ନୂଆଦିଲ୍ଲୀ,୨୩/୦୧: ୭୬ ତମ ଗଣତନ୍ତ୍ର ଦିବସ ପରେଡ୍ ୨୦୨୬ ଅବସରରେ କର୍ତ୍ତବ୍ୟପଥରେ ହେବାକୁ ଥିବା ଭବ୍ୟ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ ‘ସମୃଦ୍ଧିର ମନ୍ତ୍ର- ଆତ୍ମନିର୍ଭର ଭାରତ’ ଦେଖିବାକୁ ମିଳିବ । ଏହି ମେଢ ଭୁବନେଶ୍ୱରର ଇମେଜରି ସଂସ୍ଥା ଦ୍ୱାରା ଡିଜାଇନ୍ କରାଯାଇଛି । ସମୃଦ୍ଧ ଭାରତରେ ଓଡ଼ିଶାର ଅବଦାନକୁ ନେଇ ଏହା ଆଧାରିତ । ଗଣତନ୍ତ୍ର ଦିବସର ଭବ୍ୟତାକୁ ଦେଖି ଏହାକୁ ସର୍ବାଧିକ ଆକର୍ଷଣୀୟ କରାଯାଇଛି । କୋରାପୁଟ କଫି ଠାରୁ ଆରମ୍ଭ କରି ଭୁବନେଶ୍ୱରରେ ନିର୍ମିତ ହେବାକୁ ଯାଉଥିବା ‘ସିଲିକନ୍ ଚିପ୍' ଏଥିରେ ସ୍ଥାନପାଇଛି । କୃଷି କ୍ଷେତ୍ରରେ ଓଡ଼ିଶାର ସଫଳତାଠାରୁ ଆରମ୍ଭ କରି ଆଇଟି କ୍ଷେତ୍ରରେ ରାଜ୍ୟର ପ୍ରତିଭାଙ୍କୁ ନେଇ ଓଡ଼ିଶା ବିକାଶ ଯାତ୍ରାର ଝଲକ ଗଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ।
ଓଡିଶାର ଏହି ପ୍ରଜ୍ଞାପନ ମେଢ଼ ଗୋଟିଏ ଟ୍ରାକ୍ଟର ଓ ଟ୍ରଲିକୁ ସଂଯୋଗ କରି ପ୍ରସ୍ତୁତ କରାଯାଇଛି । ସମ୍ବଲପୁରୀ ବସ୍ତ୍ର, ରାଜ୍ୟର ଆକର୍ଷଣୀୟ ପଟ୍ଟଚିତ୍ର ଓ ତାରକସି କାର୍ଯ୍ୟ ଦ୍ୱାରା ଏହି ପ୍ରଜ୍ଞାପନ ମେଢ଼ର ସାଜସଜ୍ଜା କରାଯାଇଛି । ମହିଳା ସଶକ୍ତୀକରଣକୁ ଦୃଷ୍ଟିରେ ରଖି ୧୮ ଜଣ ମହିଳା ଏହି ପ୍ରଜ୍ଞାପନ ମେଢରେ ଭାଗ ନେଉଛନ୍ତି । ଓଡ଼ିଶାର ଲୋକପ୍ରିୟ ଘୋଡାନାଚ ପ୍ରଜ୍ଞାପନ ମେଢର ଚାରିପଟେ ଦେଖିବାକୁ ମିଳିବ । ଏହାଛଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାମଧେନୁ ଯୋଜନା ଆଧାରରେ ପ୍ରଜ୍ଞାପନ ମେଢ ଆଧାରରେ ସ୍ଥାପନ କରାଯାଇଛି ଦୁଇଟି ଆକର୍ଷଣୀୟ ଷଣ୍ଢ ମୂର୍ତ୍ତି । ଏହି ପ୍ରଜ୍ଞାପନ ମେଢ ଶୁକ୍ରବାର କର୍ତ୍ତବ୍ୟପଥରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନୋଡାଲ ଅଫିସର ହରପ୍ରସାଦ ମହାପାତ୍ର ‘ପ୍ରମେୟ’କୁ କହିଛନ୍ତି।