ଭୁବନେଶ୍ୱର,୨୩/୦୧:  ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ ମାର୍ଗରେ ଚମକିବେ ଓଡ଼ିଶାର ଦୁଇ ଘୋଡ଼ା । ଜଣେ ହେଲା ‘ତିତଲି’ ଆଉ ଜଣେ ହେଲା ‘ଭୋଡ଼କା’ । ଏଥିପାଇଁ ଉଭୟେ ଦିଲ୍ଲୀ ଯାଇଛନ୍ତି । ସେଠାରେ ଅଭ୍ୟାସ କରୁଛନ୍ତି । ଆଉ ତିନିଦିନ ପରେ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି । ଉଭୟଙ୍କ ଜଲୱା ସାରା ବିଶ୍ୱବାସୀ ଦେଖିବେ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପରିସରରେ ଥିବା ୧(ଓ) ଆରଆଣ୍ଡଭି ସ୍କ୍ୱାର୍ଡନ ଏନସିସି କାର୍ଯ୍ୟାଳୟର ଘୋଡା ହେଉଛନ୍ତି ତିତଲି ଓ ଭୋଡ଼କା । ଉଭୟେ ସେନାର ତାଲିମପ୍ରାପ୍ତ ଘୋଡା ହୋଇଥିବା ବେଳେ ଏନସିସି ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣରେ ଲାଗିଛନ୍ତି । ଏହି କେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ଯେତେସବୁ ଘୋଡା ରହିଆସୁଛନ୍ତି, ସେମାନେ ପ୍ରତିବର୍ଷ ଦିଲ୍ଲୀ ଯାଆନ୍ତି । ପୂର୍ବରୁ ୪ରୁ ୫ଟି ଘୋଡା ଦିଲ୍ଲା ପରେଡକୁ ଯାଉଥିଲେ । ହେଲେ ଏବେ ଏହି ସଂଖ୍ୟା ଏବେ ଦୁଇକୁ ଖସିଆସିଛି ।

ତିତଲି ଓ ଭୋଡକାଙ୍କ ପୂର୍ବରୁ ଟାର୍ଜନ ଦୀର୍ଘ ୧୪ବର୍ଷ ହେବ ଦିଲ୍ଲୀ ଯାଉଥିଲା । ପରେଡରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଦେଖାଉଥିଲା । ସେଥିପାଇଁ ଟାର୍ଜନକୁ ସମ୍ମାନଜନକ ଡିଜି ଏନସିସି କମଣ୍ଡେସନ୍ କାର୍ଡ ପୁରସ୍କାର ମିଳିଛି । ଚଳିତବର୍ଷ ତିତଲି ଓ ଭୋଡ଼କାଙ୍କ ପାଳି ପଡ଼ିଛି । ଏନସିସି କଟକ ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ନେତୃତ୍ୱ ତଥା ୧(ଓ) ଆରଆଣ୍ଡଭି ସ୍କ୍ୱାର୍ଡନ ଏନସିସିର କ୍ୟାଡେଟ୍ ସିନିଅର ଅଣ୍ଡର ଅଫିସର ଦିନେଶ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବେ ଘୋଡା ଦ୍ୱୟ ଅଭ୍ୟାସ କରୁଛନ୍ତି । ସେମାନେ କିପରି ଚାଲିବେ, ଅତିଥିଙ୍କ ସାମ୍ନାରେ କିଭଳି ବ୍ୟବହାର କରିବେ ସେ ଉପରେ ଧ୍ୟାନ ରଖାଯାଉଛି । ଘୋଡାମାନଙ୍କ ଖାଦ୍ୟପେୟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏମାନଙ୍କ ସମେତ ଏହି ଏନସିସି କେନ୍ଦ୍ରରୁ କ୍ୟାଡେଟ୍ ସୌମ୍ୟରଞ୍ଜନ ଓ କ୍ୟାଡେଟ୍ ଅନସୂୟା ମଧ୍ୟ ଦିଲ୍ଲୀ ଯାଇଛନ୍ତି ବୋଲି ସ୍କ୍ୱାର୍ଡନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ପି. ଦିନଦୟାଲନ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ:-ଗଣତନ୍ତ୍ର ଦିବସ ପରେଡ୍ ୨୦୨୬: କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ‘ସମୃଦ୍ଧିର ମନ୍ତ୍ର-ଆତ୍ମନିର୍ଭର ଭାରତ’