ଭୁବନେଶ୍ୱର,୩୦/୦୫:  ଜୁନ୍‌ ୧୨ ସରକାରଙ୍କ ବର୍ଷ ପୂର୍ତ୍ତି । ଆୟୋଜନ ହେଉଛି ବିଶାଳ ରାଜ୍ୟସ୍ତରୀୟ ଉତ୍ସବ । ଗାଁରୁ ସହର ସବୁଠି ଚାଲିବ ଚର୍ଚ୍ଚା, ଆଲୋଚନା । ତା’ ସାଙ୍ଗକୁ ମେଗା ସାଂସ୍କୃତିକ ସମାରୋହ । ନାଚ, ଗୀତ, ନାଟକ ଓ ସିନେମାର ମହାପର୍ବ । ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ  ସ୍ୱତନ୍ତ୍ର ଯୋଜନା ହୋଇଛି । ଏହାର ଦାୟିତ୍ୱ ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଦିଆଯାଇଛି ।   

ପୂର୍ତ୍ତି ଦିବସ ଦିନ ଅର୍ଥାତ୍‌ ଆସନ୍ତା ଜୁନ୍‌ ୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନ ଠାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମ ଲାଗି ୫ ମିନିଟ୍‌ ଅବଧିର ଥିମ୍‌ ସଙ୍ଗ୍‌ ସହ  ୨୫ ମିନିଟ୍‌ ଅବଧିର ଦୃଶ୍ୟ-ଶ୍ରାବ୍ୟ ପ୍ରାମାଣିକ ଚିତ୍ର  ପ୍ରଦର୍ଶିତ ହେବ ଯାହା ସରକାରଙ୍କ ସଫଳତା ସହ ପୂର୍ତ୍ତି ପର୍ବର ପୂରା ଚିତ୍ରକୁ ଉପସ୍ଥାପନ କରିବ । ‘ଉତ୍କଳ  ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ । ପ୍ରସ୍ତୁତିର ଦାୟିତ୍ୱ ନେଇଛି ସୂଚନା ଓ ଲୋକ  ସମ୍ପର୍କ ବିଭାଗ । ଜୁନ୍‌ ୧୨ରୁ ୧୭ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ  ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ରାଜ୍ୟ ସଂଗ୍ରହାଳୟ  ସମେତ ଏହା ଅଧୀନ ରାଜ୍ୟରେ ଯେତେ ସଂଗ୍ରହାଳୟ  ରହିଛି ସବୁଠି ଧୂମ୍‌ଧାମ୍‌ରେ ରଜ ଉତ୍ସବ ପାଳନ ହେବ ।  ଓଡ଼ିଶାର କଳା, ହସ୍ତଶିଳ୍ପ, ସଂସ୍କୃତି ଓ ଐତିହ୍ୟକୁ ନେଇ  ପର୍ବ ପାଳନ ହେବ । 

ଓଡ଼ିଶା ଲଳିତ କଳା ଏକାଡେମୀ  ପକ୍ଷରୁ ‘ବିକଶିତ ଓଡ଼ିଶା-୨୦୩୬’ ଉପରେ  ଆଧାରିତ ଶିଳ୍ପ ଶିବିର ଅନୁଷ୍ଠିତ ହେବ । ଶିଳ୍ପୀମାନେ ଚିତ୍ରକଳାରେ ‘ବିକଶିତ ଓଡ଼ିଶା’କୁ କାନ୍‌ଭାସ୍‌ରେ  ରୂପ ଦେବେ । ଏହାଛଡ଼ା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ  ଗ୍ରନ୍ଥାଗାର ପକ୍ଷରୁ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ  ଉପରେ ଥିବା ତଥ୍ୟ ଓ ଦୃଶ୍ୟ-ଶ୍ରାବ୍ୟ ସମ୍ବଳିତ  ରେକର୍ଡ, ଚିତ୍ରକୁ ପ୍ରଦର୍ଶିତ କରାଯିବ । ଭୁବନେଶ୍ୱର  ସ୍ୱାଧୀନତା ସଂଗ୍ରାମୀ ପଡ଼ିଆ, ରାଜ୍ୟ ସଂଗ୍ରହାଳୟ ଓ  ଜୟଦେବ ଭବନଠାରେ ଏହି ପ୍ରଦର୍ଶନୀ ହେବ ଯେଉଁଠି  ଶୁଭିବ ସଂଗ୍ରାମୀଙ୍କ ବୀରତ୍ୱ ଓ ସଂଗ୍ରାମର କାହାଣୀ ।

ରବୀନ୍ଦ୍ର ମଣ୍ଡପରେ ୧୧ ମହାପୁରୁଷଙ୍କ ଜୀବନୀ ନାଟକ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜୁନ୍‌ ୧୨ରୁ  ୧୯ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶାର ୧୧ ଜଣ  ବରପୁତ୍ରଙ୍କ ଜୀବନୀ ଆଧାରିତ ନାଟକ ମଞ୍ଚାୟନ ହେବ ।  ସେମାନଙ୍କ ମଧ୍ୟରେ ରହିଛନ୍ତି³ ମଧୁବାବୁ, ଫକୀର  ମୋହନ ସେନାପତି, ପାରଳା ମହାରାଜା, ବୀର ସୁରେନ୍ଦ୍ର  ସାଏ, ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର, ଉପେନ୍ଦ୍ର  ଭଞ୍ଜ, ଭୀମ ଭୋଇ, ରମା ଦେବୀ, କୁନ୍ତଳା କୁମାରୀ  ସାବତ ଓ ସାରଳା ଦାସ । ଭଞ୍ଜକଳା ମଣ୍ଡପରେ ଓଡ଼ିଶାର  କିମ୍ବଦନ୍ତୀ ସଙ୍ଗୀତ ଶିଳ୍ପୀଙ୍କ ସ୍ମୃତିରେ ତାଙ୍କ ଗୀତକୁ  ନେଇ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହେବ । ଏହି କିମ୍ବଦନ୍ତୀ  ଶିଳ୍ପୀଙ୍କ ମଧ୍ୟରେ ରହିଛନ୍ତି³ ଭିକାରୀ ବଳ, ଅକ୍ଷୟ  ମହାନ୍ତି, ପ୍ରଫୁଲ୍ଲ କର, ଚିତ୍ତ ଜେନା ଓ ଅନ୍ୟମାନେ ।

ଏକକାଳୀନ ୩୦ କ୍ଲାସିକ୍‌ ସିନେମା ଦେଖିବାର ଅପୂର୍ବ ସୁଯୋଗ  

ଏକକାଳୀନ ୩୦ଟି କାଳଜୟୀ ତଥା କ୍ଲାସିକ୍‌  ଓଡ଼ିଆ ସିନେମା ଦେଖିବାର ଅପୂର୍ବ ସୁଯୋଗ  ପାଇବେ ଦର୍ଶକ । ଭୁବନେଶ୍ୱରର ଜୟଦେବ  ଭବନ ସମେତ ବ୍ରହ୍ମପୁର, ରାଉରକେଲା  ଏବଂ ସମ୍ବଲପୁରର ପ୍ରମୁଖ ସ୍ଥାନରେ ସିନେ  ଐତିହ୍ୟର ପ୍ରଚାର, ପ୍ରସାର କରାଯିବ ।  ଏହି ଅବସରରେ ଦର୍ଶକ ‘ଅଭିମାନ’,  ‘ଶେଷ ଶ୍ରାବଣ’, ଗୌରୀ’, ‘ମା ଓ ମମତା’,  ‘ରାମାୟଣ’, ‘ବନ୍ଧୁ ମହାନ୍ତି’, ‘କୃଷ୍ଣ ସୁଦାମା’,  ‘ଭକ୍ତ ସାଲବେଗ’, ‘ସୀତା ବିବାହ’, ‘ଜଗା  ହାତରେ ପଘା’, ‘ବଳିଦାନ’, ‘ଗପ ହେଲେ ବି  ସତ’, ‘ନାଗଫାଶ’, ‘ପୂଜା’, ‘ଧରିତ୍ରୀ’, ‘ବଧୂ  ନିରୁପମା’, ‘ଫୁଲ ଚନ୍ଦନ’, ‘ହାକିମ୍‌ ବାବୁ’,  ‘ଉଲ୍‌କା’, ‘ପୁନର୍ମିଳନ’, ‘ଦଣ୍ଡା ବାଳୁଙ୍ଗା’,  ‘ମଥୁରା ବିଜୟ’, ‘ଲଳିତା’, ‘ଯାଯାବର’,  ‘ଅରୁନ୍ଧତୀ’, ‘ଅମଡ଼ା ବାଟ’, ‘ଅସ୍ତରାଗ’,  ‘ସ୍କୁଲ୍‌ ମାଷ୍ଟର୍‌’, ‘ସ୍ତ୍ରୀ’ ଓ ‘ଭାଇ ଭାଉଜ’  ସିନେମା ଦେଖିବାକୁ ସୁଯୋଗ ପାଇବେ ।