ଭୁବନେଶ୍ବର: ଅନନ୍ୟ ଓ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ । ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ବିକାଶ ସହିତ ଏହାର ଗବେଷଣା, ଦସ୍ତାବିଜୀକରଣ ଓ ପ୍ରଶିକ୍ଷଣ କ୍ଷେତ୍ରରେ କେନ୍ଦ୍ର ନିରନ୍ତର କାର୍ଯ୍ୟ କରିଆସୁଛି । ଓଡ଼ିଶୀ ସଙ୍ଗୀତର ସଂରକ୍ଷଣ ଓ ପ୍ରଚାରରେ କେନ୍ଦ୍ରର ଅବଦାନ ଅପରିସୀମା । ପ୍ରାୟ ୫୦୦୦ ଘଣ୍ଟାର ଭିଡ଼ିଓ ସହିତି ୪୦୦୦ ଘଣ୍ଟାର ଅଡ଼ିଓ ରେକର୍ଡିଂ କେନ୍ଦ୍ରରେ ଉପଲବ୍ଧ । ପାରମ୍ପରିକ ଚମ୍ପୂ, ଛାନ୍ଦ, ରାଗ ଓ ବିଭିନ୍ନ ନୃତ୍ୟୋପଯୋଗୀ ସଙ୍ଗୀତକୁ ସଂଗ୍ରହ, ସଂରକ୍ଷଣ ଏବଂ ରେକର୍ଡିଂ ମାଧ୍ୟମରେ ଭବିଷ୍ୟତ ପିଢ଼ି ପାଇଁ କେନ୍ଦ୍ର ସାଇତି ରଖିଛି । ଏହି ସଙ୍ଗୀତ ସମ୍ଭାର ଆଜି ଓଡ଼ିଶୀ ନୃତ୍ୟର ଶିକ୍ଷା ଓ ଗବେଷଣାରେ ମୂଲ୍ୟବାନ ସହାୟକ ହୋଇପାରିଛି ।
ଅନ୍ୟପକ୍ଷରେ, ଗୋଟିପୁଅ ନୃତ୍ୟ, ମାହାରୀ ନୃତ୍ୟ, ପ୍ରହଲ୍ଲାଦ ନାଟକ, ସଖୀନାଟ, ଢୁମ୍ପା ସଙ୍ଗୀତ, ପାଲା, ଦାସକାଠିଆ ଭଳି ଲୋକ ସଙ୍ଗୀତ, ନୃତ୍ୟ ଓ ପାରମ୍ପରିକ କଳାର ଦସ୍ତାବିଜୀକରଣ କରି କେନ୍ଦ୍ର ଅମୂଲ୍ୟ ସାଂସ୍କୃତିକ ଭଣ୍ଡାର ସୃଷ୍ଟି କରିଛି । କେନ୍ଦ୍ର ଦ୍ୱାରା ବିଶିଷ୍ଟ ଗବେଷଣାତ୍ମକ ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳକୁ ଏବଂ ଅନେକ ମଠ, ଜାଗା ଆଖଡ଼ା ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକ ପରିର୍ଦଶନରେ ପଠାଯାଇଛି । ସେଠାରେ ବିଭିନ୍ନ ସମୟରେ ଅନୁଷ୍ଠିତ ପାରମ୍ପରିକ ପର୍ବ ପର୍ବାଣୀ ସମୟର ଭିଡିଓ ଓ ଅଡିଓ ରେକର୍ଡିଂ ମାଧ୍ୟମରେ ସଂଗ୍ରହ ଦସ୍ତାବିଜଗୁଡ଼ିକ ଆଜି ଓଡ଼ିଶୀ ନୃତ୍ୟର ବିକାଶ ଇତିହାସର ଅମୂଲ୍ୟ ସମ୍ପଦ ଭାବେ ବିବେଚିତ ହେଉଛି ।
କେନ୍ଦ୍ର କେବଳ ଏକ ପ୍ରଶିକ୍ଷଣ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଗବେଷଣା ଓ ପ୍ରସାରର ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଅତୀତରେ କେନ୍ଦ୍ର ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ଦଳ ଗଠନ କରାଯାଇ ଦେଶର ବିଭିନ୍ନ ମର୍ଯ୍ୟାଦାଜନକ ଉତ୍ସବ ଓ ମହୋତ୍ସବରେ ଉଚ୍ଚକୋଟୀର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଛି । ଯାହା କେନ୍ଦ୍ରର ମର୍ଯ୍ୟାଦା ବଢ଼ାଇବା ସହ ମାଇଲଖୁଣ୍ଟ ହୋଇ ରହିଛି । ଏଥିପାଇଁ ଢ଼େର ସାରା ପ୍ରଶଂସା ସାଉଁଟିବା ସହ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରି ଚାଲିଛି ।
ସଙ୍ଗୀତ ଯାତ୍ରାରେ ଅବଦାନ ଚିରସ୍ମରଣୀୟ
ପ୍ରତିଷ୍ଠା ଦିନଠାରୁ କେନ୍ଦ୍ରରେ ଉଚ୍ଚମାନର ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ମର୍ଦ୍ଦଳ ଶିକ୍ଷା ଦିଆଯାଉଛି । ଏଠାରୁ ପ୍ରଶିକ୍ଷଣ ପାଇ ଅନେକ ଶିଳ୍ପୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ସାଉଁଟିଛନ୍ତି । ସ୍ୱନାମଧନ୍ୟ ନୃତ୍ୟଶିଳ୍ପୀ ତଥା ନୃତ୍ୟ ଗୁରୁ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । କେବଳ ପ୍ରଶିକ୍ଷଣ ନୁହେଁ, ଗବେଷଣା କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ଅବଦାନ ଉଲ୍ଲେଖନୀୟ । ଓଡ଼ିଶୀ ନୃତ୍ୟର ବ୍ୟାକରଣ, ଅଙ୍ଗସଞ୍ଚାଳନ ଓ ଶୈଳୀଗତ ଏକରୂପତା ଆଣିବା ଉଦ୍ଦେଶ୍ୟରେ ‘ଓଡ଼ିଶୀ ପାଥ୍ ଫାଇଣ୍ଡର’ ଭଳି ମୂଲ୍ୟବାନ ଗ୍ରନ୍ଥ ସଙ୍ଗୀତ ଦୁନିଆରେ ମାର୍ଗଦର୍ଶକ ସାଜିଛି ।
ଯାହା ଆଜି ଦେଶ ଓ ବିଦେଶର ଅନେକ ଶିକ୍ଷାନୁଷ୍ଠାନରେ ଅନୁସରଣ କରାଯାଉଛି । ଏହାଛଡ଼ା ‘ନୃତ୍ୟ ସରଣୀ’, ‘ରାଗ ସରଣୀ’, ‘ଚମ୍ପୂ ସରଣୀ’, ‘ଛାନ୍ଦ ସରଣୀ’, ‘ଓଡ଼ିଶୀ ମ୍ୟୁଜିକ୍’ ଆଦି ଅନେକ ଗବେଷଣାମୂଳକ ପୁସ୍ତକ ଶିଳ୍ପୀଙ୍କୁ ରାସ୍ତା ଦେଖାଇଛି । ଏହାଛଡ଼ା ଓଡ଼ିଶୀ ଅଭିନୟ ଓ ପଲ୍ଲବୀର ଅନେକ ସିଡି ପ୍ରସ୍ତୁତ କରାଯାଇ ନୃତ୍ୟରେ ଉପଯୋଗ କରାଯାଇଛି । ଭବିଷ୍ୟତ ପିଢ଼ିଙ୍କ ପାଇଁ ଅମୂଲ୍ୟ କଳା ଓ ପରମ୍ପରାକୁ ସୁରକ୍ଷିତ ରଖିବାରେ କେନ୍ଦ୍ରର ଅବଦାନ ଚିରସ୍ମରଣୀୟ ହାଇ ରହିଛି, ରହିବ । ଶୁଚିସ୍ମିତା ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ତଥା ଉପ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।
ଏହାସହ ପଢ଼ନ୍ତୁ : ଜଟଣୀରେ ଚାରିଆଡେ ମାଡ଼ିଗଲାଣି ଧଳାଜହର