ଭୁବନଶ୍ୱେର,୨୬/୬ : ଓଡ଼ିଶାର ବିକାଶରେ ଶିଳ୍ପାୟନର ବଡ଼ ଯୋଗଦାନ ରହିବ । ସିଆଇଆଇ - ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକ ୨୦୨୬ରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଶିଳ୍ପ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ନୂଆ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍ତି । ଓଡ଼ିଶା ସହ ସମଗ୍ର ପୂର୍ବ ଭାରତର ରାଜ୍ୟ ଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ନୂଆ ପ୍ଲାଟଫର୍ମ "ଗୋ ଇଷ୍ଟ’ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପ ଗୋଷ୍ଠୀ ଗୁଡ଼ିକ ତାଙ୍କ ନିଜ ରାଜ୍ୟରେ ତାଙ୍କର ଇଣ୍ଡଷ୍ଟ୍ରିଆଲ୍ ବେସ୍ ଓ ମାର୍କେଟ୍କୁ ସୁରକ୍ଷିତ ରଖି ଓଡ଼ିଶାରେ ନିବେଶ କରିବାକୁ ବ୍ୟାପକ ସୁଯୋଗପାଇବେ । ଗତ ୨ବର୍ଷରେ ଓଡ଼ିଶାର ଶିଳ୍ପାୟନ ବ୍ୟାପକ ସ୍ତରରେ ପହଞ୍ଚିଛି । ଆଗାମୀ ୫ବର୍ଷରେ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ ।

ସିଆଇଆଇ - ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକ ୨୦୨୬ରେ ମୁଖ୍ୟମନ୍ତ୍ରୀ କହିଲେ, ଗୋ ଇଷ୍ଟ ନୀତି ଅଧୀନରେ ରାଜ୍ୟରେ ଏକ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ, ଯାହା ସମସ୍ତ ନିବେଶ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ କରିବ । ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିକୁ ରିଏଲ୍ ଟାଇମ୍ (ତତ୍କାଳ) ମନିଟରିଂ ଓ ଟ୍ରାକିଂ କରିବା ପାଇଁ ଏକ ସ୍ୱତନ୍ତ୍ର "ଗୋ ସ୍ୱିଫ୍ଟ' ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ । ଏହି ପଦକ୍ଷେପ ଫଳରେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ପୁଞ୍ଜି ନିବେଶ ହେବା ସହ ସେଠାରେ ଅନେକ ନୂଆ ଇଣ୍ଡଷ୍ଟ୍ରିଆଲ୍ ଗ୍ରୋଥ ସେଣ୍ଟର (ଶିଳ୍ପ ବିକାଶ କେନ୍ଦ୍ର) ଗଢ଼ି ଉଠିବ । ମୁଖ୍ୟମନ୍ତ୍ରୀ ରାଜ୍ୟର ଶିଳ୍ପ ନୀତି ରିଜୋଲ୍ୟୁସନ୍-୨୦୨୨ରେ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି । ଏହି ସଂଶୋଧନ ଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ୧୫ ଟି ପ୍ରମୁଖ ଜିଲ୍ଲାରେ ଅଣ-ଖଣିଜ ଦ୍ରବ୍ୟ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସମସ୍ତ ଶିଳ୍ପଦ୍ୟୋଗୀମାନଙ୍କୁ କହିଥିଲେ ଯେ, ବିଗତ କିଛି ଦଶନ୍ଧି ଧରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ କରିଡର ଉପରେ ନିର୍ଭର କରୁଥିଲା । ମାତ୍ର ବର୍ତ୍ତମାନ ଭାରତର ବିକାଶ କାହାଣୀର ପରବର୍ତ୍ତୀ ବଡ଼ ଅଧ୍ୟାୟ ପୂର୍ବ ଭାରତରେ ଲେଖାଯାଉଛି । ଆମର ଲକ୍ଷ୍ୟ ହେଉଛି "ସମୃଦ୍ଧ ଓଡ଼ିଶା ୨୦୩୬' ଭିଜନକୁ "ବିକଶିତ ଭାରତ ୨୦୪୭' ସହିତ ଯୋଡ଼ି ରାଜ୍ୟକୁ ପୂର୍ବ ଭାରତର ସବୁଠାରୁ ନିବେଶକ-ଅନୁକୂଳ ସ୍ଥାନ ଭାବେ ଗଢ଼ି ତୋଳିବା । ଏହି ରୂପାନ୍ତରଣ ଯାତ୍ରାରେ ଓଡ଼ିଶା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ପ୍ରକାଶ କରିଥିଲେ । ଜୁନ୍ ୨୦୨୪ଠାରୁ ଓଡ଼ିଶା ସରକାର ପ୍ରାୟ ୯.୫ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୬ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ଯୁବ ଶକ୍ତି ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଓ ନିବେଶର ସଫଳ ଚିତ୍ର ସିଆଇଆଇ ସଦସ୍ୟମାନଙ୍କ ସାମ୍ନାରେ ରଖିଥିଲେ । ସମ୍ମିଳନୀ ଶେଷରେ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପ ଗୋଷ୍ଠୀକୁ ଓଡ଼ିଶାର ପ୍ରଗତିରେ ସହଭାଗୀ ହେବାକୁ ଆହ୍ୱାନ ଦେଇ "ବିକଶିତ ଭାରତ ୨୦୪୭' ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ଏହି ସମ୍ମିଳନୀରେ ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଇପିକଲର ପରିଚାଳନା ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭାଣେ, ସିଆଇଆଇ ପୂର୍ବ ଆଞ୍ଚଳିକ ଉପାଧ୍ୟକ୍ଷ ରୁଦ୍ର ଚାଟାର୍ଜୀ, ଓଡ଼ିଶା କାଉନସିଲ୍ ଅଧ୍ୟକ୍ଷ ଅନିଲ କୁମାର ସିଂହଙ୍କ ସମେତ ବହୁ ବିଶିଷ୍ଟ ଶିଳ୍ପପତି ଉପସ୍ଥିତ ଥିଲେ ।