କଟକ,୧୦/୦୪: ସର୍ବସାଧାରଣଙ୍କ ଜମି ଏକ ବୃହତ୍ତର ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ । ଏଭଳି ଜମିକୁ  କେବେହେଲେ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନୁମତି ପ୍ରଦାନ  କରାଯାଇ ପାରିବ ନାହିଁ । ତେଣୁ ସର୍ବସାଧାରଣଙ୍କ ପାଇଁ  ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି କୌଣସି ବ୍ୟକ୍ତିଙ୍କ  ନାମରେ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ  ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ଯାଜପୁର ଜିଲ୍ଲାର ସନାତନ  ନାୟକଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ  ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି ।  

ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଅବଶ୍ୟ କିଛି  କିଛି ବିଶେଷ ଘଟଣାରେ ଏଥିପାଇଁ ଅନୁମତି ଦିଆଯାଇପାରେ ।  ଯେଉଁମାନେ ପ୍ରକୃତରେ ଭୂମିହୀନ ବା ଅନୁସୂଚିତ ଜାତି ଏବଂ  ଜନଜାତି ବର୍ଗର ଲୋକ ସେମାନଙ୍କୁ ଆବଶ୍ୟକସ୍ଥଳରେ ଏହି  ଜମିକୁ ଲିଜ୍‌ ସୂତ୍ରରେ ଦିଆଯାଇପାରେ । ସେହିପରି ସମୂହ  କାମରେ ଲାଗୁଥିବା ବିଦ୍ୟାଳୟ ଅବା ମେଡିକାଲ ନିର୍ମାଣ  କ୍ଷେତ୍ରରେ ସର୍ବସାଧାରଣଙ୍କ ଜମି ବ୍ୟବହାର କରାଯାଇପାରିବ  ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।  

ମାମଲାରୁ ଜଣାଯାଇଛି , ଯାଜପୁର ଜିଲ୍ଲା ଦଶରଥପୁର  ତହସିଲ୍‌ ଅନ୍ତର୍ଗତ କେଲେଙ୍ଗା ଗ୍ରାମରେ ଥିବା ଏକ ରକ୍ଷିତ  ଅନାବାଦି ଜମିରେ ଆବେଦନକାରୀ ଏକ ଆଜବେଷ୍ଟସ୍‌  ଘର ନିର୍ମାଣ କରିଥିଲେ । ଏହି ଜାଗାକୁ ଗତ ୩୦ବର୍ଷ ଧରି  ଆବେଦନକାରୀ ନିଜ କବ୍‌ଜାରେ ରଖି ଆସୁଥିଲେ । ୨୦୧୮  ମସିହାରେ ସ୍ଥାନୀୟ ଆରଆଇ ଏନେଇ ଆବେଦନକାରୀଙ୍କୁ  ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ । ପରେ ଜବରଦଖଲ ଉଚ୍ଛେଦ ପାଇଁ ତହସିଲ୍‌ଦାରଙ୍କ ପକ୍ଷରୁ ନୋଟିସ୍‌  କରାଯାଇଥିଲା । ଏହି ନୋଟିସ୍‌କୁ ଚାଲେଞ୍ଜ କରି ଆବେଦକାରୀ  ପ୍ରଥମେ ଯାଜପୁର ଉପଜିଲ୍ଲାପାଳ ଏବଂ ପରେ ଜିଲ୍ଲାପାଳଙ୍କ  ନିକଟରେ ଆବେଦନ କରିଥିଲେ । କିନ୍ତୁ ସେଠାରେ ଏହି  ଆବେଦନ ଖାରଜ ହୋଇଯାଇଥିଲା । ଏଥିସହ ତାଙ୍କୁ ୩୦ଦିନ  ମଧ୍ୟରେ ଉକ୍ତ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ଏହି ଆଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । 

ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି  କହିଛନ୍ତି ଯେ, ଆବେଦନକାରୀ ବେଆଇନ ଭାବେ ସରକାରୀ  ଜମିକୁ ନିଜ ଦଖଲରେ ରଖିଛନ୍ତି । ଆର୍‌ଆଇ ଯେଉଁ ରିପୋର୍ଟ  ଦେଇଛନ୍ତି ସେଥିରେ ଏହି ଜମିଟି ରକ୍ଷିତ ବୋଲି ଉଲ୍ଲେଖ  ହୋଇଛି । ଯେଉଁ ଜମିକୁ କାହାରି ବ୍ୟକ୍ତଗତ ନାମରେ କରାଯାଇ  ପାରିବ ନାହିଁ । ଆହୁରି ମଧ୍ୟ ଆବେଦନକାରୀଙ୍କର ନିଜସ୍ୱ ଜମି  ମଧ୍ୟ ରହିଛି । ତେଣୁ ଆବେଦନକାରୀଙ୍କ ପିଟିସନ୍‌ ଗ୍ରହଣୀୟ  ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ପୂର୍ବରୁ ଜାରି  କରିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ।