ଭୁବନେଶ୍ୱର,୧୩/୦୧ ପ୍ରେମରେ ବିଫଳ ହେବାରୁ ଜଣେ ନୃତ୍ୟାଙ୍ଗନାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଭ୍ୟାନିଟି ଜାଳିଦେବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ନୃତ୍ୟଶିଳ୍ପୀଙ୍କୁ ଗିରଫ କରିଛି । ସେ ହେଲେ ଖାରବେଳନଗର ଥାନା ୟୁନିଟ୍-୩ ମାଳି କଲୋନୀର ଆର୍ଯ୍ୟ ଓରଫ ଡ.ବିଜୟ ରେଡ୍ଡୀ(୩୦) ।

ପୁଲିସ ସୂଚନା ଅନୁଯାୟୀ, ଶୁଭଶ୍ରୀ ମଲ୍ଲିକ ନାମ୍ନୀ ଜଣେ ନୃତ୍ୟାଙ୍ଗନା ଆର୍ଯ୍ୟଙ୍କୁ ୨ ବର୍ଷ ହେବ ଚିହ୍ନିଥିଲେ । ସେମାନେ ଗୋଟିଏ ନୃତ୍ୟ ସଂସ୍ଥାର ସଦସ୍ୟ ଥିଲେ । ସେମାନେ ଉଭୟ ମିଶି ନୃତ୍ୟ ପ୍ରଦର୍ଶନ କରୁଥିଲେ । ଇତି ମଧ୍ୟରେ ଆର୍ଯ୍ୟ ଶୁଭଶ୍ରୀଙ୍କୁ ଏକପାଖିଆ ଭଲପାଇ ବସିଥିଲେ । ପ୍ରେମ ନିବେଦନ କରିବାରୁ ଶୁଭଶ୍ରୀ ପ୍ରତ୍ୟାଖ୍ୟାନ କରିଥିଲେ । କ୍ଷୁବ୍ଧ ହୋଇ ଆର୍ଯ୍ୟ ଶୁଭଶ୍ରୀଙ୍କୁ ୩ ମାସ ଧରି ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ଅପରାହ୍ଣରେ ଶୁଭଶ୍ରୀ ଭବାନୀପାଟଣାରୁ ଭୁବନେଶ୍ୱର ଆସି ଅପରାହ୍ଣ ସାଢ଼େ ୪ଟାବେଳେ ପଳାଶୁଣି ଛକରେ ଓହ୍ଲାଇଥିଲେ । ଏହି ସମୟରେ ଆର୍ଯ୍ୟ ସେଠାରେ ପହଞ୍ଚି ଶୁଭଶ୍ରୀଙ୍କ ହାତରୁ ମୋବାଇଲ ଛଡ଼ାଇ ନେବା ସହ ତାଙ୍କୁ ଏକ ଅଟୋରେ ଜୋର ଜବରଦସ୍ତ ବସାଇ ରାମ ମନ୍ଦିର ନିକଟକୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ମାଡ଼ ମାରି ତାଙ୍କ ମୁହଁ ଫୁଲାଇ ଦେଇଥିଲେ । ତାଙ୍କ ଭ୍ୟାନିଟି ଛଡ଼ାଇ ନିଆଁ ଲଗାଇ ଦେଇଥିଲେ । ଭ୍ୟାନିଟିରେ ୫ ହଜାର ଟଙ୍କା ସହ ଡ୍ରେସ୍ ଏବଂ କିଛି ରୂପା ଅଳଙ୍କର ଥିଲା । ଯାହାକି ପୋଡ଼ି ନଷ୍ଟ ହୋଇ ଯାଇଥିଲା । ଶୁଭଶ୍ରୀ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ଆର୍ଯ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।