ଭଞ୍ଜନଗର, ୨୮/୧୦: ବାଣ ଭିଡୁଥିବା ବେଳେ ଫୁଟିଗଲା ବାଣ । ଏହି ଘଟଣାରେ ଲେମ୍ବେଇ ଗ୍ରାମର ଶଙ୍କର ପାତ୍ର ଆହତ ହୋଇଛନ୍ତି । ତାଙ୍କ ଡାହାଣ ହାତଟି ଆଘାତ ପାଇ ଖଣ୍ଡ ବିଖଣ୍ଡିତ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ ଲେମ୍ବେଇ ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଆଗକୁ ଆସୁଛି ଦୀପାବଳି । ସେଥିପାଇଁ ସମସ୍ତେ ବାଣ ତିଆରି କରିବାରେ ଲାଗି ପଡ଼଼ିଛନ୍ତି । ଲେମ୍ବେଇ ଗ୍ରାମର ଶଙ୍କର ପାତ୍ର ନିୟମିତ ତାଳ ପତ୍ର ବାଣ ଭିଡୁଥିଲେ । ହେଲେ ସୋମବାର ସାମାନ୍ୟ ଅସାବଧାନତା ଯୋଗୁଁ ଘଟିଗଲା ଅଘଟଣ । ବାଣ ଭିଡୁଥିବା ବେଳେ ହଠାତ ବାଣଟି ଫୁଟି ଯାଇଥିଲା । ଏହି ବିସ୍ଫରଣରେ ତାଙ୍କ ହାତରେ ଆଘାତ ଲାଗି ଖଣ୍ଡ ବିଖଣ୍ଡିତ ହୋଇଥିଲା । ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ତୁରନ୍ତ ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।