ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅସହ୍ୟ ହେଲା ପୁଅ-ବୋହୂଙ୍କ ନିର୍ଯାତନା, ଝୁଲିପଡିଲେ ବୃଦ୍ଧ

Published By : Ankita S | November 27, 2024 1:16 PM

ବାଲେଶ୍ବର,୨୭/୧୧: ଗୁହାଳରେ ଝୁଲୁଥିବା ମୃତଦେହ ବଖାଣୁଥିଲା ପୁଅ-ବୋହୂଙ୍କ ଅକଥନୀୟ ନିର୍ଯାତନାର କାହାଣୀ । ତକିଆ ତଳେ ଶୁଦ୍ଧିକ୍ରିୟା ପାଇଁ ଛାଡ଼ିଯାଇଥିବା ଟଙ୍କା କହୁଥିଲା ଆତ୍ମସ୍ୱାଭିମାନର କଥା । ମରିବା ଆଗରୁ ଏଏନ୍‌ଏମ୍‌ ସେଣ୍ଟର ପାଇଁ ଦାନ କରିଥିବା ୧୦ ଡିସିମିଲ୍‌ ଜାଗା ସୂଚାଉଥିଲା ମଣିଷ ମନର ଦରଦପଣ । ଆଉ ମୃତଦେହରେ ହାତ ନ ଦେବାକୁ ସୁଇସାଇଡ୍‌ ନୋଟ୍‌ରେ ପୁଅ- ବୋହୂଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚେତାବନୀ ସୀମା ଟପିଯାଇଥିବା ନିର୍ଯାତନାର ସାକ୍ଷୀ ଥିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ କଖଡ଼ା ପଞ୍ଚାୟତ ଅଧୀନ ଚଣ୍ଡିପୁର ଗାଁରୁ କିଛି ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।

ଚଣ୍ଡିପୁର ଗାଁର ବରିଷ୍ଠ ନାଗରିକ ନିରଞ୍ଜନ କର (୬୯) ଆତ୍ମହତ୍ୟା କରିଛନ୍ତି । ଅଥଚ ମରିବା ଆଗରୁ ସୁଇସାଇଡ୍‌ ନୋଟ୍‌ରେ ଛାଡ଼ି ଯାଇଛନ୍ତି ଅଙ୍ଗେନିଭା ୭ବର୍ଷର ପାରିବାରିକ ହିଂସାର ଯନ୍ତ୍ରଣା । ପୁଅ କାନ୍ଧରେ ମଶାଣିକୁ ଯିବାକୁ ସ୍ୱପ୍ନ ଦେଖନ୍ତି ବାପାମାଆ । କେତେ ଆଶାଥାଏ ବାର୍ଦ୍ଧକ୍ୟରେ ଜନ୍ମକଲା ସନ୍ତାନ ଆଶାବାଡ଼ି ପାଲଟିବ । ସେଇଥିପାଇଁ ପୁଅଟିଏ ପାଇଁ କେତେ ଓଷା ବ୍ରତ କରନ୍ତି । ହେଲେ ଦୁଇ ପୁଅ-ବୋହୂ ଥିବା ନିରଞ୍ଜନଙ୍କ ପାଇଁ ଏସବୁ ଥିଲା ସ୍ୱପ୍ନ । ଦୁଇ ପୁଅ, ବୋହୂ ଥାଇ ବି ଦୀର୍ଘ ବର୍ଷ ହେଲା ସେ ଅବହେଳିତ ହୋଇଥିଲେ । ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ପର ଗୁହାଳରେ ରଶି ଲଗାଇ ଝୁଲିପଡ଼ିଛନ୍ତି ।

ସୂଚନାଯୋଗ୍ୟ, ନିରଞ୍ଜନଙ୍କ ବଡ଼ପୁଅ ରାଜେଶ ବାହାରେ ରହୁଥିବା ବେଳେ ବୋହୂ ପିଲାଙ୍କୁ ଧରି ବାପା ଘରେ ରହନ୍ତି । ସାନପୁଅ ସୁରେଶ ମଧ୍ୟ ବାପାଙ୍କୁ ଅଲଗା କରି ସ୍ତ୍ରୀ, ପିଲାଙ୍କୁ ଧରି ପୈତୃକ ବାସଭବନରେ ରୁହନ୍ତି । ବହୁ ହନ୍ତସନ୍ତ ହେବା ପରେ ନିରଞ୍ଜନ ଅନ୍ୟ ଏକ ଜାଗାରେ ଘର କରି ଏକା ରହି ଆସୁଥିଲେ । ବାର୍ଦ୍ଧକ୍ୟ କାରଣରୁ ରୋଷେଇବାସ ମଧ୍ୟ କରି ପାରୁନଥିଲେ । ଗାଁ ଲୋକଙ୍କଠାରୁ ଅର୍ଥ, ଖାଦ୍ୟ ମାଗି ପେଟ ପୋଷୁଥିଲେ । କିନ୍ତୁ ରକ୍ତ ସମ୍ପର୍କଠାରୁ ଲାଞ୍ଛନା ଓ ନିର୍ଯାତନା ନିରଞ୍ଜନଙ୍କ ପାଇଁ ଅସହ୍ୟ ହେଲା । ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ । 

ସେ ରହୁଥିବା ଘରଠାରୁ ପ୍ରାୟ ଅଧ କିମି ଦୂର ଜଣେ ବ୍ୟକ୍ତିଙ୍କ ଗୁହାଳରେ ବେକରେ ରଶି ଲଗାଇ ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁ ପୂର୍ବରୁ ଦୁଇ ପୁଅଙ୍କ ପାଇଁ ଯଥେଷ୍ଟ ସମ୍ପତ୍ତି ଛାଡ଼ି ଯାଇଛନ୍ତି ନିରଞ୍ଜନ । ଗାଁରେ ଏକ ଏଏନ୍‌ଏମ୍‌ ସେଣ୍ଟର ପାଇଁ ୧୦ ଡେସିମିଲ ଜାଗା ମଧ୍ୟ ଦାନ କରିଛନ୍ତି । ଏହାଛଡ଼ା ଶୁଦ୍ଧି କର୍ମ ପାଇଁ ତକିଆ ତଳେ ୨୩ ହଜାର ୪୧୦ ଟଙ୍କା ରଖି ଯାଇଛନ୍ତି । ହେଲେ ମୃତଦେହକୁ ପୁଅବୋହୂ ନ ଛୁଇଁବାକୁ ସୁଇସାଇଡ୍‌ ନୋଟ୍‌ରେ ସ୍ପଷ୍ଟ ଲେଖିଛନ୍ତି । ଚନ୍ଦନେଶ୍ୱର ଫାଣ୍ଡି ପୁଲିସ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ବ୍ୟବଚ୍ଛେଦ ହୋଇ ମରଶରୀର ପହଞ୍ଚିବା ପରେ ଗାଁ ଲୋକେ ମଶାଣିରେ ଅନ୍ତିମ ସଂସ୍କାର କରିଥିଲେ । ଏନେଇ ଭୋଗରାଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.