ଭୁବନେଶ୍ବର, ୧୭/୦୫: ସାବଧାନ ! ଏଣିକି ଅପରାଧୀଙ୍କ ଉପରେ ହେବ ଏହି ଭଳି ଆକ୍ସନ । ୨୪ ଘଣ୍ଟାରେ ଦୁଇଟି ପରେ ଏନକାଉଣ୍ଟର ପରେ ପେସାଦାର ଅପରାଧୀଙ୍କୁ ପୁଲିସ ମୁଖିଆଙ୍କ କଡ଼ା ଚେତାବନୀ । ଅପରାଧ ଘଟାଇବା ପାଇଁ ଯେଉଁମାନେ ଚିନ୍ତା କରୁଛନ୍ତି ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ । ଗତ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ୧୭ଶହ ୭୧ ଜଣଙ୍କୁ NBW ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲଗାଯାଇଛି । ୫୦ ରୁ ଉର୍ଦ୍ଧ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି ।

ସେହିଭଳି ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖା ଯାଇଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋ ରେ କାର୍ଯ୍ୟ କରୁଛନ୍ତି । ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ କଡା ନଜର ରହିଛି। ଖଣିଜ ଚୋରା ଚାଲାଣକାରୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉଛି । ଖଣି ମାଫିଆଙ୍କ ଉପରେ ନଜର ରହିଛି। ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ ହୋଇଛି । ଗୋଚାଲାଣ କ୍ଷେତ୍ରରେ ମଧ୍ୟ ୫ ଟି ମାମଲା ରୁଜୁ କରାଯାଇଛି।  ସଡ଼କ ସୁରକ୍ଷା କ୍ଷେତ୍ରରେ ମଧ୍ୟରେ ଅମାନିଆ ଡ୍ରାଇଭର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ଏହି ସ୍ପେଶାଲ ଡ୍ରାଇଭ ବଳବତ୍ତର ରହିବ ବୋଲି ଡିଜିପି ଓ୍ବାଇ ବି ଖୁରାନିଆ କହିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ ଚାଲିଥିଲା । ଏହି ସମୟରେ ଖସିଯିବାକୁ ଉଦ୍ୟମ କରିଥିଲା ଅପରାଧୀ ମନିଷ ସାହୁ। ଚକମା ଦେବାକୁ ସେ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁ ନାଁରେ ପୂର୍ବରୁ ଏକାଧିକ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି। ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ କରାଯାଇଛି ।

ସେପଟେ ବ୍ରହ୍ମପୁରରେ ଗତକାଲି ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକଙ୍କୁ ଏନକାଉଣ୍ଟର କରିଛି ପୁଲିସ । ପୁଲିସର ମୋଣ୍ଟ ଓ୍ବାଣ୍ଟେଡ୍ ଲିଷ୍ଟରେ ଦୀର୍ଘଦିନ ଧରି ରହିଥିଲା ଦୀପୁନା। ତେବେ ଦୀପୁନା ପୁଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଛି। ଦୀପୁନାଙ୍କ ଆହତ ଅବସ୍ଥାରେ ଏମକେସିଜିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନେକ ହତ୍ୟା ମାମଲରେ ଦୀପୁନା ସମ୍ପୃକ୍ତ ରହିଛି ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ- Sundargarh Firing: ଡରାଉଥିଲେ ନା ମାରିବାକୁ ଥିଲା ଯୋଜନା, ଫାଙ୍କା ଗୁଳିମାଡ଼ କରି ଫେରାର ହେଲେ ଦୁର୍ବୃତ୍ତ​​​​​​​