ୟସ୍ତରୀୟ ସଂସ୍ଥାଗତ ଲେଖାପରୀକ୍ଷା ମାଧ୍ୟମରେ ଏହି ସୁପ୍ତ କିମ୍ବା ନିଷ୍କ୍ରିୟ ସମିତିମାନଙ୍କୁ ଚିହ୍ନଟ କରି, ଲକ୍ଷ୍ୟଭିତ୍ତିକ ପୁନରୁଦ୍ଧାର କୌଶଳ ସୁନିଶ୍ଚିତ କରାଯାଇପାରିବ । ଢାଞ୍ଚାଗତ ବିକାଶ ଓ ସୁଦୃଢ଼ୀକରଣ କରିବା, ଶାସନ ବ୍ୟବସ୍ଥାର ସୁଧାର, ସମୟୋଚିତ ଓ ସଠିକ୍ ସମବାୟ ଡିଜିଟାଇଜେସନ୍ ସୁନିଶ୍ଚିତ କରିବା ସହିତ ପ୍ୟାକ୍ସଗୁଡ଼ିକୁ କୃଷି ପ୍ରସ୍ତୁତିକରଣ କାର୍ଯ୍ୟକଳାପ ଏବଂ ଗ୍ରାମୀଣ ମୂଲ୍ୟ ସଂବର୍ଦ୍ଧନ ପ୍ରଣାଳୀ ସହିତ ସଂଯୋଜନ କରାଗଲେ, ଏହି ସଂସ୍ଥାମାନେ ସ୍ଥାନୀୟ ଆର୍ଥିକ କାର୍ଯ୍ୟକ୍ଷମ କେନ୍ଦ୍ର ରୂପେ ପରିଣତ ହେବେ ।

ଦ୍ୱିତୀୟ ସ୍ତମ୍ଭ: ଡିଜିଟାଲ ପରିବର୍ତ୍ତନ–

ପାରଦର୍ଶିତା ଓ କାର୍ଯ୍ୟକୁଶଳତା ବୃଦ୍ଧି ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରେ । ସମବାୟ ଡିଜିଟାଇଜେସନ୍ କେବଳ ବିକଳ୍ପ ନୁହେଁ, ଏହା ଏକ ସୁଦୃଢ଼ ଓ ଗଭୀର ସମବାୟ ଆନ୍ଦୋଳନର ମୂଳ ଭିତ୍ତି । ଓଡ଼ିଶାରେ ପ୍ୟାକ୍ସ, ଜିଲ୍ଲା ଓ ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ସହିତ ସମବାୟ ବିପଣନ ସଂଘମାନଙ୍କୁ ସଂଯୋଗ କରି ଏକ ସମନ୍ୱିତ ଡିଜିଟାଲ ପ୍ଲାଟଫର୍ମ ଉନ୍ନୟନ କରାଯାଇପାରେ । ନୀତି ମାଧ୍ୟମରେ ଆରମ୍ଭ ହୋଇଥିବା ପଦକ୍ଷେପମାନଙ୍କ ମଧ୍ୟରେ ସମବାୟ ସଂସ୍ଥାମାନଙ୍କ ଦ୍ୱାରା ପରିଚାଳିତ କମନ୍ ସର୍ଭିସ ସେଣ୍ଟର ମଧ୍ୟ ରହିଛି, ଯାହା ଡିଜିଟାଲ ଢାଞ୍ଚା ମାଧ୍ୟମରେ ଗ୍ରାମାଞ୍ଚଳରେ ସେବା ବିସ୍ତାରର ସମ୍ଭାବନାକୁ ପ୍ରମାଣ କରେ । ଡିଜିଟାଲ ଖାତା, ସଦସ୍ୟ ତଥ୍ୟଭଣ୍ଡାର ଏବଂ କ୍ରୟ ରେକର୍ଡ ସମବାୟ ପରିଚାଳନାରେ ଦାୟିତ୍ୱବୋଧକୁ ଅଧିକ ସୁଦୃଢ଼ କରିପାରିବ । ସମବାୟ ସଂସ୍ଥାମାନଙ୍କର ଡିଜିଟାଲିକରଣ ପେସାଦାର ପରିଚାଳନାକୁ ସୁନିଶ୍ଚିତ କରିବା ସହିତ ବ୍ୟାବସାୟିକ କାର୍ଯ୍ୟକଳାପରେ ଅନୁଶାସନ ଓ ପ୍ରତିସ୍ପର୍ଦ୍ଧୀ କ୍ଷମତାକୁ ମଧ୍ୟ ବଢ଼ାଇପାରିବ ।

ସମବାୟ କାର୍ଯ୍ୟକଳାପର ବିବିଧୀକରଣ ଓ ସଦସ୍ୟ ସଶକ୍ତିକରଣ ତୃତୀୟ ସ୍ତମ୍ଭ:

ସମବାୟ କାର୍ଯ୍ୟକଳାପର ବିବିଧୀକରଣ– ଗ୍ରାମୀଣ ଅର୍ଥନୀତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ପାରମ୍ପରିକ ଭାବରେ ସମବାୟ ସଂସ୍ଥାମାନେ କୃଷି ଋଣ ଓ ଧାନ କ୍ରୟ ଉପରେ କେନ୍ଦ୍ରିତ ରହିଆସିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କୃଷି ମୂଲ୍ୟ ସଂବର୍ଦ୍ଧନ ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ଧାନ ପ୍ରସ୍ତୁତିକରଣ ୟୁନିଟ୍, ରାଜ୍ୟର ପୋଷଣ କାର୍ଯ୍ୟକ୍ରମ ସହ ସଂଯୋଜିତ ମିଲେଟ୍ ଆଧାରିତ ଉଦ୍ୟମ, ସମୁଦ୍ରତଟୀୟ ଜିଲ୍ଲାଗୁଡ଼ିକରେ ମାଛଚାଷ ସମବାୟ ସଂସ୍ଥାମାନେ ଏବଂ ଆଦିବାସୀ ଅଞ୍ଚଳଗୁଡ଼ିକରେ ବନୋତ୍ପାଦ ଆଧାରିତ ସମବାୟ ସଂସ୍ଥାମାନେ ଗ୍ରାମୀଣ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିପାରିବେ । ରାଜ୍ୟ ଦୁଗ୍ଧ ସମବାୟ ଫେଡେରେସନ୍ (ଓମଫେଡ)ର ଅନୁଭବ ଦେଖାଇଥାଏ ଯେ, ଦୁଗ୍ଧ ସମବାୟ ସଂସ୍ଥାମାନେ ଉତ୍ପାଦକମାନଙ୍କ ପାଇଁ ସ୍ଥିର ବଜାର ସୃଷ୍ଟି କରିବା ସହିତ ଶକ୍ତିଶାଳୀ ରାଜ୍ୟସ୍ତରୀୟ ବ୍ରାଣ୍ଡ ଗଢ଼ି ତୋଳିପାରନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ‘ଓମଫେଡ୍’ର ବ୍ରାଣ୍ଡ ପୋଜିସନିଂ ଅତ୍ୟାବଶ୍ୟକ ହୋଇପଡ଼ିଛି । ସେହିପରି, ପ୍ରାଥମିକ ଦୁଗ୍ଧ ସମିତିମାନଙ୍କୁ ଜିଲ୍ଲା ଦୁଗ୍ଧ ସଂଘ ଓ ରାଜ୍ୟ ଦୁଗ୍ଧ ସମବାୟ ଫେଡେରେସନ୍ ସହ ସୁଦୃଢ଼ ଭାବେ ସଂଯୋଜନ କରି ପଣ୍ୟ ବିବିଧୀକରଣ ଓ ପରିଚାଳନାତ୍ମକ ସ୍ଥିରତା ପାଇଁ ଦୁଗ୍ଧ ସମବାୟ ଗଠନର ଗଭୀର ପୁନର୍ବୀକ୍ଷଣ ଆବଶ୍ୟକ ।

ଚତୁର୍ଥ ସ୍ତମ୍ଭ: ସଦସ୍ୟ ସଶକ୍ତିକରଣ–

ସମବାୟ ମଡେଲର କେନ୍ଦ୍ରବିନ୍ଦୁରେ ଅବସ୍ଥିତ । ତଥାପି, ଅନେକ ସମିତିରେ ସାଧାରଣ ସଦସ୍ୟମାନଙ୍କର ସକ୍ରିୟ ଅଂଶଗ୍ରହଣ ସୀମିତ ରହିଛି । ଯୁବମାନେ ଓ ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ସମବାୟ ସଂସ୍ଥାମାନଙ୍କୁ ଅଧିକ ଆକାଂକ୍ଷାଜନକ କରିବା ଆବଶ୍ୟକ, ଯାହା ପାଇଁ ସଦସ୍ୟମାନଙ୍କର ବିଶ୍ୱାସ ବୃଦ୍ଧି, ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳନା ଦଖଲକୁ ରୋକିବା, ଉଚ୍ଚ ମାନଦଣ୍ଡର ପେସାଦାରିତ୍ୱ ସୁନିଶ୍ଚିତ କରିବା ଏବଂ ସଂସ୍ଥାମାନଙ୍କର ବିଶ୍ୱସନୀୟତା ବୃଦ୍ଧି ଅତ୍ୟାବଶ୍ୟକ । ସଦସ୍ୟ ସଚେତନତା ବଢ଼ାଇବା, ନିୟମିତ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ଲୋକତାନ୍ତ୍ରିକ ପରିଚାଳନାକୁ ସୁଦୃଢ଼ କରିବା, ଡିଜିଟାଲ ଅଭିଯୋଗ ନିବାରଣ ପ୍ରଣାଳୀ ଓ ମହିଳା, ଯୁବମାନଙ୍କର ବୃହତ୍ତର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଦ୍ୱାରା ଦାୟିତ୍ୱବୋଧକୁ ଅଧିକ ଗଭୀର କରାଯାଇପାରିବ । ମିଶନ ଶକ୍ତି ଅଧୀନରେ ଓଡ଼ିଶାର ବିଶାଳ ମହିଳା ସ୍ୱୟଂସହାୟତା ସମୂହ ନେଟୱାର୍କକୁ ସମବାୟ ଉଦ୍ୟମସମୂହ ସହ ମହିଳା ଉଦ୍ୟମୀମାନଙ୍କୁ ସଂଯୋଜନ କରିବାରେ ଏକ ବିଶେଷ ସୁଯୋଗ ପ୍ରଦାନ କରେ ।

ଆର୍ଥିକ ସୁଦୃଢ଼ତା ସହ ପେସାଦାର ପରିଚାଳନା ଓ କ୍ଷମତା ବିକାଶ ପଞ୍ଚମ ସ୍ତମ୍ଭ:

ଆର୍ଥିକ ସୁଦୃଢ଼ତା– ଦୀର୍ଘ ଦିନ ଧରି ରହିଆସୁଥିବା ବିକାଶ ସମ୍ପର୍କିତ ସୀମାବଦ୍ଧତାକୁ ସମାଧାନ କରେ । ଅନେକ ସମବାୟ ସଂସ୍ଥା ସୀମିତ ପୁଞ୍ଜି ଓ ଦୁର୍ବଳ ଋଣ ସଂଯୋଗ ସମସ୍ୟା ସହ ସଂଘର୍ଷ କରୁଛନ୍ତି । ରାଜ୍ୟ ସମବାୟ ଉନ୍ନୟନ ତହବିଲ୍ ସ୍ଥାପନ, ସମବାୟ ବ୍ୟାଙ୍କିଙ୍ଗ ସେବାର ସୁଲଭତା, ଅର୍ଥନୈତିକ ସାହଜ୍ୟତା ଓ ସମ୍ପ୍ରାପ୍ୟତା ସୁଧାର ଏବଂ କୃଷକ ସମୂହମାନଙ୍କ ପାଇଁ ମୂଲ୍ୟ ଶୃଙ୍ଖଳା ଆଧାରିତ ଅର୍ଥ ଯୋଗାଣ ସୁବିଧା ସୃଷ୍ଟି କରିବା ଆର୍ଥିକ ସ୍ଥିରତାକୁ ସୁଦୃଢ଼ କରିପାରିବ । ପ୍ୟାକ୍ସଗୁଡ଼ିକୁ କୃଷି ବିପଣନ ପ୍ରୟାସ, ଯଥା– ଇଲେକଟ୍ରୋନିକ୍ ଜାତୀୟ କୃଷି ବଜାର (ଇ-ଏନ୍ଏଏମ୍) ସହ ସଂଯୋଗ କରିବା ମାଧ୍ୟମରେ କୃଷକମାନଙ୍କ ପାଇଁ ବଜାର ସୁଯୋଗ ବିସ୍ତାର ହେବା ସମ୍ଭବ । ଏହା ସହିତ ସଂସ୍ଥାଗତ ଅର୍ଥ ସାହାଯ୍ୟର ପ୍ରାପ୍ୟତା, ବିବିଧ ଆୟ ସ୍ରୋତ ସୃଷ୍ଟି, ସରକାରୀ ଯୋଜନାମାନଙ୍କର ସଦୁପଯୋଗ ଏବଂ ଏକ କ୍ରେଡିଟ୍ ରେଟିଂ ପ୍ରଣାଳୀ ସ୍ଥାପନ ଦ୍ୱାରା ଓଡ଼ିଶାର ସମବାୟ କ୍ଷେତ୍ରରେ ପର୍ଯ୍ୟାପ୍ତ ଧନ ପ୍ରବାହ ସୁନିଶ୍ଚିତ କରାଯାଇପାରିବ ।

ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ହେଉଛି ଷଷ୍ଠ ସ୍ତମ୍ଭ– ପେସାଦାର ପରିଚାଳନା ଓ କ୍ଷମତା ବିକାଶ । ଦୁର୍ବଳ ପରିଚାଳନାତ୍ମକ କ୍ଷମତା ପ୍ରାୟତଃ ସମବାୟ ସଂସ୍ଥାମାନଙ୍କର କାର୍ଯ୍ୟଦକ୍ଷତାକୁ କ୍ଷୀଣ କରେ । ସମବାୟ ବୋର୍ଡ ସଦସ୍ୟ ଓ ପ୍ରବନ୍ଧକମାନଙ୍କ ପାଇଁ ସଂରଚିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କୃଷି ବିଶ୍ୱବିଦ୍ୟାଳୟମାନଙ୍କ ସହ ସହଯୋଗ ଏବଂ ବଡ଼ ସମବାୟ ସଂସ୍ଥାମାନଙ୍କରେ ପେସାଦାର ନିଯୁକ୍ତି ମାଧ୍ୟମରେ ପରିଚାଳନାତ୍ମକ କୁଶଳତାକୁ ଲକ୍ଷଣୀୟ ଭାବେ ବୃଦ୍ଧି କରାଯାଇପାରିବ ।

ଶେଷରେ, ଶାସନ ଓ ବିନିୟମାତ୍ମକ ସୁଧାର ପାରଦର୍ଶିତା ଓ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଆବଶ୍ୟକ । ସମୟବଦ୍ଧ ଅଡିଟ୍, ଇ-ଭୋଟିଂ ପ୍ରଣାଳୀ, ସାମାଜିକ ଦାୟିତ୍ୱ ମ୍ୟାଟ୍ରିକ୍ସ, ଅନୁପାଳନ ଢାଞ୍ଚା, ସଦସ୍ୟ ସଚେତନତା କାର୍ଯ୍ୟକ୍ରମ, ଆର୍ଥିକ କାର୍ଯ୍ୟଦକ୍ଷତାର ସାର୍ବଜନିକ ପ୍ରକାଶ ଏବଂ ସରଳୀକୃତ ନିରୀକ୍ଷଣ ପ୍ରଣାଳୀ– ଏହିସବୁ ଉପାୟ ସମବାୟ ସଂସ୍ଥାମାନଙ୍କ ପ୍ରତି ସାଧାରଣ ଲୋକଙ୍କର ବିଶ୍ୱାସ ପୁନଃସ୍ଥାପନ ପାଇଁ ଅତ୍ୟାବଶ୍ୟକ । ଏହା ସହିତ ତାତ୍କାଳିକ ନିରୀକ୍ଷଣ ଡ୍ୟାସବୋର୍ଡ ମାଧ୍ୟମରେ ରିସ୍କ-ଆଧାରିତ ପରୀକ୍ଷଣ ପ୍ରଣାଳୀ ଶୀଘ୍ର ସତର୍କ ସଙ୍କେତ ପ୍ରଦାନ କରି, ଠକେଇ ଚିହ୍ନଟ ଓ ସମୟୋଚିତ ସୁଧାରାତ୍ମକ ପଦକ୍ଷେପ ଗ୍ରହଣକୁ ସହଜ କରିପାରିବ ।

ସମାପ୍ତିରେ, ୬ ଜୁଲାଇ ୨୦୨୧ରେ ସ୍ଥାପିତ କେନ୍ଦ୍ରୀୟ ସମବାୟ ମନ୍ତ୍ରଣାଳୟ, ନବୀକୃତ ନୀତିଗତ ଗତିଶୀଳତା ମାଧ୍ୟମରେ "ସମବାୟ ଆନ୍ଦୋଳନ ୨.୦'କୁ ଏକ ସୁଦୃଢ଼ ପ୍ରେରଣା ଯୋଗାଇଥିଲା । ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୬ର ସଫଳତା ପ୍ରଧାନତଃ ଅବିରତ ସଂସ୍ଥାଗତ ସୁଧାର ଓ ସଦସ୍ୟମାନଙ୍କର ସତ୍ୟ ସକ୍ରିୟ ଅଂଶଗ୍ରହଣ ଉପରେ ନିର୍ଭର କରିବ । ଯଦି ଏହାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟରୂପେ ପରିଣତ କରାଯାଏ, ତେବେ ସମବାୟ ସଂସ୍ଥାମାନେ ଗ୍ରାମୀଣ ପରିବର୍ତ୍ତନର ଶକ୍ତିଶାଳୀ ଚାଳକରେ ପରିଣତ ହେବେ– କୃଷକ, ଉତ୍ପାଦକ ଓ ସ୍ଥାନୀୟ ଉଦ୍ୟମମାନଙ୍କୁ ବଜାର, ପ୍ରଯୁକ୍ତି ଓ ଅର୍ଥ ସାହାଯ୍ୟ ସହ ସଂଯୋଗ କରିବେ । ଜାତୀୟ ସମବାୟ ନୀତି ୨୦୨୫ର ବ୍ୟାପକ ଦୃଷ୍ଟିକୋଣ ସହ ସମନ୍ୱୟ ରଖି ଓଡ଼ିଶା ପାଇଁ "ସମବାୟରୁ ସମୃଦ୍ଧି' ଧାରଣାକୁ ନୀତିଗତ ଆକାଂକ୍ଷାରୁ ଭୂମିସ୍ତରୀୟ ପ୍ରତ୍ୟକ୍ଷ ସମୃଦ୍ଧିରେ ପରିଣତ କରିବାରେ ଏହା ଏକ ବିଶେଷ ସୁଯୋଗ ସୁନିଶ୍ଚିତ କରେ ।