ମୋରଡ଼ା, ୨୬/୦୯: ନଦୀରେ ଗାଧୋଇବା ବେଳେ ଅଘଟଣ । ଗଭୀର ପାଣିରେ ବୁଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବଡଜାମବଣି ଫାଣ୍ଡି ଅଧୀନ ଭାଲିଆଡିହା ପଞ୍ଚାୟତ କଲରାଫୁଲିଆ ନିକଟସ୍ଥ ବାଉରା ନଦୀରେ ଗାଧୋଇବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ମୋରଡ଼ା ବ୍ଲକ ତଥା ବେତନଟୀ ଥାନା ଅଧୀନ କରତପଟା ଗ୍ରାମର କୁନ୍ତଳା ନାଏକ ନାମକ (୭୦ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, କରତପଟା ଗ୍ରାମର କୁନ୍ତଳା ନାଏକ ନିକଟସ୍ଥ ବାଉରା ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କ ଶରୀର ପାଣିରେ ଭାସୁଥିବା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବଡଜାମବଣି ଫାଣ୍ଡି ଅଧିକାରୀ ଭାବଗ୍ରାହୀ ମହାନ୍ତ ଏବଂ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚିଥିଲେ । ଚିତ୍ରଡା ଅଗ୍ନିଶମ ବାହିନୀ ସାହାଯ୍ୟରେ ପାଣି ଭିତରୁ ସଂଜ୍ଞାହୀନ ଅବସ୍ଥାରେ କୁନ୍ତଳାଙ୍କୁ ଉଦ୍ଧାର କରି ନିକଟସ୍ଥ କିଶାନତାଣ୍ଡି ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କରେ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଥିବା ସୂଚନା ମିଳିଛି।