ଭୁବନେଶ୍ବର,୧୮।୮ : ଓଡିଶା ଖଣି ନିଗମ (ଓଏମସି) ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଯାଜପୁର ଜିଲ୍ଲା ସ୍ଥିତ ସୁକିନ୍ଦା ଅଞ୍ଚଳରେ ଥିବା ଓଏମସିର କ୍ରୋମ ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ ଖଣି କ୍ଷେତ୍ରର ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ସମୟରେ  ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ (ମାନବ ସମ୍ବଳ) ଆଲୋକ କୁମାର ପାଳ ଏବଂ ନିର୍ଦ୍ଦେଶକକ (ଅର୍ଥ) ବନ ବିହାରୀ ପାଣିଙ୍କ ସମେତ ଖଣି ଅଞ୍ଚଳର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସାଉଥ କାଳିଆପାଣି ଖଣି ପରିଦର୍ଶନ କରିବା ସହ ଏହାର ପ୍ରମୁଖ କାର୍ଯ୍ୟକ୍ଷମ ସ୍ଥାନ ଏଫ୍ଲୁଏଣ୍ଟ ପ୍ଲାଣ୍ଟ (ଇଟିପି), କ୍ବାରି ଡି ଏବଂ କ୍ବାରି ଏଫ, ଷ୍ଟକୟାର୍ଡ, କ୍ରୋମ ଓର ବେନିପିସିଏସନ ପ୍ଲାଣ୍ଟ (ସିଓବିପି) ଏବଂ କାରଖାନାର ବର୍ଜ୍ୟବସ୍ତୁ ସଂଗ୍ରହକ ଭାବେ ବ୍ୟବହୃତ ଚିଲିଙ୍ଗ ପୋଖରୀ, ସୁକରଙ୍ଗି ଖଣି ଅଞ୍ଚଳ ଏବଂ କାଳିଆପାଣି ଖଣି ପରିସରକୁ ପରିଦର୍ଶନ କରିଥିଲେ। ଏଥିସହିତ ବିକ୍ରୟ ଏବଂ ଉତ୍ପାଦନ ବୃଦ୍ଧି ଉପରେ ଗରୁତ୍ବାରୋପ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଓଏମସିରୁ ଉତ୍ପାଦ ହେଉଥିବା ଖଣିଜ ପଦାର୍ଥଗୁଡିକ କିଭଳି ନିଜର ସଠିକ୍ ଗୁଣବତ୍ତାକୁ ବଜାୟ ରଖିବ ତାହା ଉପରେ ଗୁରୁତ୍ବାରୋପ କରିଥିଲେ।

ଏହା ପରେ ପରିଚାଳନା ନିର୍ଦେଶକ ଓଏମସିର ଫେରୋ-କ୍ରୋମ ପ୍ଳାଣ୍ଟର କାର୍ଯ୍ୟ ସମୀକ୍ଷା କରିଥିଲେ।ଏହାର ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ  ସଠିକ୍ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଖଣି ଅଞ୍ଚଳରେ ପରିବେଶଗତ ସନ୍ତୁଳନକୁ ସୁଦୃଢ କରିବା ପାଇଁ ବୃକ୍ଷରୋପଣ ଅଭିଯାନ ଉପରେ ଗୁରୁତ୍ବାରୋପ କରିବାକୁ ନିର୍ଦେଶ ଦେଇଥିଲେ।