ନୂଆଦିଲ୍ଲୀ, ୨୫/୯ : ଘର, ଗାଡି ହେଉକି ଡ୍ରେସ୍... ଯାହା କିଣିଲେ ବି ଟ୍ୟାକ୍ସ ନିଶ୍ଚିତ। ହେଲେ ଆଗ କାଳରେ ଏଭଳି କିଛି ଜିନିଷରୁ ଟ୍ୟାକ୍ସ ଅସୁଲ ହେଉଥିଲା, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏସବୁ ଭିତରୁ ଗୋଟିଏ ହେଉଛି ପରିସ୍ରା। ହଁ ଆଜ୍ଞା, ଆପଣ ଠିକ୍ ଶୁଣିଲେ... ପ୍ରାଚୀନ ରୋମ୍ରେ ଲାଗୁଥିଲା ପରିସ୍ରା ଟ୍ୟାକ୍ସ । ଏହା ଉପରେ ନିର୍ଭର କରୁଥିଲା ପୁରା କପଡ଼ା ଶିଳ୍ପ। ଏହାକୁ ସଂଗୃହୀତ କରି ଉଚ୍ଚ ଦରରେ ହେଉଥିଲା ବିକା-କିଣା। ରୋମବାସୀଙ୍କ ପାଇଁ ଏହା ପାଲଟିଥିଲା ତରଳ ସୁନା। ଏବେ ପ୍ରଶ୍ନ ଉଠୁଛି... ଏଭଳି କ'ଣ ଥିଲା ଏହି ପରିସ୍ରାରେ ? ଏହି ପରିସ୍ରାକୁ ନେଇ କ'ଣ କରୁଥିଲେ ରୋମବାସୀ ?
ରୋମ୍ରେ କପଡ଼ାକୁ ସଫା କରିବା ଓ ରଙ୍ଗ ଦେବା ପାଇଁ ଖାସ୍ ୱାର୍କସପ୍ ଥିଲା। ଏହାକୁ ଫୁଲାନିକା ବା ଧୋବାଘାଟ କୁହାଯାଉଥିଲା। ଏଠାରେ ପରିସ୍ରାକୁ ସଂଗୃହିତ କରି ରଖାଯାଉଥିଲା। ପରିସ୍ରା ବାସି ହେବା ପରେ ଏଥିରୁ ଆମୋନିଆ ବାହାରୁଥିଲା। ଏହି ଆମୋନିଆ ଏକ ପ୍ରକାରର ଡିଟରଜେଣ୍ଟର କାମ କରୁଥିଲା। ଯାହାକୁ ରୋମ୍ର ଲୋକେ କପଡ଼ା ଧୋଇବା ଓ ରଙ୍ଗ ଦେବା ପାଇଁ ବ୍ୟବହାର କରୁଥିଲେ। କାରଣ ପରିସ୍ରା ଏକ ମୋରଡେଣ୍ଟ ଭାବେ କାମ କରୁଥିଲା। କପଡ଼ାରୁ ଅଧିକ ଦିନ ଯାଏଁ ରଙ୍ଗ ନଛାଡ଼ିବାରେ ପରିସ୍ରା ସାହାଯ୍ୟ କରୁଥିଲା। ପରିସ୍ରା ସଂଗ୍ରହ କରିବା ପାଇଁ ବାହାର ନାଳରୁ ଫୁଲାନିକା ଭିତରକୁ ଏକ ଡ୍ରେନ୍ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ଵାରା ସିଧାସଳଖ ଭାବରେ ୱାର୍କସପ୍ ଭିତରକୁ ପରିସ୍ରା ପହଞ୍ଚି ଯାଉଥିଲା। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ, ପରିସ୍ରାରେ ଧୋଇବା ପରେ କପଡ଼ାରୁ ଦୁର୍ଗନ୍ଧ ବାହାରୁଥିବ। ତେବେ ଏହି ସମସ୍ୟା ଦୂର କରିବା ପାଇଁ ରୋମବାସୀ ଆଉ ଏକ ବାଟ ବାହାର କରିଥିଲେ। ଧୁଆ ହୋଇଥିବା କପଡ଼ାକୁ ଏକ ଝୁଡ଼ିରେ ରଖାଯାଉଥିଲା। ଏହା ତଳେ ଗନ୍ଧକ ଅର୍ଥାତ୍ ସଲଫର୍କୁ ଜଳାଯାଉଥିଲା। ସଲଫର୍ ଡାଇଅକ୍ସାଇଡ୍ ଗ୍ୟାସ୍ ଓ ଆମୋନିଆ ରିଆକ୍ସନ ହୋଇ କପଡ଼ାରୁ ଦୁର୍ଗନ୍ଧ ଚାଲିଯାଉଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ପରିସ୍ରା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିଲା ରୋମ୍ର କପଡ଼ା ଶିଳ୍ପ।
ରୋମବାସୀଙ୍କ ପାଇଁ ପରିସ୍ରାର ବ୍ୟବହାର କେବଳ ଏତିକିରେ ସୀମିତ ନଥିଲା। ମଦ, ଔଷଧ, ଚାଷବାସ ଠାରୁ ନେଇ କସମେଟିକ୍ସ ଯାଏଁ ପରିସ୍ରାର ବହୁଳ ବ୍ୟବହାର ହେଉଥିଲା। ପଶୁଙ୍କ ଚମଡ଼ା ନରମ କରିବାରେ ଓ ରାନ୍ଧିବାରେ ପରିସ୍ରା ବ୍ୟବହାର କରାଯାଉଥିଲା। ଟୁଥ୍ ପେଷ୍ଟ ଓ ମାଉଥ୍ ୱାସ୍ ରୂପରେ ମଧ୍ୟ ବ୍ୟବହାର କରାଯାଉଥିଲା। ରୋମ୍ର ଶାସକ ବେସ୍ପାସିୟନ ଏହି ବିଷୟରେ ଜାଣି ପାରିଥିଲେ। ସେ ପରିସ୍ରା ଉପରେ ଟ୍ୟାକ୍ସ ଅସୁଲ କରିବା ଆରମ୍ଭ କରିଦେଇ ଥିଲେ। କାରଣ ଯେଉଁ ଜିନିଷର ସବୁଠୁ ଅଧିକ ଡିମାଣ୍ଡ୍, ସେହି ଜିନିଷ ଉପରେ ସରକାରଙ୍କ ନଜର ଆଗେ ପଡ଼େ। ଘରକୁ ଘର ଯାଇ ପରିସ୍ରା ଏକାଠି କରୁଥିବା ଲୋକମାନେ ଏହି ଟ୍ୟାକ୍ସ ଦେଉଥିଲେ।
ବେସ୍ପାସିୟନଙ୍କ ପୁଅ ଟାଇଟସ୍ ଏହି ଟ୍ୟାକ୍ସ ବ୍ୟବସ୍ଥା ହଟାଇବାକୁ ତାଙ୍କ ପିତାଙ୍କୁ କହିଥିଲେ। ହେଲେ ବେସ୍ପାସିୟନ ଏକ ମୁଦ୍ରା ନେଇ ଟାଇଟସ୍ଙ୍କ ନାକ ପାଖରେ ରଖିଥିଲେ, ଆଉ ପ୍ରଶ୍ନ କଲେ ଏଥିରୁ ଦୁର୍ଗନ୍ଧ ବାହାରୁଛି ? ଟାଇଟସ୍ଙ୍କ ଉତ୍ତର ଥିଲା ନା... ଏହାପରେ ବେସ୍ପାସିୟନ କହିଲେ ପିକ୍ୟୁନିଆ ନନ ଓଲେଟ- ଏହାର ଅର୍ଥ ଟଙ୍କାରୁ ଦୁର୍ଗନ୍ଧ ବାହାରେ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଆଜି ଆମେ ଯାହାକୁ ବର୍ଜ୍ୟ କହି ଫିଙ୍ଗି ଦେଉଛେ, ତାହା ପ୍ରାଚୀନ ରୋମବାସୀଙ୍କ ପାଇଁ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଥିଲା।