ଭୁବନେଶ୍ୱର, ୨୪/୭: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ ସମେତ ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନେ ଭେଟିଛନ୍ତି । ଏଥିସହ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଦିବାସୀମାନଙ୍କ ସର୍ବାଙ୍ଗୀନ ବିକାଶ ଆମ ସରକାରର ପ୍ରାଥମିକତା ରହିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିବା ସମାଜର ୪ଟି ବର୍ଗଙ୍କ ଭିତରେ ପ୍ରଥମରେ ଥିବା ଗରିବଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଅଛନ୍ତି ।
ଆଦିବାସୀଙ୍କ କଲ୍ୟାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆମ ସରକାର ମଧ୍ୟ ଆଦିବାସୀମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଉଛି । ଜୀବନଜୀବିକା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଆଦିବାସୀ ଅଞ୍ଚଳଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଖୁବଶୀଘ୍ର ଉତ୍ତର ଓଡ଼ିଶା ବିକାଶ ପରିଷଦ ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଉଛି । ଆଦିବାସୀ ସମାଜରୁ କୁସଂସ୍କାର ଦୂର କରିବା ପାଇଁ ମହାସଂଘକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ ଆଲୋଚନା ମାଧ୍ୟମରେ ସବୁ ସମସ୍ୟା ସମାଧାନ ହେବ ବୋଲି କହିଥିଲେ । ଏହି ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ମହାସଂଘର ସଭାପତି ଶ୍ରୀ କର୍ମା ଲାକ୍ରା, ସାଧାରଣ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକ ଏବଂ ପ୍ରାୟ ୧୧ଟି ଜିଲ୍ଲାରୁ ସଦସ୍ୟମାନେ ଯୋଗଦେଇଥିଲେ ।