ଭାରତ ଆଜି ବିଶ୍ୱ ମାନଚିତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ୨୦୪୭ ସୁଦ୍ଧା ଏକ "ବିକଶିତ ଭାରତ' ଗଠନର ଯେଉଁ ସଂକଳ୍ପ ନିଆଯାଇଛି, ସେଥିରେ ପର୍ଯ୍ୟଟନ ଏକ ପ୍ରମୁଖ କାରକ ସାଜିଛି । ଏହି ବିରାଟ ଜାତୀୟ ଲକ୍ଷ୍ୟ ପଥରେ ସଂକଳ୍ପିତ "ବିକଶିତ ଓଡ଼ିଶା ୨୦୪୭' ଏବଂ "ଉତ୍କର୍ଷ ଓଡ଼ିଶା ୨୦୩୬' ଅଭିଯାନରେ, ଆମେ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବାକୁ ଯାଉଛୁ । ବିଶେଷ କରି "ଆଡଭେଞ୍ଚର ଟୁରିଜିମ୍' ବା "ସାହସିକ ପର୍ଯ୍ୟଟନ' ଉପରେ ଧ୍ୟାନ କେନ୍ଦ୍ରିତ କରି, ଆମେ ଅର୍ଥନୈତିକ ପ୍ରଗତି ସହ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ପ୍ରାଧାନ୍ୟ ଦେଉଛୁ ।
ବିଶ୍ୱ ପର୍ଯ୍ୟଟନ ବଜାରରେ ଏବେ କେବଳ ଭ୍ରମଣ ନୁହେଁ, ବରଂ "ଅନୁଭୂତି'କୁ ଗୁରୁତ୍ୱ ଦିଆଯାଉଛି । ଟ୍ରେକିଂ, ଜଳକ୍ରୀଡ଼ା, ଆକାଶମାର୍ଗୀୟ ରୋମାଞ୍ଚକର କ୍ରୀଡ଼ା ଏବଂ ପ୍ରକୃତି କୋଳରେ ଅନ୍ୱେଷଣ କରିବା ପାଇଁ ଆଜିର ଯୁବପିଢ଼ି ବେଶ୍ ଉତ୍ସାହିତ । ଓଡ଼ିଶା ପାଇଁ ଏହା ଏକ ବିରାଟ ସୁଯୋଗ । ୪୮୦ କିଲୋମିଟରରୁ ଅଧିକ ଦୀର୍ଘ ବେଳାଭୂମି, ବିସ୍ତୀର୍ଣ୍ଣ ଚିଲିକା ହ୍ରଦ, ପ୍ରକୃତିର ଗନ୍ତାଘର ଶିମିଳିପାଳ ଓ ଭିତରକନିକା ଏବଂ ମନୋରମ ହୀରାକୁଦ ଜଳଭଣ୍ଡାର ଭଳି ପ୍ରାକୃତିକ ସମ୍ପଦ ଆମ ପାଖରେ ରହିଛି । ଏହି ସ୍ଥାନଗୁଡ଼ିକ କେବଳ ଦର୍ଶନୀୟ ସ୍ଥାନ ନୁହେଁ, ବରଂ ଏହା ଆମର ସହଜାତ ଶକ୍ତି, ଯାହା ଓଡ଼ିଶାକୁ ଏକ ଗ୍ଲୋବାଲ୍ ଆଡଭେଞ୍ଚର ହବ୍ରେ ପରିଣତ କରିବାର ସାମର୍ଥ୍ୟ ରଖେ ।
କୌଣସି ବି ଶିଳ୍ପର ବିକାଶ ପାଇଁ ଏକ ସୁଦୃଢ଼ ନିୟମାବଳୀର ଆବଶ୍ୟକତା ରହିଥାଏ । ପ୍ରଥମ ଥର ପାଇଁ, ଓଡ଼ିଶା ସରକାର ପର୍ଯ୍ୟଟନ କାର୍ଯ୍ୟକଳାପର ବର୍ଗୀକରଣ, ବାଧ୍ୟତାମୂଳକ ସୁରକ୍ଷା ମାନଦଣ୍ଡ, ପ୍ରମାଣପତ୍ର ମାନଦଣ୍ଡ, ବୀମା ଆବଶ୍ୟକତା, ଉଦ୍ଧାର ପ୍ରସ୍ତୁତି ଏବଂ ତଦାରଖ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ଢାଞ୍ଚା ସ୍ଥାପନ କରିଛନ୍ତି । ଆମ ସରକାର ଦ୍ୱାରା ପ୍ରଣୀତ "ସାହସିକ ପର୍ଯ୍ୟଟନ ମାର୍ଗଦର୍ଶିକା – ୨୦୨୫' ଏହି ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିରେ ପ୍ରଥମ ଥର ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ।
ନିୟନ୍ତ୍ରଣ ଓ ସ୍ୱଚ୍ଛତା
"ଲାଇସେନ୍ସ ଟୁ ଅପରେଟ୍' ଏବଂ "ରିକୋଗ୍ନିସନ୍ ଟୁ ସେଟ୍-ଅପ୍' ଭଳି ବ୍ୟବସ୍ଥା ଜରିଆରେ କେବଳ ଯୋଗ୍ୟ ଓ ଦକ୍ଷ ପରିଚାଳକମାନେ ହିଁ ସୁଯୋଗ ପାଇବେ । ଆମ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ– ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧିକୁ ସକ୍ଷମ କରିବା ସହିତ କାର୍ଯ୍ୟଶୈଳୀକୁ ଅଧିକ କୁଶଳୀ, ନିୟନ୍ତ୍ରଣ ଏବଂ ନିୟମିତ କରିବା ।
ଡିଜିଟାଲ୍ ସମାଧାନ
ବ୍ୟାବସାୟିକ ସୁଗମତା ପାଇଁ "ଗୋ-ଆଡଭେଞ୍ଚର' ପୋର୍ଟାଲ ଶୁଭାରମ୍ଭ କରାଯାଇଛି, ଯାହା ଆବେଦନଠାରୁ ଆରମ୍ଭ କରି ଅନୁମୋଦନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ ।
ସାହସିକ ପର୍ଯ୍ୟଟନରେ ଅନେକ ବିପଦ ଓ ଅପ୍ରତ୍ୟାଶିତ ପ୍ରତିକୂଳତାର ସମ୍ଭାବନା ରହିଥାଏ । ଆମର ଲକ୍ଷ୍ୟ, ସେପରି ସମସ୍ତ ସମ୍ଭାବନାକୁ ଦୂରୀଭୂତ କରିବା– ଜିରୋ ସ୍ତରକୁ ଆଣିବା । ଏଥିପାଇଁ ଆମେ ଭାରତର ପ୍ରମୁଖ ଅନୁଷ୍ଠାନ ଯଥା- ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର୍ ସ୍ପୋର୍ଟସ୍, ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍ ଏବଂ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ ସହିତ ଚୁକ୍ତିବଦ୍ଧ ହୋଇଛୁ । ଏହି ସହଭାଗିତା ଦ୍ୱାରା ଆମ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଓ ବୈଷୟିକ ଜ୍ଞାନ ପ୍ରଦାନ କରାଯିବ ।
ସେହିପରି, କୋଣାର୍କଠାରେ ପ୍ରତିଷ୍ଠିତ ହୋଇଥିବା "ଓସୱାଲି'– ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନ୍ଶିପ୍ ଆଣ୍ଡ ଲାଇଫ୍ଗାର୍ଡ ଇନଷ୍ଟିଚ୍ୟୁଟ୍ ଜଳକ୍ରୀଡ଼ା କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବ । ଏହି ଅନୁଷ୍ଠାନ ଜୀବନରକ୍ଷକ ଏବଂ ପର୍ଯ୍ୟଟନ କ୍ରୀଡ଼ା କର୍ମଚାରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ତାଲିମ କେନ୍ଦ୍ର । ଆଗାମୀ ସମୟରେ ଆମ ରାଜ୍ୟର ଏହି ଅନୁଷ୍ଠାନ, ଅନ୍ତର୍ଜାତୀୟ ସ୍ତରରେ ଆଦୃତ ଘଓଡଝ ଭଳି ଅନୁଷ୍ଠାନରେ ପରିଣତ ହେବ, ଯାହା ସ୍ୱଦେଶୀ ତାଲିମ କ୍ଷମତାକୁ ସୁଦୃଢ଼ କରିବ । ପର୍ଯ୍ୟଟନରେ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଉଦ୍ଧାର କାର୍ଯ୍ୟ ପାଇଁ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀଙ୍କ ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ଦଳ ପ୍ରସ୍ତୁତ କରାଯାଉଛି ।
ସାହସିକ ପର୍ଯ୍ୟଟନ କେବଳ ମନୋରଞ୍ଜନ ନୁହେଁ, ଏହା ହଜାର ହଜାର ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ନୂତନ ରୋଜଗାରର ପନ୍ଥା । ଆମର ଏହି ସୁସଂଗଠିତ ପ୍ରୟାସ ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ବଜାରରେ "ରୋମାଞ୍ଚର କେନ୍ଦ୍ରସ୍ଥଳୀ' ଭାବେ ଉଭା କରିବ । ଆମେ ବିଶ୍ୱକୁ ନିମନ୍ତ୍ରଣ କରୁଛୁ । ଆସନ୍ତୁ, ଓଡ଼ିଶାରେ ସୁରକ୍ଷିତ ଓ ଅବିସ୍ମରଣୀୟ ସାହସିକ ପର୍ଯ୍ୟଟନର ଆନନ୍ଦ ନିଅନ୍ତୁ । ଆମର ଦୃଢ଼ ବିଶ୍ୱାସ, ଓଡ଼ିଶା ପର୍ଯ୍ୟଟନର ଏହି ନୂତନ ଅଧ୍ୟାୟ ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା ସହ "ବିକଶିତ ଓଡ଼ିଶା'ର ସ୍ୱପ୍ନକୁ ସାକାର କରିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।