କଟକ,୦୪/୦୨: ଏସ୍‌ସିବି  ମେଡ଼ିକାଲ୍‌ରେ ୫ଶହ ଶଯ୍ୟା ବିଶିଷ୍ଟ  ଟ୍ରମା ସେଣ୍ଟର୍‌ ନିର୍ମାଣ କରାଯିବ । ଏହି  ଅତ୍ୟାଧୁନିକ ତଥା ଉତ୍କୃଷ୍ଟ ଦୁର୍ଘଟଣା ଜନିତ ଚିକିତ୍ସା କେନ୍ଦ୍ର ନିର୍ମାଣ ପ୍ରସ୍ତାବକୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ  ଏହା ନିର୍ମାଣ କରାଯିବ । ଏଥିରେ କେନ୍ଦ୍ର  ସରକାରଙ୍କ ୬୦ ପ୍ରତିଶତ ଏବଂ ରାଜ୍ୟ  ସରକାର ୪୦ ପ୍ରତିଶତ ଅନୁଦାନରେ ଏହି  ବୃହତ୍ତ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି  ସୂଚନା ମିଳିଛି ।




ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା  କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ୨  ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି  ନଡ୍ଡାଙ୍କ ନିକଟକୁ ପତ୍ର ଲେଖିଥିଲେ । କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବାପରେ ଏବେ ଏହା  ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି । ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ  ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ  ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ, ଏସ୍‌ସିବିରେ ୫ଶହ  ବେଡ୍‌ ବିଶିଷ୍ଟ ଟ୍ରମା କେୟାର୍‌ ସେଣ୍ଟର  ନିର୍ମାଣ ହେବାପରେ ଏହା ପୂର୍ବ ଭାରତର  ସର୍ବ ବୃହତ୍ତ ଟ୍ରମା କେୟାର ସେଣ୍ଟର ହେବ  ବୋଲି ସୂଚନା ମିଳିଛି । ଏଠାରେ ଆହତ  ଓ ଗୁରୁତର ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା  ଲାଗି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ମାଣ ହେବା ସହ  ବହୁ ଅତ୍ୟାଧୁନିକ ସରଞ୍ଜାମ ଓ ଚିକିତ୍ସା  ଉପକରଣ ଉପଲବଧ୍‌ ହେବ । ଏଥିରେ  ମର୍ଡୁଲାର ଓଟି ସହ ସ୍ୱତନ୍ତ୍ର ଆଇସିୟୁ  ଓ ଜରୁରୀକାଳୀନ ଚିକିତ୍ସା, ସ୍ୱତନ୍ତ୍ର  ୱାର୍ଡ, ଅନ୍ୟାନ୍ୟ ସୁବିଧା ସହ ଭିତ୍ତିଭୂମି  ବ୍ୟାପକ ହେବ ବୋଲି ସୂଚନା ମିଳିଛି।