ଲକ୍ଷ୍ନୌ,୨୪।୧: ଜମ୍ମୁର ଡୋଡା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସେନାର ୧୦ଜଣ ଯବାନ ସହିଦ ହୋଇଥିଲେ। ଏଥିରେ ୟୁପିର ହାପୁରର ଭାଟୈଲ ଗାଁର ନିବାସୀ ରିଙ୍ଖିଲ ବାଲିୟାନ ମଧ୍ୟ ରହିଥିଲେ। ରିଙ୍ଖିଲଙ୍କ ପାର୍ଥିବ ଶରୀର ଗାଁରେ ଶନିବାର ସକାଳେ ପହଞ୍ଚିଲା। ଗାଁରେ ପରେ ପାର୍ଥିବ ଶରୀର ପହଁଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦି କାନ୍ଦି ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ରିଙ୍କିଲଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଗାଁରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ତେବେ ଏହି ସମୟରେ ସବୁଠାରୁ ଅତି ଦୁଃଖଦ ଘଟଣା ଥିଲା ରିଙ୍ଖିଲଙ୍କ ମାତ୍ର ବର୍ଷକର ପୁଅ ନିଜ ବାପାଙ୍କୁ ମୁଖାଗ୍ନୀ ଦେବା। ଏହାକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକେ ଏପରିକି ଜିଲ୍ଲାପାଳ ବି କାନ୍ଦି ପକାଇଥିଲେ।
ଏହି ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା। ସହିଦଙ୍କ ସାନ ଭାଇ ରିଷଭ ତାଙ୍କ ଏକ ବର୍ଷର ପୁଅ ରାଘବକୁ ନିଜ କୋଳରେ ଶ୍ମଶାନରେ ପହଁଞ୍ଚିଥିଲେ। ବର୍ଷକର ପୁଅ କିଛି ଜାଣିବା ପୂର୍ବରୁ ନିଜ ବାପାକୁ ଦେଇଥିଲା ମୁଖାଗ୍ନୀ। ଏହି ସମୟରେ ସମସ୍ତଙ୍କ ଆଖି ଲୁହରେ ଝରି ପଡିଥିଲା। ଏହି ଦୃଶ୍ୟ ଦେଖି ହାପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ମଧ୍ୟ ନିଜ ଲୁହକୁ ରୋକିପାରିଲେ ନାହିଁ। ସେ ମଧ୍ୟ କାନ୍ଦି ପକାଇଥିଲେ।
ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଗାଁରେ ହିଁ ରିଙ୍ଖିଲ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ, ପୁରା ଗାଁ 'ଜବ ତକ୍ ସୁରଜ ଚାନ୍ଦ ରହେଗା ରିଙ୍ଖିଲ ତେରା ନାମ ରହେଗା' ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା। ବିଧାୟକ ବିଜୟପାଲ ଆଧାତି, ଜିଲ୍ଲାପାଳ ଅଭିଷେକ ପାଣ୍ଡେ, ଏସ୍ପି ଜ୍ଞାନଞ୍ଜୟ ସିଂହ ଏବଂ ପୂର୍ବତନ ବିଧାୟକ ଗଜରାଜ ସିଂହ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ରିଙ୍ଖିଲ ବାଲିୟାନଙ୍କ ସହିଦ ଖବର ପାଇବା ପରେ ଗତ ଦୁଇ ଦିନ ଧରି ଗାଁ ଶୋକରେ ବୁଡ଼ି ରହିଛି। ଖରାପ ପାଗ ଯୋଗୁଁ ଶୁକ୍ରବାର ମୃତଦେହ ପହଞ୍ଚି ନଥିଲା। କିନ୍ତୁ ଶନିବାର ସକାଳ ପ୍ରାୟ ୯ ଟାରେ ଯେତେବେଳେ ରିଙ୍ଖିଲଙ୍କ ମୃତଦେହ ଏକ ସେନା ଟ୍ରକରେ ଗାଁରେ ପହଞ୍ଚିଲା, ସେତେବେଳେ ପୁରା ଗାଁ କାନ୍ଦ ବୋବାଳିରେ ଫାଟି ପଡିଥିଲା। ତାଙ୍କ ସ୍ତ୍ରୀ ରିଙ୍କି ଏବଂ ମା' ମଞ୍ଜୁ ମୃତଦେହ ଦେଖି ଚେତାଶୂନ୍ୟ ହୋଇଯାଇଥିଲେ।
ଘରେ ଶେଷ ଦର୍ଶନ ପରେ ମୃତଦେହକୁ ଗାଁ ଶ୍ମଶାନକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଦାହ କରାଯାଇଥିଲା। ଘଟଣାସ୍ଥଳରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ସୈନିକମାନେ ମଧ୍ୟ ସେମାନଙ୍କର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ଶବଦାହ ଶୋଭାଯାତ୍ରା ଯେଉଁ ରାସ୍ତା ଦେଇ ଗଲା ତାହା ପ୍ରାୟ ଖାଲି ଥିଲା। ଛାତ ଉପରୁ ମହିଳାମାନେ ଗ୍ରାମର ସାହସୀ ପୁଅକୁ ବିଦାୟ ଦେଇଥିଲେ, ଯିଏ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଉଲ୍ଲେଖନୀୟ ଯେ, ରିଙ୍ଖିଲ ବାଲିୟାନ ୨୦୧୬ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ନିୟୋଜିତ ଥିଲେ। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆହୁରି ପଢନ୍ତୁ :ଭିଡ଼ ନିୟନ୍ତ୍ରଣ ଏବଂ ଯାତ୍ରୀଙ୍କୁ ସୁରକ୍ଷା ଦେବ ରୋବୋଟ, ଦେଶରେ ଏହି ରେଳ ଷ୍ଟେସନ୍ରେ ମୁତୟନ କରାଗଲା ASC ଅର୍ଜୁନ