ଭୁବନେଶ୍ଵର (ସ୍ମୃତିରଞ୍ଜନ ବିଶ୍ୱାଳ): ଓଡ଼ିଶାରେ ମହିଳାଙ୍କ ଗର୍ଭଧାରଣ କ୍ଷମତା ଉଦ୍ବେଗଜନକ ହାରରେ ଖସୁଛି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବଢ଼ୁଛି । କିନ୍ତୁ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା କମୁଛି । ଏହାର ଅର୍ଥ ଜନସଂଖ୍ୟା ତୁଳନାରେ ଶ୍ରମଶକ୍ତି (ରୋଜଗାରକ୍ଷମ ୧୫ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତି) ଦ୍ରୁତ ଗତିରେ ହ୍ରାସ ପାଉଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍) ତାଜା ରିପୋର୍ଟ ଏବଂ ଜନଗଣନା କମିସନରଙ୍କ ତରଫରୁ ପ୍ରକାଶ ପାଇଥିବା ନମୁନା ପଞ୍ଜୀକରଣ ରିପୋର୍ଟରୁ ରାଜ୍ୟର ଏଭଳି ଉଦ୍ବେଗଜନକ ଚିତ୍ର ସ୍ପଷ୍ଟ ହେଉଛି । ଶ୍ରମଶକ୍ତି କମିଲେ ରୋଜଗାର ଓ ଉତ୍ପାଦନ ହ୍ରାସ ପାଇବ । ଏହାର ପ୍ରଭାବ ସାମଗ୍ରିକ ବିକାଶ ଉପରେ ପଡ଼ିବା ଥୟ ।
ଅନ୍ୟପଟେ ବୟସ୍କଙ୍କ ସଂଖ୍ୟା ବଢ଼ିଲେ, ସେମାନଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ଖର୍ଚ୍ଚ ବଢ଼ିବ, ଯାହା ବଜେଟ ଉପରେ ଚାପ ପକାଇବା ନିଶ୍ଚିତ । ନିକଟରେ ପ୍ରକାଶ ପାଇଥିବା ଏନ୍ଏଫଏଚଏସ୍-୬ ରିପୋର୍ଟ ଅନୁଯାୟୀ ମହିଳାଙ୍କ ଗର୍ଭଧାରଣ କ୍ଷମତା (ଟିଏଫଆର) ୧.୭କୁ ହ୍ରାସ ପାଇଛି । ଅର୍ଥାତ୍ ୧୦ ଜଣ ମହିଳା ମୋଟ ୧୭ ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି । ଗ୍ରାମାଞ୍ଚଳରେ ଏହି ହାର ୧.୮ ଥିବାବେଳେ ସହରାଞ୍ଚଳରେ ୧.୫ ରହିଛି । ମାତ୍ର ୩ ବର୍ଷ ଭିତରେ ଓଡ଼ିଶାର ଟିଏଫଆର ୧.୮ରୁ ୧.୭କୁ ଖସିଯାଇଛି । ଜନଗଣନା ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ଜାରି ନମୁନା ପଞ୍ଜୀକରଣ ରିପୋର୍ଟ ମୁତାବକ ଏହା ଆହୁରି କମ୍ । ମହିଳାଙ୍କ ଗର୍ଭଧାରଣ କ୍ଷମତା ୧.୬କୁ ଖସିଛି । ଗ୍ରାମାଞ୍ଚଳରେ ଏହା ୧.୭ ହୋଇଥିବା ବେଳେ ସହରାଞ୍ଚଳରେ ଅତି ଉଦ୍ବେଗଜନକ ୧.୨ ।
କେବଳ ସେତିକି ନୁହେଁ, ଏନ୍ଏଫ୍ଏଚଏସ୍ ରିପୋର୍ଟ କହୁଛି ମୋଟ ଜନସଂଖ୍ୟାର ୨୪.୩ ପ୍ରତିଶତ ଥିଲେ ୧୫ ବର୍ଷରୁ କମ୍ ବୟସର ପିଲା । ଏହା ୨୦୧୯-୨୦ର ଚିତ୍ର । ଏବେ ଏ ହାର ୨୨.୬%କୁ ହ୍ରାସ ପାଇଛି । ଅନ୍ୟପଟେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ହାର ୧ ପ୍ରତିଶତ ବଢ଼ି ଯାଇଛି ୩ ବର୍ଷ ଭିତରେ । ୨୦୧୯-୨୦ରେ ଏ ହାର ୧୧.୮% ଥିଲା, ଏବେ ୧୨.୯ ପ୍ରତିଶତ । ଏହାର ଅର୍ଥ ଓଡ଼ିଶାରେ ପିଲାଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମୁଛି, କିନ୍ତୁ ବୁଢ଼ାଙ୍କ ସଂଖ୍ୟା ବଢୁଛି । ସେନ୍ସସ୍ ରେଜିଷ୍ଟ୍ରାରଙ୍କ ନମୁନା ପଞ୍ଜୀକରଣ ରିପୋର୍ଟ ମୁତାବକ ୨୦୨୬ରେ ଓଡ଼ିଶାର ଜନସଂଖ୍ୟା ପାଖାପାଖି ୪ କୋଟି ୭୨ ଲକ୍ଷ ହେବ । ଏହାର ୧୨.୯% ଅର୍ଥାତ୍ ୭୩ ଲକ୍ଷ ୬୬ ହଜାର ୬୦ ବର୍ଷରୁ ଅଧିକ ବୟସ୍କ । ୨୦୧୯- ୨୦ରେ ଏ ସଂଖ୍ୟା ଥିଲା ୬୦ ଲକ୍ଷ ୪୫ ହଜାର, ଯେତେବେଳେ ମୋଟ ଜନସଂଖ୍ୟା ଥିଲା ୪ କୋଟି ୫୧ ଲକ୍ଷ । ୬ ବର୍ଷ ଭିତରେ ୧୩ ଲକ୍ଷ ବୟସ୍କ ବଢ଼ିଗଲେ । ସେହିଭଳି ୨୦୧୯ରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ୟା ଥିଲା ୧ କୋଟି ୧୨ ଲକ୍ଷ । ୨୦୨୬ ବେଳକୁ ଏହା ୧ କୋଟି ୫ ଲକ୍ଷକୁ ହ୍ରାସ ପାଇଛି । ୨୦୨୩-୨୦୨୪ରେ ଆମର ରିପ୍ଲେସମେଣ୍ଟ ଲେଭଲ ଫର୍ଟିଲିଟି ୨.୧ରୁ ତଳେ ରହିଛି । ଦେଶର ଜନସଂଖ୍ୟା ସ୍ଥିର ରହିବାକୁ ହେଲେ ଟିଏଫଆର ୨.୧ ପାଖାପାଖି ରହିବା ଜରୁରୀ । କିନ୍ତୁ ଓଡ଼ିଶାରେ ଏହା ବହୁ ତଳକୁ ଖସିଲାଣି । ଟିଏଫଆର ୨.୧ ପାଖାପାଖି ରହିଲେ ଜନସଂଖ୍ୟା ସ୍ଥିର ରହିବ । ୨.୧ରୁ ଅଧିକ ରହିଲେ ଜନସଂଖ୍ୟା ବଢ଼ିବ । କିନ୍ତୁ ଏହା ୨.୧ରୁ କମ୍ ରହିଲେ ଦୀର୍ଘମିଆଦି ଅବଧି ବା ଦୀର୍ଘ ବର୍ଷ ପରେ ଜନସଂଖ୍ୟା କମିଯିବ ।
ଗତ ୩୦ ବର୍ଷରେ ଓଡ଼ିଶାର ଟିଏଫଆର୍ ବା ଗର୍ଭଧାରଣ କ୍ଷମତା ୪୦%ରୁ ଅଧିକ ହ୍ରାସ ପାଇ ସାରିଲାଣି । ଏଭଳି ଟ୍ରେଣ୍ଡ ଜାରି ରହିଲେ ସବୁଠୁ ବଡ଼ ପ୍ରଭାବ ପଡ଼ିବ ଜନସଂଖ୍ୟା ଉପରେ । ଆଗାମୀ ୧୦ରୁ ୨୦ ବର୍ଷରେ ଜନସଂଖ୍ୟା ବୃଦ୍ଧିରେ ରୋକ୍ ଲାଗିବ । ୨୦୪୫-୫୫ ପରେ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯିବ । ଓଡ଼ିଶା ବୁଢ଼ା ହୋଇଯିବ । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ବଢ଼ିବ । ଯୁବକଙ୍କ ସଂଖ୍ୟା କମିଯିବ । ମାନବ ସମ୍ବଳ ସଂଖ୍ୟା ବହୁମାତ୍ରାରେ ଖସିଯାଇପାରେ । ଫଳରେ କାରଖାନା, ନିର୍ମାଣ ଓ ଭିଭିଭୂମି କ୍ଷେତ୍ର ଓ ଚାଷ କ୍ଷେତ୍ରରେ କାମ କରିବାକୁ ଶ୍ରମିକ ମିଳିବେନି । ଚୀନ, ଜାପାନ ଏବେ ଏହି ସମସ୍ୟାକୁ ସାମ୍ନା କରୁଛନ୍ତି । କେବଳ ସେତିକି ନୁହେଁ, ଟିଏଫଆର ବଢ଼ିବାର ଚାପ ସିଧାସଳଖ ରାଜ୍ୟର ଅର୍ଥନୀତି ଉପରେ ପଡ଼ିବ । ସରକାରଙ୍କ ଉପରେ ଚାପ ବଢ଼ିଯିବ । ପେନସନ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଗ୍ରାମାଞ୍ଚଳରେ ଚାଷ କ୍ଷେତ୍ରରେ କାମ କରିବାକୁ ଲୋକ ମିଳିବେନି । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି ଯାଇପାରେ ।
ଆହୁରି ପଢନ୍ତୁ- ଦୁଇ ବର୍ଷ ହେଲା ଆନ୍ଧ୍ରରୁ ଫେରିନି ପୁଅ, ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ବେସାହାରା ମା'କୁ ସାହା ହେବ କିଏ ?
ଟିଏଫଆର୍ କମିବାର ସବୁଠୁ ବଡ଼ କାରଣ ହେଉଛି, ଲୋକେ ନିଜ ସନ୍ତାନ ସଂଖ୍ୟା ଗୋଟିଏ ବା ସର୍ବାଧିକ ଦୁଇଟିରେ ସୀମିତ ରଖୁଛନ୍ତି । ଡେରିରେ ବିବାହ ଯୋଗୁ ପିଲା ହେବାରେ ଡେରି ହେଉଛି । ଫଳରେ କେହି ଦ୍ୱିତୀୟ ପିଲା ଜନ୍ମ କରିବାକୁ ଇଚ୍ଛା କରୁନାହାନ୍ତି । ଘରର ଦୈନନ୍ଦିନ ଖର୍ଚ୍ଚ ଓ ସ୍କୁଲ ଖର୍ଚ୍ଚ ବଢ଼ିବା ସହ ମହଙ୍ଗା ମାଡ଼ ଯୋଗୁ ସମସ୍ତେ ଛୋଟ ପରିବାରରେ ସୀମିତ ରହିବାକୁ ପସନ୍ଦ କରୁଛନ୍ତି । ଦାଦନ ଖଟିବାକୁ ଯାଉଥିବା ଅନେକ ଲୋକେ ଡେରିରେ ବିବାହ ଓ ପିଲା ଜନ୍ମ କରୁଛନ୍ତି । ଅନେକ ଲୋକେ ସଚେତନ ହେବା ଯୋଗୁ ପରିବାର ନିୟୋଜନ ପନ୍ଥା ଆପଣାଉଛନ୍ତି । ଫଳରେ କେବଳ ସହର ନୁହେଁ, ଗାଁରେ ବି ଗୋଟିଏ ବା ଦୁଇଟି ସନ୍ତାନରେ ସୀମିତ ରହୁଛନ୍ତି । ନିକଟରେ ଆନ୍ଧ୍ରପ୍ରଦେଶ ସରକାର ଜନସଂଖ୍ୟା କମିବାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ । ଏଥିପାଇଁ ଅଧିକ ସନ୍ତାନ ଜନ୍ମ ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବାଠାରୁ ନେଇ ନିର୍ବାଚନରେ ଦୁଇ ସନ୍ତାନ ନିୟମ ହଟାଇବାକୁ ଯୋଜନା ଚାଲିଛି । ତୃତୀୟ ପିଲା ପାଇଁ ୩୦ ହଜାର ଓ ଚତୁର୍ଥ ପିଲା ଜନ୍ମ କଲେ ୪୦ ହଜାର ଦେବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଥିଲେ । ଆନ୍ଧ୍ରରେ ଗର୍ଭଧାରଣ କ୍ଷମତା ଓଡ଼ିଶାଠାରୁ ଆହୁରି କମ୍ ରହିଛି ।