ଭୁବନେଶ୍ୱର,୦୫/୦୮: ରାଜ୍ୟ ଶସକ୍ତ ହେଲେ ମହିଳା । ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ୟ ସରକାର । ବିନା ସୁଧରେ ୧୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବେ । ସରକାର ଯେଉଁ ଆର୍ଥିକ ସହଯୋଗ ଦେଉଛନ୍ତି ତାକୁ ବ୍ୟାଙ୍କ୍ ସହ ସଂଯୋଗ କରାଯିବ । ବର୍ଷେ ଭିତରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଇବାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଯେଉଁମାନେ ଲକ୍ଷପତି ଦିଦି ହୋଇ ସାରିଲେଣି ଓ ଯଦି ଏସ୍ଏଚ୍ଜି ସହ ଅଛନ୍ତି, ସେମାନଙ୍କ ସୁଧ ଛାଡ଼ କରାଯିବ । ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଭଉଣୀଙ୍କ ସହ ଆଲୋଚନା କରିଛନ୍ତି । ସଫଳ ସୁଭଦ୍ରା ଭଉଣୀଙ୍କୁ ସେମାନଙ୍କ କାହାଣୀ ବିଭାଗକୁ ଚିଠି ଲେଖି ପଠାଇବାକୁ କହିଛନ୍ତି । ସେମାନଙ୍କ ସଫଳ ବିଜିନେସ୍ ମଡେଲକୁ ବିଭାଗୀୟ ୱେବସାଇଟ୍ରେ ସ୍ଥାନ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୋମବାର ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ବିଭାଗୀୟ ସମ୍ମିଳନୀ କକ୍ଷରେ ସୁଭଦ୍ରା ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ସୁଭଦ୍ରା ଭଉଣୀଙ୍କ ସହ ଆଭାସୀ ମାଧ୍ୟମରେ କଥା ହୋଇଥିଲେ । ସୁଭଦ୍ରା ସହାୟତା ରାଶିର ବ୍ୟବହାର ସମ୍ବନ୍ଧରେ ସେ ଆଲୋଚନା କରିଥିଲେ । ସୁଭଦ୍ରା ଭଉଣୀମାନଙ୍କ ପାଇଁ ଗାଁ ଅର୍ଥନୀତି ଓ ଗାଁରେ ଡିଜିଟାଇଜେସନ ସୁଦୃଢ଼ ହୋଇପାରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ । ମହିଳାମାନେ ପରସ୍ପରକୁ ସାହାଯ୍ୟ କରି ଏକ ଶୃଙ୍ଖଳ ମାଧ୍ୟମରେ ଅର୍ଥାତ ଭେଲ୍ୟୁ ଆଡେଡ୍ ଚେନ୍ ମାଧ୍ୟମରେ ଉନ୍ନତି ପଥରେ ଅଗ୍ରସର ହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମାଲକାନଗିରି ଜିଲ୍ଲାର ମେରି ହରିଜନ ସୁଭଦ୍ରା ସହାୟତାକୁ ବ୍ୟବହାର କରି ସିଲେଇ କାର୍ଯ୍ୟ କରୁଥିବା ବେଳେ ବାଲେଶ୍ୱରର ସରସ୍ୱତୀ ଜେନା ତାଙ୍କ ବିଉଟି ପାର୍ଲରକୁ ଆଗକୁ ବଢ଼େଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମମତା ପଟ୍ଟନାୟକ ଚାନ୍ଦୁଆ କାମ ଆରମ୍ଭ କରିଥିବା ବେଳେ ବଲାଙ୍ଗୀରର ପ୍ରମିଳା ତାଣ୍ଡି ଶାଢ଼ି ବୁଣା କାମ କରୁଛନ୍ତି । କିଏ ଛତୁ ଚାଷ ତ କିଏ ଛୋଟ ଟିଫିନ୍ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଏହିପରି ଭାବେ ସୁଭଦ୍ରା ହିତାଧିକାରୀମାନେ ନିଜ ନିଜର ଉଦ୍ୟମିତା କାହାଣୀ ବଖାଣିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।