କଟକ, ୩୧/୦୩:   ଆସନ୍ତା ୧ ତାରିଖ ଉତ୍କଳ ଦିବସରେ ଓଡ଼ିଶା ଜନତା କଂଗ୍ରେସ(ଓଜେସି) କଟକ ସହରରେ ତାର ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିବ । ସେଦିନ ହିଁ ସହରରେ ଓଜେସି ମୂଳଦୂଆ ପକାଇବ । ଇଂ. ମହମ୍ମଦ ମୋକିମ୍ ଦଳର ନେତୃତ୍ୱ ନେଉଥିବାରୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏହି ରାଜନୈତିକ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ତାଙ୍କ ଶିବିର ଚଳଚଞ୍ଚଳ ହୋଇଉଠିଛି ।

ବିଜୁ ପଟ୍ଟନାୟକ ଛକ ନିକଟବର୍ତ୍ତୀ ଖୀଷ୍ଟିଆନ୍ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଓଜେସି କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ନେତା, କର୍ମୀ ସାମିଲ୍ ହେବା ପାଇଁ ଲକ୍ଷ୍ୟ ରହିଛି । ଏଥିରେ ନଗର କଂଗ୍ରେସର ବିଭିନ୍ନ ୱାର୍ଡ ସଭାପତିଙ୍କ ଠାରୁ ଆରମ୍ଭ କରି ବହୁ କର୍ମୀ, ସଂଗଠକ ଓ ଅନେକ ଛାମୁଆ ନେତା, ପୂର୍ବତନ କର୍ପୋରେଟର୍ ଓ କର୍ପୋରେଟର୍ ପ୍ରାର୍ଥୀଙ୍କୁ ଓଡ଼ିଶା ଜନତା କଂଗ୍ରେସରେ ସାମିଲ୍ କରାଇବେ । ତେବେ ବିଧାୟିକା ସୋଫିଆ ଫିରଦୋସ୍ କିମ୍ବା କଂଗ୍ରେସ ଟିକେଟ୍ରୁ ଜିତିଥିବା କର୍ପୋରେଟର୍ ଏ ସମାବେଶରେ ଯୋଗ ଦେବେ ନାହିଁ ବୋଲି ଖବର ମିଳିଛି । ମୋକିମ୍‌ଙ୍କ ପ୍ରତି ଅନେକ କଂଗ୍ରେସ କର୍ପୋରଟରଙ୍କ ଖୋଲା ସମର୍ଥନ ରହିଥିଲେ ମଧ୍ୟ ଦଳବଦଳ ଆଇନକୁ ଦୃଷ୍ଟିରେ ରଖି ସଭ୍ୟପଦ ବଜାୟ ରଖିବା ପାଇଁ ଏବେକା ସ୍ଥିତିରେ ଓଜେସିର ରାଜନୈତିକ କାର୍ଯ୍ୟକ୍ରମରେ ସେମାନେ ସାମିଲ୍ ହେବେ ନାହିଁ ବୋଲି ଜଣାଯାଇଛି ।

ଅଧିକ ପଢ଼ନ୍ତୁ :- ବେଆଇନ ବାଲି ଚାଲାଣ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ମୋଟରଯାନ ଆଇନରେ କାର୍ଯ୍ୟାନୁଷ୍ଠାନ ମନା

ସାଲେପୁର କାର୍ଯ୍ୟକ୍ରମ ପରେ ଏପ୍ରିଲ୍ ୧ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲିରେ ଏକ ମିଶ୍ରଣ ପର୍ବ ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଦିନ ବେଳା ନିଶ୍ଚିନ୍ତକୋଇଲିରୁ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ସହରରେ ବଡ଼ ସମ୍ମିଳନୀ ଆୟୋଜନ କରିବା ପାଇଁ ଓଜେସି ପ୍ରସ୍ତୁତି ଚଳାଇଛି । ଅନ୍ୟପକ୍ଷରେ ବରିଷ୍ଠ ନେତ୍ରୀ ଗିରିବାଳା ବେହେରା କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ଓଜେସିରେ ସକ୍ରିୟ ଅଛନ୍ତି । ସେ ପିସିସି ସଭାପତି ଭକ୍ତ ଦାସଙ୍କୁ କଟୁ ସମାଲୋଚନା କରିବା ସହ କଟକରେ କଂଗ୍ରେସକୁ ଦୁର୍ବଳ କରିବା ପଛରେ ଭକ୍ତଙ୍କ ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଦୀର୍ଘ ୨୪ ବର୍ଷ କାଳ ବିଜେଡି ସରକାରରେ ରହି କଂଗ୍ରେସକୁ ଦୁର୍ବଳ କରିଛି । ନିର୍ବାଚନରେ କଂଗ୍ରେସର ବହୁତ କ୍ଷତି କରିଥିବା ବିଜେଡି ନେତାଙ୍କ ଶରଣରେ ଏବେ ଭକ୍ତ ବାବୁ ପଶିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ସହରବାସୀଙ୍କ ସମସ୍ୟା ନେଇ ଓଜେସି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ କଂଗ୍ରେସର ବିକଳ୍ପ ଭାବେ କଟକବାସୀଙ୍କ ସହ ରହିବ ବୋଲି ଗିରିବାଳା କହିଛନ୍ତି । କଟକରୁ ଆରମ୍ଭ ହେଉଥିବା ଏହି ସଂଗଠନ ଆଗାମୀ ପୌର ଓ ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମୋକିମ୍ କହିଛନ୍ତି । ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଓ ଲୋକଙ୍କ ସମସ୍ୟାକୁ ନେଇ ଓଜେସି ଲଢ଼େଇ କରିବାକୁ ତାର ନୀତି ସ୍ପଷ୍ଟ କରିଛି । ଯୁବକମାନଙ୍କୁ ସଂଗଠନରେ ଅଗ୍ରାଧିକାର ଦେଉଥିବା ଦଳ ଭାବେ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଓଜେସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।