ଜାତୀୟ ଜୈବ ବିବିଧତା ଅଧିନିୟମ ୨୦୦୨ର ଧାରା-୩୭ ଅନୁଯାୟୀ, ଯେକୌଣସି ସ୍ଥଳଭାଗ, ଜଳୀୟ ବା ସାମୁଦ୍ରିକ ପରିସଂସ୍ଥା ଜୈବ ବିବିଧତା ସଂପନ୍ନ ବା ସମୃଦ୍ଧ ହୋଇଥିଲେ, ଯଥା- ଉଭୟ ପ୍ରାକୃତିକ ଏବଂ ଗୃହପାଳିତ ସ୍ଥାନୀୟ ବା ଦେଶଜ ପ୍ରଜାତି, ବିରଳ, ବିଲୁପ୍ତି ପଥେ ଅଗ୍ରସର ବା ବିବର୍ତ୍ତନ ଦୃଷ୍ଟିରୁ ତାତ୍ପର୍ଯ୍ୟ ରଖୁଥିବା ଜାତି, ଭିନ୍ନ ଭିନ୍ନ ଜଙ୍ଗଲ ପରିସଂସ୍ଥା, ପବିତ୍ର ବନ, ଔଷଧୀୟ ଗୁଳ୍ମ, ଲତାଭରା ସଂରକ୍ଷିତ ଅଞ୍ଚଳ, ସଙ୍କଟାପନ୍ନ ଓ ବିଲୁପ୍ତିପ୍ରାୟ ଜାତି ବା ପ୍ରଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଚଲାପଥ, ଗୃହପାଳିତ କିମ୍ବା ଚାଷ କରାଯାଉଥିବା ପ୍ରଜାତିଙ୍କର ପୂର୍ବଜ ଅର୍ଥାତ୍ ଜଙ୍ଗଲୀ ପ୍ରଜାତି ଏବଂ ସାଂସ୍କୃତିକ, ନୈତିକ ତଥା ନାନ୍ଦନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥାକୁ ଉକ୍ତ ରାଜ୍ୟର ଜୈବ ବିବିଧତା ଐତିହ୍ୟସ୍ଥଳୀ ହିସାବରେ ବିଜ୍ଞପିତ କରାଯାଇପାରିବ । ଜୈବ ବିବିଧତା ଐତିହ୍ୟସ୍ଥଳୀ ଚିହ୍ନଟ କରି ଘୋଷଣା କରିବାର ଦାୟିତ୍ୱ ରାଜ୍ୟ ଜୈବ ବିବିଧତା ବୋର୍ଡ ଏବଂ ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

ଜାତୀୟ ଜୈବ ବିବିଧତା ଅଧିନିୟମ ୨୦୦୨ ଆଧାରରେ ଓଡ଼ିଶା ଜୈବ ବିବିଧତା ନିୟମ ୨୦୧୨ ପ୍ରଣୀତ ହୋଇଥିଲା । ଏହି ନିୟମ ଅନ୍ତର୍ଗତ ଧାରା ୨୦(୨)ରେ ରାଜ୍ୟ ଜୈବ ବିବିଧତା ବୋର୍ଡ, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ବିଭିନ୍ନତା ଦୃଷ୍ଟିକୋଣରୁ ପୁଙ୍ଖାନୁପୁଙ୍ଘ ଅନୁଶୀଳନ ଓ ବିଶ୍ଳେଷଣ କରି ଏବଂ ସ୍ଥାନୀୟ ଜୈବ ବିବିଧତା ପରିଚାଳନା କମିଟି (ବିଏମସି) ଓ ଗ୍ରାମସଭାର ପରାମର୍ଶରେ କୌଣସି ପ୍ରାକୃତିକ ପରିସଂସ୍ଥାକୁ ଚିହ୍ନଟ କରିବା ଓ ତାର ସଂରକ୍ଷଣ ତଥା ସୁପରିଚାଳନା ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥାନ୍ତି। ରାଜ୍ୟ ସରକାର ଗୁରୁତ୍ୱ ବହନ କରୁଥିବା ଜୈବ ବିବିଧତାପୂର୍ଣ୍ଣ ତଥା ସମ୍ବେଦନଶୀଳ ଅଞ୍ଚଳକୁ ରାଜ୍ୟ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଥାନ୍ତି । ଏହି ପୃଷ୍ଠଭୂମିରେ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ଉପତ୍ୟକାକୁ ୨୦୧୯ ମାର୍ଚ୍ଚ ମାସରେ ରାଜ୍ୟର ପ୍ରଥମ ଜୈବ ବିବିଧତାପୂର୍ଣ୍ଣ ଐତିହ୍ୟସ୍ଥଳୀ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଦେଶରେ ଏହା ୧୪ତମ ଜୈବ ବିବିଧତାପୂର୍ଣ୍ଣ ଐତିହ୍ୟସ୍ଥଳୀ ।

୫୨୮ ହେକ୍ଟର ପରିମିତ ମଣ୍ଡାସାରୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଅବସ୍ଥିତ । ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ୭୫କିମି. ଏବଂ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗିବାଡ଼ି ଠାରୁ ମାତ୍ର ୩୦କିମି. ଏହାର ଦୂରତା । ସମୁଦ୍ର ପତ୍ତନ ଠାରୁ ୨୫୦୦ରୁ ୩୨୮୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଐତିହ୍ୟସ୍ଥଳୀଟିର ବିଶେଷତ୍ୱ ହେଉଛି, ୨୨୦ ମିଟର ଗଭୀର ଖାଇ ବା ଗିରିସଂକଟ, ଘଞ୍ଚ ଅରଣ୍ୟାନୀ ପରିପୂର୍ଣ୍ଣ ଉପତ୍ୟକାର ସବୁଜିମା ଏବଂ ବେଶ୍ ସମୃଦ୍ଧ ଜୈବ ବିବିଧତା । ପୂର୍ବଘାଟ ପର୍ବତମାଳାରେ ଅବସ୍ଥିତ ମଣ୍ଡାସାରୁ ଓଡ଼ିଶାର ନିରବ ଉପତ୍ୟକା ଭାବରେ ମଧ୍ୟ ପରିଚିତ । ଆଦିବାସୀ ଭାଷାରେ ମଣ୍ଡାସାରୁର ଅର୍ଥ- ମେଘଭରା ବା ମେଘମେଦୁର ଉପତ୍ୟକା । ଏଠାରେ ଗଢ଼ିଉଠିଥିବା ପ୍ରକୃତି ପର୍ଯ୍ୟଟନ ସ୍ଥଳୀର ଚାରିପଟେ ରହିଛି ନିଘଞ୍ଚ, କ୍ରାନ୍ତୀୟ ଅର୍ଦ୍ଧ ଚିରହରିତ୍ ଅରଣ୍ୟ, ଆଦ୍ର ପର୍ଣ୍ଣମୋଚି ଅରଣ୍ୟ ଏବଂ ସେହି ଅରଣ୍ୟ କୋଳରେ ରହିଛନ୍ତି ପ୍ରକୃତିର ସନ୍ତାନ, ଆଦିମ ବନବାସୀ ସଂପ୍ରଦାୟ କନ୍ଧ । ଜିଲ୍ଲାର ଲୋକସଂଖ୍ୟାର ପାଖାପାଖି ୫୪ ପ୍ରତିଶତ । ବିଶେଷକରି ଉପତ୍ୟକାରେ ରହୁଥିବା କୁଟିଆ କନ୍ଧମାନଙ୍କ ପାଇଁ ଜଙ୍ଗଲ ହେଉଛି ଜୀବନ, ଜୀବିକା । ସ୍ଥାନୀୟ ଆଦିବାସୀମାନେ କୁହନ୍ତି, ସେମାନଙ୍କ ଜୀବନ ଜଙ୍ଗଲରୁ ହିଁ ଆରମ୍ଭ ଏବଂ ଜଙ୍ଗଲରେ ହିଁ ଶେଷ । ଜଳ ବିନା ମାଛ ପରି, ଜଙ୍ଗଲ ବିନା ସେମାନଙ୍କର ଜୀବନ ମଧ୍ୟ ଅପରିକଳ୍ପନୀୟ । ବନବାସୀଙ୍କର ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ ସେଠି ଗଢ଼ିଉଠିଛି ପ୍ରକୃତି ପର୍ଯ୍ୟଟନ ନିବାସ । ସେଠାକୁ ଯିବାର ପ୍ରକୃଷ୍ଟ ସମୟ ବର୍ଷା ଓ ଶୀତ ଋତୁ ।

ଏହି ସମୟରେ ଗିରିସଙ୍କଟ ଭିତରେ ଖୁନ୍ଦିହେଇ ରହିଥିବା ମେଘର ଆସ୍ତରଣ ଏବଂ ଚତୁଃପାଶ୍ୱର୍ ପାହାଡ଼ କାନ୍ଥରେ ଧଳା ଚାଦର ବିଛେଇଲା ପରି ନେସିହେଇ ରହିଥିବା ମେଘମାଳାର ଦୃଶ୍ୟ ଆକର୍ଷଣୀୟ । ମଣ୍ଡାସାରୁ ଐତିହ୍ୟସ୍ଥଳୀରେ ୧୫୬୩ରୁ ଊଦ୍ଧ୍ୱର୍ ପ୍ରଜାତିର ଉଦ୍ଭିଦ ଓ ଜୀବଜନ୍ତୁ ଅଛନ୍ତି । ତନ୍ମଧ୍ୟରୁ ୬୩୨ ପ୍ରକାରର ସୁଷ୍ପକ ଉଦ୍ଭିଦ, ୪୦ ପ୍ରକାରର ଅର୍କିଡ, ୧୫୦ ଔଷଧୀୟ ବୃକ୍ଷଲତା, ଗୁଳ୍ମ ଏବଂ ୩୪ ପ୍ରକାରର ଖାଦ୍ୟୋପଯୋଗୀ ଛତୁ ପ୍ରମୁଖ । ଦୁଇ ପ୍ରକାରର ଉଦ୍ଭିଦ ବଲବୋଫାଇଲସ ଓ ସାଇକସ ଏଠାକାର ସ୍ଥାନୀୟ ବା ଦେଶୀୟ ଏବଂ ଉଭୟ ବିପଦଗ୍ରସ୍ତ ଶ୍ରେଣୀ ଅନ୍ତର୍ଭୁକ୍ତ । ଜୀବଜନ୍ତୁଙ୍କ ମଧ୍ୟରେ ଅଛନ୍ତି ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫୦ ଜାତିର ପକ୍ଷୀ, ୩୦ ପ୍ରକାରର ସରୀସୃପ ଏବଂ ୧୫୦ ଭିନ୍ନ ଭିନ୍ନ ପ୍ରକାରର ପ୍ରଜାପତି । ପ୍ରମୁଖ ପ୍ରାଣୀମାନଙ୍କ ମଧ୍ୟରେ ଦେଖିବାକୁ ମିଳନ୍ତି ଗଧିଆ, ହରିଣ, ସମ୍ବର, ବନ୍ୟ ଶୂକର, ଝିଙ୍କ ଏବଂ ଚିତାବାଘ ।

ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ । ଜୈବିକ, ପାରିପାଶ୍ୱିର୍କ, ନୃତାତ୍ତ୍ୱିକ ଏବଂ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଏକ ଅନନ୍ୟ ପାର୍ବତୀୟ ପରିସଂସ୍ଥା । ସମୁଦ୍ର ପତ୍ତନ ଠାରୁ ୭ଶହରୁ ୧୫ଶହ ମିଟର ଉଚ୍ଚତାରେ ଅବସ୍ଥିତ । ସର୍ବୋଚ୍ଚ ଗିରିଶୃଙ୍ଗ ମହେନ୍ଦ୍ରଗିରିର ଉଚ୍ଚତା ୧୫୦୧ ମିଟର ଏବଂ ଓଡ଼ିଶାର ଦ୍ୱିତୀୟ ଉଚ୍ଚତମ ଗିରିଶୃଙ୍ଗ । ଏହି ପାର୍ବତୀୟ ପରିସଂସ୍ଥାରେ ଦେଖାଯାଉଥିବା ଉଦ୍ଭିଦ ଓ ଜୀବଜନ୍ତୁ ପଶ୍ଚିମଘାଟ ପର୍ବତମାଳା ଓ ହିମାଳୟର ଜୈବ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଏକ ପରିବର୍ତ୍ତନୀୟ ଇଲାକା, ଉଭୟ ଅଞ୍ଚଳରେ ଜୈବ ବିବିଧତା ଏଠାରେ ଦେଖିବାକୁ ମିଳେ । ରାଜ୍ୟ ସରକାର ୨୦୨୨ ମସିହା ନଭେମ୍ବର ମାସରେ ମହେନ୍ଦ୍ରଗିରି ପର୍ବତର ୪୨୫୦ ହେକ୍ଟର ପରିମିତ ଅଞ୍ଚଳକୁ ରାଜ୍ୟର ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା କରିଛନ୍ତି । ଜିଲ୍ଲାର ସଦର ମହକୁମାଠାରୁ ଏହାର ଦୂରତ୍ୱ ୫୦କିମି. । ଦୁଇଟି ସଂରକ୍ଷିତ ଜଙ୍ଗଲ ଇଡୋନଗିରି ଓ ମହେନ୍ଦ୍ରକୁ ନେଇ ଏହି ଜୈବ ଐତିହ୍ୟସ୍ଥଳୀ ଘୋଷିତ ।

ଏଠାରେ ରହିଛି ୧୩୫୮ ପ୍ରଜାତିର ଉଦ୍ଭିଦ ସଂପଦ ଏବଂ ୩୮୮ ପ୍ରଜାତିର ପ୍ରାଣୀସଂପଦ । ଉଦ୍ଭିଦ ସଂପଦ ମଧ୍ୟରେ ୬୦୦ରୁ ଊଦ୍ଧ୍ୱର୍ ସପୁଷ୍କକ ଉଦ୍ଭିଦ, ୩୦୦ ପ୍ରଜାତିର ଔଷଧୀୟ ଗଛ, ୪୪ ପ୍ରଜାତିର ଅର୍କିଡ ଏବଂ ୮ଟି ପ୍ରଜାତିର କୀଟଭକ୍ଷୀ ଉଦ୍ଭିଦ । ରାଜ୍ୟର ମୋଟ ଉଦ୍ଭିଦ ସଂପଦର ୪୦% ମହେନ୍ଦ୍ରଗିରିରେ ଦେଖିବାକୁ ମିଳେ । ଜୈବ ବିବିଧତାର ଉତ୍ତପ୍ତସ୍ଥଳ ଭାବେ ପରିଚିତ ମହେନ୍ଦ୍ରଗିରିରେ ଦେଖାଯାଉଥିବା ବୃକ୍ଷ ସଂପଦ ଭିତରୁ ୫ଟି ପ୍ରଜାତି ହେଉଛି ସ୍ଥାନୀୟ ବା ଦେଶୀୟ । ୨୨ଟି ପ୍ରଜାତି କୌଣସି ନା କୌଣସି ସ୍ତରରେ ବିପଦଗ୍ରସ୍ତ, ସେମାନଙ୍କର ସଂଖ୍ୟା ଯଥେଷ୍ଟ କମିବାରେ ଲାଗିଛି । ପ୍ରାଣୀସଂପଦ ମଧ୍ୟରେ ରହିଛି ୪୧ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୬୭ ପ୍ରଜାତିର ପକ୍ଷୀ, ୫୧ ସରୀସୃପ, ୧୫ ଉଭୟଚର ଏବଂ ୧୪୪ ପ୍ରକାରର ପ୍ରଜାପତି । ସରୀସୃପ ଓ ଉଭୟଚର ମଧ୍ୟରୁ ମହେନ୍ଦ୍ରଗିରି ଜେକୋ ଏବଂ କଳିଙ୍ଗ କ୍ରିକେଟ ବେଙ୍ଗ ଏଠିକାର ସ୍ଥାନୀୟ ପ୍ରାଣୀ ।

ମହେନ୍ଦ୍ରଗିରିର ଐତିହାସିକ, ପ୍ରତ୍ନତାତ୍ତ୍ୱିକ, ପୌରାଣିକ ଓ ସାଂସ୍କୃତିକ ତାତ୍ପର୍ଯ୍ୟ ମଧ୍ୟ ରହିଛି । ଭାରତୀୟ ଟୁରିଜିମ ନିଗମ ଦ୍ୱାରା ପ୍ରବର୍ତ୍ତିତ ରାମାୟଣ, ଟୁରିଜିମ ସର୍କିଟରେ ମଧ୍ୟ ମହେନ୍ଦ୍ରଗିରି ପର୍ବତ ସ୍ଥାନ ପାଇଛି । ଉଭୟ ଶକ୍ତି ଓ ଶିବ ଉପାସନାର ମିଳନସ୍ଥଳୀ । ଏଠି ରହିଛି ଯୁଧିଷ୍ଠିର, ଭୀମ ଓ କୁନ୍ତୀଙ୍କ ମନ୍ଦିର ଏବଂ ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିର । ଭଗବାନ ପର୍ଶୁରାମଙ୍କର ଚିନ୍ତନ ଆବାସସ୍ଥଳୀ ବୋଲି ମହେନ୍ଦ୍ରଗିରିକୁ କୁହାଯାଏ ଉଭୟ ମହାଭାରତ ଓ ରାମାୟଣ ଯୁଗର ପ୍ରତିଫଳନ । ଏହି ପାର୍ବତ୍ୟାଞ୍ଚଳରେ ରହୁଥିବା ଆଦିବାସୀମାନେ ମୁଖ୍ୟତଃ ସଉରା ଓ କନ୍ଧ ସଂପ୍ରଦାୟର । ସେମାନଙ୍କର ଜୀବନ ଜୀବିକା ମୁଖ୍ୟତଃ ଜଙ୍ଗଲ ଓ ପୋଡୁଚାଷ ଉପରେ ନିର୍ଭରଶୀଳ । ମହେନ୍ଦ୍ରଗିରିକୁ ଓଡ଼ିଶାର ୨ୟ ଜୈବମଣ୍ଡଳ ଭାବେ ଘୋଷଣା କରିବାକୁ ଉଦ୍ୟମ ଚାଲିଛି ।

ରାମାୟଣ କାଳଖଣ୍ଡରେ ଲକ୍ଷ୍ମଣଙ୍କୁ ଶକ୍ତିଭେଦରୁ ବଞ୍ଚାଇବାର ଉପଚାର ପାଇଁ ସଂଜୀବନୀ ଔଷଧୀୟ ବୃକ୍ଷ ସନ୍ଧାନରେ ଯାଇଥିବା ହନୁମାନ ସଂପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣିଥିଲେ ବୋଲି କଥିତ ଅଛି । ବାସ୍ତବିକ ଗନ୍ଧମାର୍ଦ୍ଦନ ପର୍ବତ ଔଷଧୀୟ ବୃକ୍ଷ, ଲତାଗୁଳ୍ମର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ । ବଲାଙ୍ଗିର ଓ ବରଗଡ଼ ବନଖଣ୍ଡରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତର ୧୮,୯୬୩.୮୯୮ ବର୍ଗକିମି. ପରିମିତ ସଂରକ୍ଷିତ ଜଙ୍ଗଲକୁ ରାଜ୍ୟ ସରକାର ୨୦୨୩ ମସିହା ମାର୍ଚ୍ଚ ମାସରେ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି । ମୋଟ୍ ବନାଞ୍ଚଳରୁ ବରଗଡ଼ ବନଖଣ୍ଡରେ ୧୨,୪୩୧.୮ ହେକ୍ଟର ଓ ବଲାଙ୍ଗିର ବନଖଣ୍ଡରେ ୬,୫୩୨.୦୯୮ ହେକ୍ଟର ଅବସ୍ଥିତ । ଔଷଧୀୟ ବୃକ୍ଷରାଜିଭରା ଗନ୍ଧମାର୍ଦ୍ଦନ ପର୍ବର୍ତର ଭୂପୃଷ୍ଠ ତଳେ ରହିଛି ବକ୍ସାଇଟ ପରି ଅମୂଲ୍ୟ ଖଣିଜ ସଂପଦ । ପାରିବେଶିକ ଦୃଷ୍ଟିକୋଣରୁ ଏହି ପରିସଂସ୍ଥାରେ ମୋଟ୍ ୧,୦୫୫ ପ୍ରଜାତିର ଉଦ୍ଭିଦ ଓ ୫୦୦ ପ୍ରଜାତିର ପ୍ରାଣୀସଂପଦ ରହିଛି । ତନ୍ମଧ୍ୟରୁ ୮୪୯ଟି ସପୁଷ୍ପକ ଉଦ୍ଭିଦ ପ୍ରଜାତି ବଟାନିକାଲ ସର୍ଭେ ଅଫ୍ ଇଣ୍ଡିଆ ଏଠାରେ ୨୨୦ ପ୍ରଜାତିର ଔଷଧୀୟ ଗଛ ଠାବ କରିଛନ୍ତି । କିନ୍ତୁ ସ୍ଥାନୀୟ କବିରାଜ କୁହନ୍ତି ଏଠାରେ ୫୦୦ରୁ ଅଧିକ ଔଷଧୀୟ ବୃକ୍ଷ ରହିଛି । ଏଠିକାର ଜନଜାତି ସଂପ୍ରଦାୟ ମଧ୍ୟରେ ଅଛନ୍ତି ମୁଣ୍ଡା, ସଉରା, କନ୍ଧ, ବିଞ୍ଜାଲ ଏବଂ ଗୋଣ୍ଡ । ପ୍ରାଣୀ ଜୈବ ବିବିଧତାରେ ରହିଛି ୪୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୬୧ ପକ୍ଷୀ ପ୍ରଜାତି, ୪୪ ପ୍ରଜାତିର ସରୀସୃପ ଏବଂ ୧୧୮ ପ୍ରଜାତିର ପ୍ରଜାପତି । ଏଠାରେ ୮୩ ପ୍ରଜାତିର ବୁଢ଼ିଆଣୀ ମଧ୍ୟ ଦେଖାଯାନ୍ତି । ଗନ୍ଧମାର୍ଦ୍ଦନ ପର୍ବତର ସାଂସ୍କୃତିକ ଲ୍ୟାଣ୍ଡସ୍କେପ ମଧ୍ୟ ଆକର୍ଷଣୀୟ । ପର୍ବତର ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍ରେ ରହିଛି ଆରାଧ୍ୟ ନୃସିଂହନାଥ ଓ ହରିଶଙ୍କର ମନ୍ଦିର।

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବ ମନ୍ଦିରକୁ ଘେରି ରହିଛି ଜୈବ ବିବିଧତା ସଂପନ୍ନ ଗୁପ୍ତେଶ୍ୱର ଜଙ୍ଗଲ । ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଗୁପ୍ତେଶ୍ୱର ବନାଞ୍ଚଳ ଏବଂ ନିକଟସ୍ଥ ଡୋଣ୍ଡରାକୋଲ ସଂରକ୍ଷିତ ଜଙ୍ଗଲର ୩୫୦ ହେକ୍ଟର ପରିମିତ ଅଞ୍ଚଳକୁ ରାଜ୍ୟ ସରକାର ୨୦୨୪ ମସିହା ଫେବ୍ରୁଆରୀ ମାସରେ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ବିଜ୍ଞପିତ କରିଛନ୍ତି । ଏହିକ୍ରମରେ ରାଜ୍ୟର ଏହା ଚତୁର୍ଥ ଐତିହ୍ୟସ୍ଥଳୀ । ଗୁପ୍ତେଶ୍ୱର ପର୍ବତର ଗୁମ୍ଫା ଭିତରେ ରହିଛି ବିଶାଳ ଶିବଲିଙ୍ଗ । ପାଖରେ ବହିଯାଇଛି ସାବେରୀ ନଦୀ । ପ୍ରକୃତିପ୍ରେମୀ ପରିବେଶପ୍ରେମୀ ପର୍ଯ୍ୟଟକମାନଙ୍କୁ ଏହି ସ୍ଥାନର ଆରଣ୍ୟକ ସୌନ୍ଦର୍ଯ୍ୟ, ପବିତ୍ର ବନ ଏବଂ ପୌରାଣିକ ତାତ୍ପର୍ଯ୍ୟ ସବୁବେଳେ ଆକୃଷ୍ଟ କରିଆସିଛି । ଏଠିକାର ମୋଟ୍ ୬୧୫ ପ୍ରଜାତିର ଉଦ୍ଭିଦ ସଂପଦ ମଧ୍ୟରେ ରହିଛି ୧୮୨ ଜାତିର ଗଛ, ୭୬ ଜାତିର ବୁଦାଗଛ, ୧୭୭ ପ୍ରଜାତିର ଗୁଳ୍ମ, ୬୮ ପ୍ରଜାତିର ଲତା ଏବଂ ୧୪ ପ୍ରଜାତିର ଅର୍କିଡ । ଔଷଧୀୟ ଗୁଳ୍ମ ମଧ୍ୟରେ ଫଣଫଣା ,ପାତାଳଗରୁଡ଼ ଏବଂ ଆଇୟୁସିଏନ ତାଲିକାରେ ସଂକଟାପନ୍ନ । ମୋଟ୍ ୬୦୮ ପ୍ରଜାତିର ପ୍ରାଣୀସଂପଦ ମଧ୍ୟରେ ରହିଛି ସ୍ତନ୍ୟପାୟୀ ପ୍ରାଣୀ ୨୮ ପ୍ରଜାତିର, ୧୮୮ ପ୍ରଜାତିର ପକ୍ଷୀ, ୪୫ ପ୍ରଜାତିର ମାଛ, ୪୮ ପ୍ରଜାତିର ସରୀସୃପ ଓ ୧୮ ପ୍ରକାରର ଉଭୟଚର ଏବଂ ୧୪୧ ପ୍ରକାରର ପ୍ରଜାପତି । ପ୍ରମୁଖ ପ୍ରାଣୀମାନଙ୍କ ମଧ୍ୟରେ ମଗରକୁମ୍ଭୀର, ପୂର୍ବଘାଟ ପର୍ବତମାଳାର ଜେକୋ ଓ ପବିତ୍ର ବନର ବେଙ୍ଗ ଅନ୍ତର୍ଭୁକ୍ତ ।