ଖନ୍ତାପଡ଼ା ,୩୧।୩: ଗୋରୁ ଗାଡ଼ି ଅଟକାଇବାକୁ ଯାଇ ଘଟିଲା ଅଘଟଣ । ଚାଲିଗଲା ଜଣଙ୍କ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ଜଣେ । ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ପଣପଣା ନିକଟରେ ଗୋରୁ ଗାଡ଼ି ଅଟକାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଗୋସୁରକ୍ଷା ବାହିନୀର ଯୁବକ ଗାଡ଼ିକୁ ଅଟକାଇବା ପାଇଁ ପିଛା କରିଥିଲେ । ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଖନ୍ତାପଡ଼ା ଥାନା କସବା ଜୟପୁର ପଞ୍ଚାୟତ ଅଳସୁଁଆ ଗ୍ରାମର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକରେ ଗାଡ଼ିକୁ ପିଛା କରିଥିଲେ । ଗୋରୁ ବୋଝେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ଅନ୍ୟ ଏକ ଗାଡ଼ି ଖନ୍ତାପଡ଼ା ଥାନା ପଣପଣା ନିକଟରେ ବାଇକରେ ଥିବା ୨ ଜଣ ଯୁବକଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଉଥିବା ବେଳେ ଖନ୍ତାପଡ଼ା ପୁଲିସ ଗାଡ଼ିକୁ ଜବତ କରିଥିଲା ।
ଏହା ବି ପଢ଼ନ୍ତୁ... ଶ୍ରୀମନ୍ଦିର ନିବେଶ କମିଟି ବୈଠକ, ମହାପ୍ରଭୁଙ୍କର ଦାନ ଅର୍ଥରୁ ନିବେଶ ଉପରେ ହେବ ଆଲୋଚନା
ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର କୃପାସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଓ ଲମ୍ବୋଦରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କଟକ ମେଡିକାଲ ଗୁରୁତର ଲମ୍ବୋଧରଙ୍କୁ ଫେରାଇ ଦେଇଥିବା ବେଳେ ଏକ ଘରୋଇ ମେଡିକାଲରେ ଚିକିତ୍ସା ଚାଲିଥିବା ସୂଚନାରୁ ଜଣାପଡ଼ିଛି ।