କଟକ,୨୭/୦୩: ଜନ୍ମରୁ ଶତପ୍ରତିଶତ ଦୃଷ୍ଟିବାଧିତ ।  କିନ୍ତୁ ପାଠ ପଢ଼ିବାର ନିଶା ତାଙ୍କୁ ଟାଣି ଆଣିଛି ରେଭେନ୍ସା  ବିଶ୍ୱବିଦ୍ୟାଳୟ ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ । ରାଜନୀତି  ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ୍‌ ପଢୁଥିବା  ଦ୍ୱିତୀୟ ବର୍ଷର ଛାତ୍ର ହେଉଛନ୍ତି ଓମ୍‌ ପ୍ରକାଶ  ମହାପାତ୍ର । ରେଭେନ୍ସା ବିଶ୍ୱବିଦ୍ୟାଳୟର ନ୍ୟୁ  ପିଜି ଛାତ୍ରାବାସରେ ରହୁଛନ୍ତି । ଜଣେ ମେଧାବୀ  ଛାତ୍ର ଭାବେ କ୍ୟାରିୟରର ସବୁ ପରୀକ୍ଷାରେ  ୭୫ ପ୍ରତିଶତରୁ ଅଧିକ ମାର୍କ ରଖି ପ୍ରଥମ  ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିବା ଓମ୍‌ ଏବେ  ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ପାଠ  ପଢ଼ାରେ ଅର୍ଥ ବାଧକ ହୋଇଥିବାରୁ କେକ୍‌, ବିସ୍କୁଟ୍‌ ବିକ୍ରି କରି ଯାହା  ରୋଜଗାର ହେଉଛି ସେଥିରେ ବହୁ କଷ୍ଟରେ ପାଠ ପଢୁଛନ୍ତି । 

ଇଚ୍ଛା ଥିଲେ ଉପାୟ ଆସେ । ପ୍ରତିବନ୍ଧକ ବାଧା ସୃଷ୍ଟି କରି ପାରେନା । ଏମିତି ଏକ ଘଟଣା ଓମ୍‌ ପ୍ରକାଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ମୁରୁଣା ଗାଁରେ । ବାପା ଜ୍ୟୋତି ପ୍ରକାଶ ମହାପାତ୍ର  ଚାଷ କରନ୍ତି । ଆର୍ଥିକ ସମସ୍ୟା ଭିତରେ ପିଲାବେଳୁ ପଢୁଥିବା  ଓମ୍‌ ପ୍ରକାଶ ମାଟ୍ରିକ୍‌ରେ ୮୭ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ  ହୋଇଥିଲେ । ଏହା ପରେ ଫକୀର ମୋହନ ମହାବିଦ୍ୟାଳୟରେ  ଯୁକ୍ତ ଦୁଇରେ ପାଠ ପଢ଼ି ୭୪ ପ୍ରତିଶତ ମାର୍କ ରଖି ପାସ୍‌  କରିଥିଲେ । ସେହିପରି ଯୁକ୍ତ ତିନିରେ ୭୬ ପ୍ରତିଶତ ମାର୍କ ରଖି  ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ  ହଷ୍ଟେଲ୍‌ରେ ରହି ରାଜନୀତି ବିଜ୍ଞାନରେ  ପୋଷ୍ଟ ଗ୍ରାଜୁଏଟ୍‌ କରୁଛନ୍ତି । ଦୃଷ୍ଟିବାଧିତ  ହୋଇଥିବାରୁ ପାଠପଢା ପାଇଁ ଜାତୀୟ  ମେଧାବୃତ୍ତି ଆକାରରେ କିଛି ଟଙ୍କା ସହାୟତା  ପାଉଛନ୍ତି । ଟଙ୍କା ପାଠ ପଢିବା ପାଇଁ ଯଥେଷ୍ଟ ହେଉ ନଥିବାରୁ  ଓମ୍‌ ପ୍ରକାଶ ଘର ଉପରେ ନିର୍ଭର ନକରି ମାଲଗୋଦାମରୁ  କେକ୍‌, ବିସ୍କୁଟ୍‌, ମୁଡ୍‌କି, ମିକ୍ସଚର, କୁରକୁରେ ସହ ମଶାଧୂପ  କିଣି ବିଭିନ୍ନ ହଷ୍ଟେଲ ବୁଲି ବିକ୍ରି କରୁଛନ୍ତି । ଏଥିରୁ ଯାହା  ରୋଜଗାର ହେଉଛି ସେହି ଟଙ୍କାରେ ପଢ଼ା ଖର୍ଚ୍ଚ ଉଠାଉଛନ୍ତି । ରେଭେନ୍ସାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ବ୍ରେଲି  ଲାଇବ୍ରେରୀରେ କିଛି ବ୍ରେଲି ବୁକ୍‌ ଓ ଅଡିଓ ରେକର୍ଡିଂ ମିଳୁଥିବା  ବେଳେ ଆଉ କିଛି ଉପଲବ୍ଧ ହେଉନାହିଁ । ଯେଉଁଥି ପାଇଁ  ପାଠପଢାରେ କିଛି ସମସ୍ୟା ହେଉଥିବା କହିଛନ୍ତି ଓମ୍‌ ପ୍ରକାଶ ।