ଆନନ୍ଦପୁର, ୦୧/୦୬ : ସାଙ୍ଗ ହୋଇ ଆନ୍ଧ୍ର ଯାଇଥିଲେ । ହେଲେ ପୁଅ ହଠାତ୍ କେଉଁଆଡ଼େ ଚାଲିଗଲା । ଇତି ମଧ୍ୟରେ ଦୁଇବର୍ଷ ବିତିଗଲାଣି ହେଲେ ପୁଅ ଘରକୁ ଫେରୁନି । ପୁଅର ଫେରିବା ବାଟକୁ ବୁଢୀ'ମା ଚାହିଁ ବସିଥିବାବେଳେ ଅଦ୍ୟାବଧି ତାର କୌଣସି ଖବର ମିଳୁନି । ଏଭଳି ଘଟଣା ଦେଖିବାକୁ ମିଳିଛି ଘସିପୁରା ବ୍ଲକ ବୀରଗୋବିନ୍ଦପୁର ପଞ୍ଚାୟତ ଯୁଗଳକିଶୋରପୁର ଗ୍ରାମର କାଲା ସାହିରେ । ନିକଟରେ ଦାନ୍ତକାଠି ବିକ୍ରି କରିବାକୁ ଘସିପୁରା ବଜାରକୁ ଆସିଥିବା ଗ୍ରାମର କୁଇଲି ସୋରେନଙ୍କ ହଜିଲା ପୁଅ ପାଇଁ ଆକୁଳ ନିବେଦନ ସ୍ଥାନୀୟ ଲୋକମାନଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା ।
କୁଇଲିଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ଛୋଟରାୟ ସୋରେନ୍ ବହୁଦିନ ହେଲା ଘରଛାଡ଼ି ଚାଲି ଯାଇଛନ୍ତି । ଦୁଇବର୍ଷ ତଳେ ପୁଅ ପାଣ୍ଡବ ସୋରେନ୍ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବାବେଳେ ଆଉ ଘରକୁ ଫେରିନି । ଆକାଶ ନାମକ ଜଣେ ଠିକାଦାର ତାଙ୍କୁ କାମ କରାଇବାକୁ ନେଇଥିଲେ । ହେଲେ ପୁଅର କୌଣସି ଖୋଜ ଖବର ନଥିବାବେଳେ ଆକାଶଙ୍କର ଫୋନ୍ ମଧ୍ୟ ଆଉ ଲାଗୁନାହିଁ । ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ କୁଇଲି ଓ ତାଙ୍କ ପୁଅ ପାଣ୍ଡବ ଏକ ସଙ୍ଗେ ଆନ୍ଧ୍ରାର ଏକ ବରଫ କଳରେ କାମ କରିବାକୁ ଯାଇଥିଲେ । ସେଠାରେ କୁଇଲି ସହିତ ପାଣ୍ଡବର କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ସେଠାରୁ ପୁଅ ରାଗି ଯାଇ କେଉଁଆଡେ ଚାଲି ଯାଇଥିଲା । ସେ ଘରକୁ ଆସିଥିବା ଭାବି କୁଇଲି ଗାଁକୁ ଫେରି ଆସିଥିଲେ । ଆଜି ପର୍ଯ୍ୟନ୍ତ ପାଣ୍ଡବର କୌଣସି ସନ୍ଧାନ ମିଳୁନଥିବାରୁ ସେ ଆଶା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି ।
ଆହୁରି ପଢନ୍ତୁ- ସାବଧାନ୍... ଅମୃତ ଭାବି ବିଷ ପିଉ ନାହାଁନ୍ତି ତ ? କ୍ଷୀରରେ ମିଶୁଛି କଷ୍ଟିକ୍ ସୋଡ଼ା, ପିଇଲେ କ୍ୟାନସର୍
ଏପଟେ କୁଇଲିଙ୍କର ବୟସ ୬୫ ଅତିକ୍ରମ କରି ସାରିଥିବାବେଳେ ତାଙ୍କୁ ଭତ୍ତା ମଧ୍ୟ ମିଳୁନାହିଁ । ସେ ଦୁଇଥର ଏଥିପାଇଁ ଆବେଦନ କରିଥିଲେ ସୁଦ୍ଧା ତାଙ୍କୁ ଏଥିରୁ କେଉଁ କାରଣରୁ ବଞ୍ଚିତ ହେବାକୁ ପଡିଛି ତାର କାରଣ ସ୍ପଷ୍ଟ ହୋଇପାରୁନି । କୁଇଲି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ଦାନ୍ତକାଠି ସଂଗ୍ରହ କରି ଘସିପୁରା ବଜାରକୁ ବିକ୍ରି କରିବାକୁ ଆଣୁଛନ୍ତି । ଦାନ୍ତକାଠି ବିକ୍ରି କରିବାକୁ ଦୁଇରୁ ତିନି ଦିନ ଲାଗୁଛି । ୨୫ରୁ ୩୦ କିମି ପାଦରେ ଚାଲିଚାଲି ଗଲେ ମାତ୍ର ୧୫୦ରୁ ୨ ଶହ ଟଙ୍କା ମିଳୁଛି । ସେଇଥିରେ ତାଙ୍କୁ ଚଳିବାକୁ ପଡୁଛି । କୁଇଲିକୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରିବାକୁ ଦାବି ହେଉଥିବାବେଳେ ବୀରଗୋବିନ୍ଦପୁର ସରପଞ୍ଚ ଦିଲ୍ଲୀପ କୁମାର ମାଝୀ ଖୁବ୍ଶୀଘ୍ର ଏ ଦିଗରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।