ଭୁବନେଶ୍ୱର,୦୬/୦୧: କିଛି ନିର୍ଯାସ ବାହାରି ପାରିଲାନି । ରାଇସ୍ ମିଲର୍ ମହାସଂଘ ସହ ଯୋଗାଣ ନିଗମର ଆଲୋଚନା ବିଫଳ ହୋଇଛି । ଏବେ ମିଲର୍ ମହାସଂଘ ନିଷ୍ପତ୍ତି ନେଇଛି ମଙ୍ଗଳବାର ଠାରୁ ରାଜ୍ୟର ସବୁ ଜିଲ୍ଲାରେ ମଣ୍ଡିରୁ ଧାନ ଉଠାଇବେନି । ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବର୍ଷ ଯାକ ପରିଶ୍ରମ କରି ଉତ୍ପାଦନ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବାକୁ ଯିବା ବେଳେ ବିଭିନ୍ନ ସମସ୍ୟା ଉପଜୁଛି । କେତେବେଳେ କଟ୍ନିଛଟନି ହେଉଛି ତ ପୁଣି କେବେ ଟୋକନ୍ ଦେବାରେ ଟାଳଟୁଳ ନୀତି । ପୁଣି ଏବେ ମିଲର୍ ମହାସଂଘ ସହ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି ) କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆଲୋଚନା ବିଫଳ ହେବା ପରେ ଧାନ ସଂଗ୍ରହରେ ଏକ ପ୍ରକାର ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି ।
ଗତକାଲି ମିଲରମାନେ ମଣ୍ଡିରୁ ଧାନ ଉଠାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଆଲୋଚନା ହୋଇଥିଲା । ମନ୍ତ୍ରୀ ମହାସଂଘ ସଦସ୍ୟମାନଙ୍କୁ ଆପଣଙ୍କ ଦାବି ଯଥାର୍ଥ ବୋଲି କହିଥିଲେ । ମୁଁ ନିଗମ ଏମ୍ଡିଙ୍କ ସହ କଥା ହୋଇଛି, ଆପଣମାନେ ଆଲୋଚନା କରି ସମାଧାନ ବାହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ହେଲେ ଆଜି ଆଲୋଚନା ବେଳେ କୌଣସି ନିଷ୍କର୍ସ ବାହାରି ନଥିଲା ବୋଲି ଅଲ୍ ଓଡ଼ିଶା ରାଇସ ମିଲର୍ ଆସୋସିଏସନ୍ ସଭାପତି ମହେଶ ବଂଶଲ୍ ଓ ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦୀପକ ରଞ୍ଜନ ଦାସ କହିଛନ୍ତି । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବ ଭଳି ଦେବାକୁ ଦାବି କରିଛି ମହାସଂଘ।