ସୁନ୍ଦରଗଡ,୧୦(ଆ.ପ୍ର.) ସବୁ ଦିନ ପରି ଅଜା ନିଜ ୨ ନାତିଙ୍କୁ ନେଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅଜା ପାଣି ଭିତରେ ପଡି ଯିବା ଦେଖି ସାନ ନାତି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ଭାସି ଯାଇଥିଲେ । ଏହା ଦେଖି ବଡ ନାତି ତୁରନ୍ତ ଗାଁକୁ ଦୌଡି ଯାଇ ପାଟି କରିଥିଲେ । ଡାକ ଶୁଣି ଜଣେ ଯୁବକ ଘଟଣା ସ୍ଥଳକୁ ଦୌଡି ଆସି ନଦୀ ଭିତର ଏକ ପଥରରେ ଲାଖି ରହିଥିବା ନାବାଳକକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା।  ଅଜାଙ୍କ ପତ୍ତା ମିଳି ନାହିଁ ।  ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି ଭଷ୍ମା ଥାନା ଅନ୍ତର୍ଗତ ବୁରୋଭଗା ଗ୍ରାମରେ

ବୁରାଭଗାର ଗ୍ରାମର ଚନ୍ଦ୍ର ଖଡିଆ (୫୦) ସୋମବାର ତାଙ୍କ ଦୁଇ ନାତି ଦେହାନ (୭) ଓ ବିର (୫) ଙ୍କୁ ନେଇ ତାଙ୍କ ଘର ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ବସୁନ୍ଧରା ନଦୀକୁ ଗାଧୋଇବାକୁ ଯାଇଥିଲେ । ଚନ୍ଦ୍ର ଗୋଧୋଇବା ବେଳେ ଭାରସାମ୍ୟ ହରାଇ ପାଣିରେ ପଡି ଯାଇଥିଲେ । ସାନ ନାତି ବିର ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଅଜା ନାତି ନଦୀରେ ଭାସି ଯାଇଥିଲେ । ଏହା ଦେଖି ବଡ ନାତି ଦେହାନ ନଦୀରୁ ବାହାରି ଜଣେ ବାଇକ ଆରୋହୀଙ୍କ ସହିତ  ଗାଁକୁ ଯାଇ ପାଟି କରିଥିଲେ । ପାଟି ଶୁଣି ଅନୀଲ ଖଡିଆ (୨୫) ନାମକ ଜଣେ ଯୁବକ ତୁରନ୍ତ ଘଟଣାସ୍ଥଳକୁ ଦୌଡି ଆସି ଘାଟରୁ କିଛି ଦୂର ତଳେ ପଥରରେ ଲାଖି ରହିଥିବା ଅବିରଙ୍କୁ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳକୁ ଆସି ନିଖୋଜ ଚନ୍ଦ୍ରଙ୍କୁ ବହୁ ଖୋଜା ଖୋଜି କରିଥିଲେ ତାଙ୍କ ପତ୍ତା ମିଳି ନ ଥିଲା । ଶେଷରେ ସେମାନେ ଥାନାରେ ଜଣାଇବା ପରେ ପୁଲିସ ଦମକଳ ବାହିନୀ ସହାୟତାରେ ଖୋଜାଖୋଜି ଚଳାଇ ଥିଲା । ମାତ୍ର ତାଙ୍କ ପତ୍ତ ମିଳି ନ ଥିଲା । ରାତି ହୋଇ ଯିବାରୁ ତଲାସୀ ଅଭିଯାନକୁ ସ୍ଥଗିତ ରଖା ଯାଇଛି । ଭାସି ଯାଉଥିବା ଅଜାଙ୍କୁ ଉଦ୍ଧାର କରିବାକୁ ଦୁଃସାହସ କରିଥିବା ଅବିରଙ୍କୁ ସରକାରଙ୍କ ପକ୍ଷରୁ ସାହାସିକତା ପୁରସ୍କାର ପ୍ରଦାନ କରିବାକୁ ଦାବି ହେଉଛି ।