ଭୁବନେଶ୍ୱର,୨୦/୦୭: ରାଜ୍ୟରେ ପ୍ରସ୍ତୁତ ହେବ ବିପର୍ଯ୍ୟୟ ସହଣି ବିଦ୍ୟୁତ ଭିତ୍ତିଭୂମି । ଫଳରେ ବଡ଼ ବାତ୍ୟା ହେଉ କି ବନ୍ୟା ପରେ କଟିବନି  ବିଜୁଳି । ବିଦ୍ୟୁତ ସରବରାହ ଅବ୍ୟାହତ ରହିବ ।  ଏ ନେଇ ରାଜ୍ୟ ସରକାର ବ୍ୟାପକ ଭାବେ ଯୋଜନା ପ୍ରସ୍ତୁତ କରିଛନ୍ତି । ବିପର୍ଯ୍ୟୟ ସହଣି ବିଦ୍ୟୁତ  ଭିତ୍ତିଭୂମି ପାଇଁ ୯୭୫୬ କୋଟି ଖର୍ଚ୍ଚ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରୁ ବିଦ୍ୟୁତ ବଣ୍ଟନ ବାବଦରେ ୬ହଜାର କୋଟି ଓ ପରିବହନ  ବାବଦରେ ୩୭୫୬ କୋଟି ଖର୍ଚ୍ଚ କରିବାକୁ ଯୋଜନା  ରହିଛି । ଏ ନେଇ ସାହାଯ୍ୟର ହାତ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି ।  

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ  (ଏନ୍‌ଡିଏମ୍‌ଏ) ଜାତୀୟ ବିପର୍ଯ୍ୟୟ ପରିଚାଳନା  ପାଣ୍ଠିରୁ ସହାୟତା କରିବାକୁ ଅନୁରୋଧ  କରାଯାଇଛି । ଏହି ପ୍ରସଙ୍ଗରେ ୨୦୨୫ ଡିସେମ୍ବର  ୧୬ ତାରିଖରେ ଶକ୍ତି ବିଭାଗର ଦାୟିତ୍ୱରେ ଥିବା  ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କେନ୍ଦ୍ର  ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଥିଲେ ।  ପୁଣି ଚଳିତବର୍ଷ ଜୁନ ୧୬ ତାରିଖରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଶାହଙ୍କୁ  ଚିଠି ଲେଖିଛନ୍ତି । ରାଜ୍ୟରେ ବିପର୍ଯ୍ୟୟ ସହଣି  ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତୁତି  ଦିଗରେ ଏନ୍‌ଡିଏମ୍‌ଏ  ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  Weather Forecast: ଆଗକୁ ଆସୁଛି ବଡ଼ ବର୍ଷା, ୨୨ ତାରିଖରେ ଘୂର୍ଣ୍ଣିବଳୟ, ୨୩ରୁ ରାଜ୍ୟରେ ପ୍ରବଳ ଛେଚିବ

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ପ୍ରତିବର୍ଷ ବାତ୍ୟା ହେଉ କିମ୍ବା ବନ୍ୟାକୁ ମୁକାବିଲା କରୁଛି ।  ଗତ ୨୦ ବର୍ଷ ମଧ୍ୟରେ ୧୯୯୯ରେ ମହାବାତ୍ୟା  ଓ ପରେ ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି, ଫନି,  ଅମ୍ଫନ ଓ ୟାସ୍‌ ଯୋଗୁଁ ଓଡ଼ିଶାରେ ବିଦ୍ୟୁତ  ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ  ରାଜ୍ୟ ବିପର୍ଯ୍ୟୟ ସହଣି ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତୁତ  କରିବାକୁ ଚାହୁଁଛି । ବାତ୍ୟା ହେବା ମାତ୍ରେ ରାଜ୍ୟରେ  ଡାକ୍ତରଖାନାଠୁ ଆରମ୍ଭ କରି ବିଭିନ୍ନ ଜରୁରିକାଳୀନ  ସୁବିଧା ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ  ଦୀର୍ଘମିଆଦି ଯୋଜନାରେ ବାତ୍ୟା ଓ ବନ୍ୟାକୁ  ମୁକାବିଲା କରିବା ଭଳି ବିଦ୍ୟୁତ ଭିତ୍ତିଭୂମି ପ୍ରସ୍ତୁତ  କରିବାକୁ ଯୋଜନା କରୁଛି । ପୂର୍ବରୁ ବିପର୍ଯ୍ୟୟ  ମୁକାବିଲା ଭିତ୍ତିଭୂମି ପ୍ରସ୍ତୁତରେ ଓଡ଼ିଶାରେ ରେକର୍ଡ  ରହିଛି । ତେଣୁ ଏ ଦିଗରେ କେନ୍ଦ୍ର ସହଯୋଗ  କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।  

ଅପରପକ୍ଷେ ବିପର୍ଯ୍ୟୟ ସହଣି ବିଦ୍ୟୁତ  ଭିତ୍ତିଭୂମି ପାଇଁ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ  ପୋଲ୍‌  ଜରିଆରେ ନ କରି ଧୀରେ ଧୀରେ ଭୂତଳ କେବୁଲ୍‌  ଜରିଆରେ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି ।  ଏ ବାବଦରେ ପ୍ରାଥମିକ ଭାବେ ଭୂତଳ କେବୁଲ  ପାଇଁ ୧୩୬୫ କୋଟି ଓ ଏହା ସହ ସଂଯୋଗ  ସବଷ୍ଟେସନ ପାଇଁ ୨୩୧୬ କୋଟି ଖର୍ଚ୍ଚ କରିବାକୁ  ଯୋଜନା କରାଯାଇଛି ।  ଏବେ ରାଜ୍ୟର ସମସ୍ତ  ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ  ୩୭୦୮ କୋଟି ବ୍ୟୟରେ ଭୂତଳ କେବୁଲ ତାର  ବିଛାଯିବାକୁ ଚୂଡ଼ାନ୍ତ ହୋଇଛି । ଯାହା ଦ୍ୱାରା ବାତ୍ୟା  କିମ୍ୱା କାଳବୈଶାଖୀ ସମୟରେ ବିଦ୍ୟୁତ ସେବା  ବାଧାପ୍ରାପ୍ତ ହେବ ନାହିଁ ।

ଓଡ଼ିଶା ବିଦ୍ୟୁତ ବିତରଣ  କମ୍ପାନୀ ପାଇଁ ଏକ ସମଗ୍ର ସୁରକ୍ଷା ଡିପିଆର୍‌  ପ୍ରସ୍ତୁତ କରାଯାଉଛି । ବିପଜ୍ଜନକ ଖୋଲା, ତଳକୁ  ଝୁଲୁଥିବା ତାର ସ୍ଥାନାନ୍ତର, ଖାଲି କଣ୍ଡକ୍ଟର୍‌  ସ୍ଥାନରେ ଇନସୁଲେଟେଡ୍‌ କଣ୍ଡକ୍ଟର(ଆବରଣ  ଥିବା), ବିତରଣ ସବଷ୍ଟେସନ୍‌ ରେ ଫେନ୍ସିଂ  (ତାର ଜାଲି) ସ୍ଥାପନ, ପାୱାର ସବଷ୍ଟେସନ  ବାଉଣ୍ଡ୍ରି ୱାଲ୍‌ ଏବଂ ସୁରକ୍ଷା ପାଇଁ କ୍ରେଡେଲ୍‌/ ଗାର୍ଡ ତାର ବ୍ୟବସ୍ଥା କରାଯିବ ବୋଲି ସୂଚନା  ମିଳିଛି । ବିଶେଷ କରି ପୃଥକ୍‌ ଭାବେ ୩୩ କେଭି  ଭୂତଳ କେବୁଲ୍‌ ନେଟୱାର୍କ, ୩୩ କେଭି ଭୂତଳ  କେବୁଲ୍‌ ନେଟୱାର୍କ,  ଅଧିକ ଉଚ୍ଚସ୍ଥାନରେ  ସବଷ୍ଟେସନ କରିବା ଭଳି ଯୋଜନା କରାଯାଇଛି ।