ନୂଆଦିଲ୍ଲୀ ୦୯/୦୩: କେରଳ କୋଝିକୋଡ୍ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଜୋତା ଦୋକାନ ପକ୍ଷରୁ ମାତ୍ର ୧ ଟଙ୍କାରେ ଦାମୀ ଜୋତା ଦେବାକୁ ବିଜ୍ଞାପନ ଦିଆଯାଇଥିଲା । ସେହି ଅଫର୍ ଦ୍ୱାରା ଆକର୍ଷିତ ହୋଇ ବହୁ ସଂଖ୍ୟାରେ ଲୋକେ ଶନିବାର ବିଳମ୍ବିତ ରାତିରୁ ଦୋକାନ ବାହାରେ ଭିଡ଼ ଜମାଇଥିଲେ । ଫଳରେ ସେଠାରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ବାଧ୍ୟ ହୋଇ ପୁଲିସ ଲୋକଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠିଚାର୍ଜ କରିଥିଲା ।

ପୁଲିସ ଅନୁସାରେ, କିଛି ଦିନ ଆଗରୁ ଦୋକାନ ଏହି ବିଜ୍ଞାପନ ଦେଇଥିଲା । ସେଥିରେ କୁହାଯାଇଥିଲା ଯେ, ରବିବାର ଦୋକାନରେ ପ୍ରଥମେ ପହଞ୍ଚିଥିବା ୧୦୦ ଜଣ ଗ୍ରାହକଙ୍କୁ ମାତ୍ର ୧ ଟଙ୍କା ବିନିମୟରେ ଦାମୀ ଜୋତା କିଣିବାର ସୁଯୋଗ ମିଳିବ । ସେହି ଅଫର୍ ଯୋଗୁ ଗତକାଲି ବିଳମ୍ବିତ ରାତିରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକେ ଦୋକାନ ନିକଟରେ ପହଞ୍ଚିବା ଆରମ୍ଭ କରିଥିଲେ । ଏପରିକି ନିକଟବର୍ତ୍ତୀ ଜିଲ୍ଲାରୁ ବି ଲୋକେ ସେଠାକୁ ଆସିଥିଲେ । ଲୋକଙ୍କର ଏଭଳି ସୁଅ ଛୁଟିବା ଯୋଗୁ ସେହି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଥିଲା । ଏହାପରେ ବାଧ୍ୟହୋଇ ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ମୃଦୁ ଲାଠିଚାଳନା କରିଥିଲା । ଏହି ଘଟଣା ପରେ ଜୋତା ଦୋକାନର ମାଲିକଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ :- ସୋମବାର ସେୟାର ମାର୍କେଟ୍ କ୍ରାସ୍, ବଜାର ଖୋଲୁ ଖୋଲୁ ମାତ୍ର ୫ ମିନିଟ୍ରେ ୧୩ ଲକ୍ଷ କୋଟି ସ୍ଵାହା