କଟକ,୨୭/୦୭: ଦିନକ ପରେ ମଣ୍ଡପରେ ମା’ଙ୍କ ଷଷ୍ଠୀ  ପୂଜା । ହେଲେ ଏ ପର୍ଯ୍ୟନ୍ତ  ସବୁ ପୂଜା କମିଟିକୁ ସ୍ଥାୟୀ  ଏନ୍‌ଓସି ମିଳିପାରିଲା ନାହିଁ ।  ପ୍ରଶାସନିକ ଅବ୍ୟବସ୍ଥା  ଭିତରେ ଫସି ଯାଇଛନ୍ତି ପୂଜା କମିଟି । ଶୁକ୍ରବାର ମାତ୍ର ୬୫ଟି ପୂଜା କମିଟିକୁ ସ୍ଥାୟୀ  ଏନ୍‌ଓସି ମିଳିଥିବାବେଳେ ଆହୁରି ଶହେରୁ  ଅଧିକ ପୂଜା କମିଟିକୁ ସ୍ଥାୟୀ ଏନ୍‌ଓସି  ମିଳିପାରିନାହିଁ । ଫଳରେ ପୂଜା ଆୟୋଜନ ନେଇ କମିଟିମାନେ ଅକଳରେ ପଡ଼ିଛନ୍ତି ।

ଚଳିତ ବର୍ଷ ଦଶହରା ପାଇଁ ପୂଜା  କମିଟି ଉପରେ ଅନେକ ଗୁଡ଼ିଏ ଅଙ୍କୁଶ  ଲଗାଇ ଦିଆଯାଇଛି । ଚଳିତବର୍ଷ ତୋରଣ ନିର୍ମାଣଠାରୁ ଆରମ୍ଭ କରି ଅଗ୍ନି ନିର୍ବାପକ  ବ୍ୟବସ୍ଥା, ଶବ୍ଦ ପ୍ରଦୂଷଣ କଟକଣା, ବିଦ୍ୟୁତ୍‌  କଟକଣା ଆଦି ନାନା ପ୍ରକାର ବ୍ୟବସ୍ଥା ଭିତରେ ପୂଜା କମିଟି ବାନ୍ଧି ହୋଇଯାଇଛନ୍ତି । ପୁଣି ପ୍ରଶାସନ ପକ୍ଷରୁ ବହୁ ବିଳମ୍ବରେ ମାର୍ଗଦର୍ଶିକା ଜାରି କରାଯିବାରୁ କମିଟି ପାଖରେ ପୂଜା ଆୟୋଜନ ନେଇ ବିଶେଷ ସମୟ ରହିଲା ନାହିଁ । ଏଭଳି  ସ୍ଥିତିରେ ଏନ୍‌ଓସି ପ୍ରଦାନରେ ବିଳମ୍ବ ହୋଇଚାଲିଛି । ନିୟମ ଅନୁସାରେ ଏନ୍‌ଓସି ପାଇଁ  ପୂଜା ମକମିଟିମାନେ ଜିଲ୍ଲା  ପ୍ରଶାସନ ନିକଟରେ ଆବେଦନ  କରିଥିଲେ । ପ୍ରଶାସନ ପକ୍ଷରୁ  ବିଭିନ୍ନ ବିଭାଗକୁ ଯାଞ୍ଚ୍‌ କରି ରିପୋର୍ଟ  ଦେବାକୁ କୁହାଯାଇଥିଲା । ଏହିସବୁ ବିଭାଗ  ସେମାନଙ୍କ ରିପୋର୍ଟ ଦେବାରେ ବହୁ ବିଳମ୍ବ  କଲେ । ପ୍ରଶାସନିକସ୍ତରରେ ଏଭଳି ବିଳମ୍ବ୍‌  ପାଇଁ ଏବେ ପୂଜା କମିଟିଗୁଡ଼ିକ ସେମାନଙ୍କ  କାର୍ଯ୍ୟକୁ ଆଗେଇ ନେଇପାରୁ ନାହାନ୍ତି । ଫଳରେ ଚଳିତବର୍ଷ ଆଡମ୍ବରପୂର୍ଣ୍ଣ ପୂଜା  ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି।