କଟକ,୦୭/୦୭: ଓଡ଼ିଶା ବିଧାନସଭା ସଚିବାଳୟ ରିପୋଟର୍ସ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତିକୁ ରଦ୍ଦ କରିବା ଆଦେଶକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଆବେଦନକାରୀଙ୍କୁ ଚାରି ସପ୍ତାହ ମଧ୍ୟରେ ନିଯୁକ୍ତି ଦେବାକୁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ସୌରଭ ରାଉତ ଏବଂ ବିଶ୍ୱଜ୍ୟୋତି ବେହେରାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଏହି ରାୟ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ୨୦୨୧ ମସିହାରେ ଓଡ଼ିଶା ବିଧାନସଭା ସଚିବଙ୍କ ପକ୍ଷରୁ ୭ ରିପୋଟର୍ସ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବେଦନକାରୀ ଦ୍ୱୟଙ୍କ ସମେତ ଅନ୍ୟମାନେ ଏହି ପଦ ଲାଗି ଚୟନ ହୋଇଥିଲେ । ପ୍ରାର୍ଥୀମାନଙ୍କ ନିଯୁକ୍ତିକୁ ଅନୁମୋଦନ ନିମନ୍ତେ ଚୟନ ବୋର୍ଡ ଗଠନ କରାଗଲା । କିନ୍ତୁ ବିନା କୌଣସି କାରଣ ଦର୍ଶାଇ ବୋର୍ଡକୁ ବନ୍ଦ କରି ଦିଆଗଲା । ଫଳରେ ଆବେଦନକାରୀମାନେ ନିଯୁକ୍ତି ପାଇପାରିନଥିଲେ । ଏହାକୁ ଚାଲେଞ୍ଜ କରି ସେମାନେ ହାଇକୋର୍ଟକୁ ଆସିଥିଲେ । ୨୦୨୩ ମସିହାରେ ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ପ୍ରତିପକ୍ଷଙ୍କୁ ଆବେଦନକାରୀଙ୍କ ନିଯୁକ୍ତି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ରାଜ୍ୟ ବିଧାନସଭା ହାଇକୋର୍ଟକୁ ରିଟ୍ ଅପିଲ୍ରେ ଆସିଥିଲେ । ଏହି ମାମଲାର ଶୁଣାଣି ଅବସରରେ ଚୟନ ବୋର୍ଡ ପକ୍ଷରୁ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ବାତିଲ୍ କରିଦିଆଯାଇଛି ବୋଲି ଅଦାଲତଙ୍କୁ ଦର୍ଶାଯାଇଥିଲା । ଫଳରେ ଆବେଦନକାରୀ ଦ୍ୱୟ ପୁନର୍ବାର ହାଇକୋର୍ଟରେ ଏହି ମାମଲା ରୁଜୁ କରିଥିଲେ ।
ଅଧିକ ପଢ଼ନ୍ତୁ :- ପାଠ୍ୟପୁସ୍ତକ ତ୍ରୁଟି ଘଟଣା : ଯାଞ୍ଚ ବିନା ଏନ୍ସିଇଆର୍ଟି ବହିରୁ ସିଧା କପି, ଯୋରନ୍ଦା ମେଳା ଚିତ୍ର ସ୍ଥାନରେ ସୁରଜକୁଣ୍ଡ ମେଳା
ହାଇକୋର୍ଟ ମାମଲାର ରାୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ, ଯାଞ୍ଚ୍ ପାଇଁ ଅରିଜିନାଲ୍ ଡକ୍ୟୁମେଣ୍ଟ ନମିଳିବା କାରଣରୁ ଚୟନ ପ୍ରକ୍ରିୟାକୁ ବାତିଲ୍ କରି ଦିଆଯାଇଛି ବୋଲି ପ୍ରତିପକ୍ଷଙ୍କୁ ପକ୍ଷରୁ ଦର୍ଶାଯାଇଛି । ନିଯୁକ୍ତି ପ୍ରକ୍ରିୟା ଶେଷ ହେବାର ପ୍ରାୟ ଦେଢ଼ ବର୍ଷ ପରେ ଯେଉଁ ଆଳ ଦେଖାଇ ପୂରା ନିଯୁକ୍ତି ପ୍ରକ୍ରିୟାକୁ ବାତିଲ୍ କରାଗଲା ତାହା ଯଥାର୍ଥ ନୁହେଁ ।